ଭୁବନେଶ୍ବର: ପୁଲିସ ଏସ୍‌ଆଇ ପରୀକ୍ଷା ବିଭ୍ରାଟରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଯୁବ ଛାତ୍ର ଜନତା ଦଳ । ସୋମବାର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଯୁବ, ଛାତ୍ରର କର୍ମୀମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।  ବିଜେଡି କହିଛି, ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ ହୋଇଛି । ସରକାର ଆଉଟ୍‌ସୋର୍ସିଂ ମାଧ୍ୟମରେ ଦୁର୍ନୀତି ପାଇଁ ବାଟ ଖୋଲିଛନ୍ତି । ଯୁବପିଢ଼ିଙ୍କୁ ଧୋକା ଦେଇଛନ୍ତି । ଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି ବିଜେଡି ।

ତେବେ ବିଜେଡିର ଏଭଳି ଅଭିଯୋଗକୁ ଦୃଢ଼ ଜବାବ ଦେଇଛି ବିଜେଡି। ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏହି ପ୍ରସଙ୍ଗରେ ବିଜେଡି ନେତା ତଥା ବଣିକ ଇନଷ୍ଟିଚ୍ୟୁଟ ମାଲିକ ସୁବ୍ରତ ଛାଟୋଇଙ୍କୁ ଟାର୍ଗେଟ କରିଛନ୍ତି। ଅଭିଳାଷ କହିଛନ୍ତି ‘‘ଏବେ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣ ବଣିକ ଇନଷ୍ଟିଚ୍ୟୁଟର ନାଁ କହିଛନ୍ତି।ବଣିକ ଇନଷ୍ଟିଚ୍ୟୁଟର ପ୍ରମୋସନ ଲାଇନ୍ ଥିଲା "ସରକାରୀ ଚାକିରୀ ଥୁଆ ହୋଇଛି"। ବିଜେଡ଼ି ନେତା ତଥା ବଣିକ ଇନଷ୍ଟିଚ୍ୟୁଟର ମାଲିକ ତଥା ବିଜେଡି ନେତା ନିଜେ ଫେସବୁକ୍ ପୋଷ୍ଟ କରି ଏହା ପ୍ରଚାର କରୁଛନ୍ତି । ଧରା ପଡ଼ିଥିବା ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ବିଭିନ୍ନ ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି ।’’ ଆହୁରି ମଧ୍ୟ ଅଭିଳାଷ, ଏହି ଅଭିଯୁକ୍ତମାନଙ୍କର ବିଜେଡି ନେତାଙ୍କ ସହ ଥିବା ଫଟୋ ମଧ୍ୟ ଦେଖାଇଛନ୍ତି।

ଅନ୍ୟପଟେ  ଯୁବ ମୋର୍ଚ୍ଚା ସଭାପତି ଆହୁରି କହିଛନ୍ତି,‘‘ ବିଜେପି ସରକାରରେ କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଏ ନାହିଁ । OTET ପରୀକ୍ଷା ଦୁର୍ନୀତିରେ ବଡ଼ ବଡ଼ ଅଧିକାରୀଙ୍କୁ ଜେଲ ପଠାଇଲା ବିଜେପି ସରକାର।ଖାଲି ସେତିକି ନୁହେଁ ସରକାର ଗଠନ ହେବା ଠାରୁ ଆଜି ଯାଏ ପ୍ରତି ଘଟଣାରେ ଦୋଷୀଙ୍କୁ ଧରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେଡି ସରକାର ଘଣ୍ଟ ଘୋଡ଼ାଉଥିଲା। ଯେଉଁ ରାକେଟ ବି ଧରା ପଡ଼ିଥିଲା ତାଙ୍କ ଉପରେ ଆକ୍ସନ ନେଉନଥିଲେ ପୂର୍ବ ସରକାର। ପୂର୍ବ ସରକାରରେ କାହାକୁ ଗିରଫ କରାଯାଉନଥିଲା। କିନ୍ତୁ ବିଜେପି ସରକାର ଆକ୍ସନ ନେଉଛି । କାରଣ ସେଥିରେ ସିଧାସଳଖ ବିଜେଡି ନେତାଙ୍କ ସଂପୃକ୍ତି ଥିଲା। କେବଳ ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଡାଇଭର୍ଟ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ବିଜେଡି ନେତା। ଏଠି ଚୋର ମାଚାଏ ସୋର୍।’’ ତେଣୁ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ NIA ତଦନ୍ତ ବି ହେବ । ବିଜେଡି ସରକାରରେ ପଇସା ଦିଅ ଚାକିରି ନିଅ ଫର୍ମାଟ ଚାଲିଥିଲା