News7 Logo

ମହିଳାଙ୍କୁ ସୁରକ୍ଷା ନଦେଲେ ଆନ୍ଦୋଳନ ତୀବ୍ର କରାଯିବ, ପ୍ରତିଟି ମହିଳାଙ୍କ ପାଖରେ ପହଞ୍ଚିବ ବିଜୁ ମହିଳା ଜନତା ଦଳ

NEWS7
BJD

ଭୁବନେଶ୍ବର ୧୬।୯: ରାଜ୍ୟରେ ବଢୁଛି ମହିଳାଙ୍କ ସହ ଗଣଦୁଷ୍କର୍ମ । ବିଜେପି କର୍ମୀଙ୍କ ମଧ୍ୟରେ ଏନେଇ ଏକ ପ୍ରତିଯୋଗିତା ଭଳି ଅନୁଭବ ହେଉଛି ବୋଲି ବିଜୁ ମହିଳା ଜନତା ଦଳ ଅଭିଯୋଗ ଆଣିଛି । ପୋଲିସ ଏପରି କରିବାରେ ବିଜେପି କର୍ମୀଙ୍କୁ ସହାୟତା କରୁଛି । ପୂର୍ବରୁ ଏଫ୍‌ଏମ୍, ଗୋପାଳପୁର ଓ ବଳଙ୍ଗା ଭଳି ଘଟଣା ମଧ୍ୟରେ ପୁଣି ଲଜ୍ଜା ବଢ଼ାଇଛି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ପୁଣି ଏକ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ । ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କ ସହ ଏପରି ଗଣଦୁଷ୍କର୍ମ କରିଛନ୍ତି କିଛି ଲୋକ । ଏହି ଘଟଣାରେ ପୋଲିସର ହାତ ଏପର୍ଯ୍ୟନ୍ତ ଖାଲି ରହିଛି । ତେବେ କେତେ ଲଜ୍ଜା ସହିଲେ ଓଡ଼ିଶା ସରକାର ଚେତିବେ ବୋଲି ପ୍ରଶ୍ନ କରିଛି ବିଜୁ ମହିଳା ଜନତା ଦଳ ।

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିଜର ଗରିମା ହରାଉଛି । ଏହାକୁ ବିରୋଧ କରି ବୁଧବାର ପୁରା ରାଜ୍ୟରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସବୁ ଜିଲ୍ଲାର ଏସପିଙ୍କୁ ଦାବିପତ୍ର ଦିଆଯିବ । ମହିଳାଙ୍କୁ ସୁରକ୍ଷା ନଦେଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର କରାଯିବ । ପ୍ରତିଟି ମହିଳାଙ୍କ ପାଖରେ ପହଁଚିବ ବିଜୁ ମହିଳା ଜନତା ଦଳ । ସେହିଭଳି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ ଯେ ସମସ୍ତ ଲଭର୍ସ ପଏଣ୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ହେଲେ ଏଯାବତ୍ କେତେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ତାହାର ଉତ୍ତର ଦିଅନ୍ତୁ ସରକାର । ସେହିଭଳି କେତେ ପଏଣ୍ଟ ସବୁକୁ ଚିହ୍ନଟ କରାଯାଇଛି ? ତାହାକୁ କୁହନ୍ତୁ ସରକାର ବୋଲି ଦାବି କରିଛି ବିଜେଡି । ସେହିଭଳି ରାଜ୍ୟର କୌଣସି ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁନାହିଁ । ଏପରିକି ୧୮୧ ହେଲ୍ପଲାଇନ ନମ୍ବର ମଧ୍ୟ କାର୍ଯ୍ୟ କରୁନାହିଁ । ଏହାକୁ ନେଇ ସରକାର ତତ୍ପରତା ନଦେଖାଇଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ । ଲୋକେ ଭୋଟ ଦେଇଛନ୍ତି ତେବେ ସେମାନଙ୍କ ପାଇଁ ସମ୍ବେଦନଶୀଳ ହୁଅନ୍ତୁ ସରକାର ବୋଲି କହିଛି ବିଜେଡି ।