LIVE TV

ଗୁରୁବାର ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଆସନ୍ତା ୨୬ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା

NEWS7
Rain Alert

ଭୁବନେଶ୍ବର ୨୪।୯: ରାଜ୍ୟ ଉପରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ଯାଏ ପ୍ରବଳ ବର୍ଷିବ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତରର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏଥିସହ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରିବ । ଏହା ପ୍ରଭାବରେ ଗୁରୁବାର ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ ଦିଗକୁ ଗତି କରିବା ସହ ସେପ୍ଟେମ୍ବର ୨୬ ତାରିଖରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ସେପ୍ଟେମ୍ବର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳ  ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ସହ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଗୁରୁବାର ସାରା ଓଡ଼ିଶାରେ ବିଜୁଳି  ଘଡଘଡି ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ବିଭାଗ । ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ସହ ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୩୫ ରୁ ୬୦ କି.ମି. ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ବୁଧବାର ଠାରୁ ମତ୍ସ୍ୟଜୀବୀଙ୍କୁ ୨୮ ସେପ୍ଟେମ୍ବର ଯାଏ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ ।

ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା  ହୋଇଥିବା  ବେଳେ କିଛି ସ୍ଥାନରେ ଭୀଷଣ ବର୍ଷା, ୮ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ ୨୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ସମ୍ବଲପୁର ବୁର୍ଲାରେ ୨୨୬ ମି.ମି.  ବର୍ଷା  ରେକର୍ଡ  କରାଯାଇଛି ।