LIVE TV

ଏସିଆ କପ୍ ଟ୍ରଫି ଭାରତକୁ ଦେବାକୁ ପଡ଼ିବ, ବିସିସିଆଇର ମୋହସିନ ନକଭିଙ୍କୁ କଡ଼ା ସନ୍ଦେଶ

NEWS7
BCCI

ନୂଆଦିଲ୍ଲୀ: ଭାରତୀୟ ଦଳ ନିକଟରେ ପାକିସ୍ତାନକୁ  ହରାଇ ଜିତିଥିଲା ଏସିଆ କପ୍ ୨୦୨୫। ବିଜୟ ପରେ ଟିମ୍ ଇଣ୍ଡିଆ ଏସିସିର ମୁଖ୍ୟ ମୋହସିନ ନକଭିଙ୍କ ହାରତୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା। ଏହା ପରେ ମୋହସିନ ନକଭି ଟ୍ରଫି ଧରି ଦୁବାଇର ହୋଟେଲ୍ ଚାଲି ଯାଇଥିଲେ। ପାକିସ୍ତାନ ଯିବା ପୂର୍ବରୁ ସେ ଟ୍ରଫିକୁ ଏସିସି କାର୍ଯ୍ୟାଳୟରେ ଛାଡ଼ି ଦେଲେ। ଏସବୁ ଘଟଣାକ୍ରମ ପରେ ବି ନକଭି ଭାରତୀୟ ଦଳକୁ ଟ୍ରଫି ଦେବାକୁ ପ୍ରସ୍ତୁତ ନୁହନ୍ତି। ନକଭି କହିଥିଲେ, ସୂର୍ଯ୍ୟକୁମାର ଯାଦବ ଏସିସି କାର୍ଯ୍ୟାଳୟ ଆସି ଟ୍ରଫି ନେଇକି ଯାଆନ୍ତୁ।

ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଏସିସି ପ୍ରମୁଖ ମୋହସିନ ନକଭିଙ୍କୁ ଆନୁଷ୍ଠାନିକ ଇମେଲ ପଠାଇ ବିଜେତା ଦଳକୁ ଯଥା ଶୀଘ୍ର ଟ୍ରଫି ଦେବାକୁ କହିଛନ୍ତି। ବିସିସିଆଇ ସଚିବ ଦେବଜିତ ସୈକିୟା ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ  କହିଛନ୍ତି, ଆମେ ଏସିସିକୁ ଚିଠି ଲେଖି ଚାମ୍ପିଅନ ଦଳକୁ ଟ୍ରଫି ଦେବାକୁ କହିଛୁ। ଆମେ ନକଭିଙ୍କ ଜବାବର ଅପେକ୍ଷାରେ ଅଛୁ। ଯଦି ପ୍ରତିକ୍ରିୟା ନ ଆସେ କିମ୍ବା ସକରାତ୍ମକ ନ ରହେ ତେବେ ଆମେ ଆଇସିସିକୁ ଚିଠି ଲେଖିବୁ।

ଦେବଜିତ ସୈକିୟା ସ୍ପଷ୍ଟ କରିଛନ୍ତି, ଯଦି ମୋହସିନ ନକଭି ଏସିଆ କପ୍ ଟ୍ରଫି ଦେବାକୁ ରାଜି ନ ହୁଅନ୍ତି ତେବେ ବିସିସିଆଇ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏ ନେଇ ଆଇସିସିକୁ ଚିଠି ଲେଖାଯିବ। ଉଲ୍ଲେଖନୀୟ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ନବମ ଥର ଟ୍ରଫି ଜିତିଛି।

ଭାରତୀୟ ଦଳ ପ୍ରଥମରୁ ସ୍ପଷ୍ଟ କରିଥିଲା ଯେ, ନକଭିଙ୍କଠୁ ଟ୍ରଫି ଗ୍ରହଣ କରିବ ନାହିଁ। ତେଣୁ ମ୍ୟାଚ୍ ସରିବା ପରେ ବି ପୁରସ୍କାର ସମାରୋହକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।  ସ୍ଥିତି ନ ବଦଳିବାରୁ ଦଳ ବିନା ଟ୍ରଫିରେ ଡ୍ରେସିଂ ରୁମ ଫେରି ଯାଇଥିଲେ। ଭାରତୀୟ ଦଳ ଉକ୍ତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ତିନି ଥର ହରାଇଛି।