ନୂଆଦିଲ୍ଲୀ: ଦେଶର ଜଣେ ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅକ୍ଷୟ କୁମାର। ଅନେକ ଥର ସର୍ବାଧିକ ଟିକସ ଦେଇଥିବା ଅଭିନେତା ମଧ୍ୟ ସେ। ଏମିତିରେ ଅନେକ ସମୟରେ ଚର୍ଚ୍ଚା ହୁଏ ଯେ, ଅକ୍ଷୟ କେବଳ ଟଙ୍କା ପଛରେ ଗୋଡ଼ାଇଥାନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ, ସେ ଏହାର ଜବାବ ରଖିଛନ୍ତି।

ପ୍ରକୃତରେ ନିକଟରେ ଅକ୍ଷୟଙ୍କ ଫିଲ୍ମ 'ଜଲି ଏଲଏଲବି' ମୁକ୍ତିଲାଭ କରିଛି। ଯାହାର ପ୍ରମୋସନ ପାଇଁ ସେ ପହଞ୍ଚିଥିଲେ 'ଦ କପିଲ ଶର୍ମା ଶୋ'ରେ। କପିଲଙ୍କ ସହ ଆଲୋଚନା ସମୟରେ, ସେ ତାଙ୍କ ଯୁବକ ଅବସ୍ଥାରେ ଲକ୍ଷ୍ୟ କ'ଣ ଥିଲା ତାହା ପ୍ରକାଶ କରିଥିଲେ। ସେହି ମୁହୂର୍ତ୍ତକୁ ମନେ ପକାଇ ଅକ୍ଷୟ କହିଥିଲେ, ‘‘ମୁଁ ବହୁତ ପୂର୍ବରୁ ଏକ ଖବର ପଢ଼ିଥିଲି ଯେ ଜିତେନ୍ଦ୍ର ସାହେବ ୧୦୦ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ କରିଥିଲେ। ମୋର ଏବେ ବି ମନେ ଅଛି, ମୁଁ ମୋ ବାପାଙ୍କ ପାଖକୁ ଯାଇ ପଚାରିଥିଲି, 'ବାପା, ଯଦି କେହି ୧୦୦ କୋଟି ଟଙ୍କାର FD କରନ୍ତି, ତେବେ ସୁଧ କେତେ ହେବ?' ସେତେବେଳେ, ସୁଧ ହାର ୧୩% ଥିଲା, ଯାହାର ଅର୍ଥ ପ୍ରତି ମାସରେ ୧.୩ କୋଟି ଟଙ୍କା ଥିଲା। ମୁଁ ଭାବୁଥିଲି, 'ଯେଉଁଦିନ ମୁଁ ଏପରି FD ସୃଷ୍ଟି କରିପାରିବି, ମୁଁ ଆର୍ଥିକ ଭାବରେ ସୁରକ୍ଷିତ ଅନୁଭବ କରିବି।' କିନ୍ତୁ ମଣିଷ କେବେ ସନ୍ତୁଷ୍ଟ ହୁଏ ନାହିଁ। ସେହି ସଂଖ୍ୟା ମୋ ପାଇଁ ବଢ଼ି ଚାଲିଲା- ୧୦୦ କୋଟି ଟଙ୍କାରୁ ୧ ହଜାର କୋଟି ଟଙ୍କା ଏବଂ ତା'ପରେ ୨ ହଜାର କୋଟି ଟଙ୍କା। ଲୋଭ କେବେ ଶେଷ ହୁଏ ନାହିଁ।’’

ତେବେ କପିଲ ତାଙ୍କୁ ପ୍ରଶ୍ନ କରିଥିଲେ ଏବେ ଆପଣଙ୍କ ପାଖରେ କେତେ ଫିକ୍ସଡ ଡିପୋଜିଟ୍ ଅଛି ? ହେଲେ ଅକ୍ଷୟ ଏହାର ଉତ୍ତର ନଦେଇ କେବଳ ହସିଦେଇଥିଲେ। ସେହିଭଳି 'ଆପ କି ଅଦାଲତ'ରେ ମଧ୍ୟ ରଜତ ଶର୍ମା ଯେତେବେଳେ ଅକ୍ଷୟଙ୍କୁ ଟଙ୍କା ବିଷୟରେ ପଚାରିଥିଲେ, ସେ ଅକ୍ଷୟ କହିଥିଲେ ‘ମୁଁ ପରିଶ୍ରମ କରି ଟଙ୍କା ଆଣିଛି।’’ ଅକ୍ଷୟ ଆହୁରି କହିଥିଲେ ‘‘ମୁଁ  କାମ କରି ପଇସା ଆଣିଛି। ୮ ବର୍ଷରୁ ମୁଁ ସର୍ବାଧିକ କରଦାତା ହୋଇରହିଛି ତେଣୁ ଏମିତି ହୋଇପାରିବନି ଯେ, ମୁଁ କେବଳ ଟଙ୍କା ପଛରେ ଗୋଡ଼ାଉଛି। ଜୀବନରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଆପଣଙ୍କୁ ବ୍ୟବହାରିକ ହେବାକୁ ପଡ଼ିବ।’’

ସେ ଆହୁରି କହିଛନ୍ତି ‘ଟଙ୍କା ରୋଜଗାର କରୁଛି, ଟ୍ୟାକ୍ସ ଦେଉଛି, ଆଉ ସେହି ପଇସାରେ ବେଶ୍ ସେବା ମଧ୍ୟ କରୁଛି। ଏହା ମୋର ଧର୍ମ। ଅନ୍ୟମାନେ କ’ଣ କୁହନ୍ତି ? ତାହା ଉପରେ ମୋର ବିଶ୍ବାସ ନାହିଁ। ଯଦି ଆପଣଙ୍କୁ ଫିତା କାଟିବାକୁ ଟଙ୍କା ମିଳୁଛି, ତାହେଲେ ଏଥିରେ ସମସ୍ୟା କ’ଣ ? ଯଦି କେହି ତୁମକୁ କୌଣସି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ଦେବାକୁ ଚାହେଁ, ତେବେ କାହିଁକି ନେବେ ନାହିଁ ?  ଆପଣ ଚୋରି ତ’ କରୁନାହାଁନ୍ତି, ତେଣୁ ଆପଣ ଲୁଟେରା ନୁହେଁ । ଆପଣ ପରିଶ୍ରମ କରୁଥିଲେ କଛି ସମସ୍ୟା ନାହିଁ।’’

ସୂଚନାଥାଉକି, ନିକଟରେ ରିଲିଜ୍ ହୋଇଛି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଜଲି ଏଲଏଲବି-୩’। ଫିଲ୍ମ ଏହାର କାହାଣୀ ଏବଂ ଅକ୍ଷୟଙ୍କ ଅଭିନୟ ପାଇଁ ବେଶ୍‌ ପ୍ରଶଂସା ସାଉଁଟିଲାଣି। ତେବେ କେବଳ ଏହି ଫିଲ୍ମ ନୁହେଁ ଅକ୍ଷୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛନ୍ତି।