News7 Logo

ବିପାଶାଙ୍କ ପରେ ଅନୁଷ୍କାକୁ ଅପମାନ କଲେ ମୃଣାଳ, କହିଲେ-ମୋତେ କାମ ମିଳୁଛି, ତାଙ୍କୁ ନୁହେଁ

NEWS7
Mrunal

ନୂଆଦିଲ୍ଲୀ ୦୩।୦୯; ବଲିଉଡ୍ ଅଭିନେତ୍ରୀ ମୃଣାଲ୍ ଠାକୁର। ଏବେ ସେ ପୁଣିଥରେ ତାଙ୍କ ବୟାନକୁ ନେଇ ବିବାଦ ଘେରରେ ଅଛନ୍ତି। କିଛି ଦିନ ତ‌ଳେ ଅଭିନେତ୍ରୀ ବିପାଶାଙ୍କୁ ନେଇ ବୟାନ ଦେଇଥିଲେ । ଯେଉଁଥିରେ ସେ ବିପାଶାଙ୍କ ଶାରୀରିକ ଗଠନ ପୁରୁଷଙ୍କ ଭଳି ବୋଲି କହିଥିଲେ। ଯାହା ତାଙ୍କର ପୁରୁଣା ବୟାନ ଥିଲା। ଟ୍ରୋଲ୍ ହେବା ପରେ, ଅଭିନେତ୍ରୀଙ୍କୁ କ୍ଷମା ମାଗିବାକୁ ପଡିଥିଲା। ଏବେ ମୃଣାଲ୍, ଅନୁଷ୍କା ଶର୍ମାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିବା କଥାଟି ଅନୁଷ୍କାଙ୍କ ପାଇଁ ଥିଲା ବୋଲି ଲୋକେ ଦାବି କରିବା ସହ ତାଙ୍କୁ ଟ୍ରୋଲ କରୁଛନ୍ତି।

ମୃଣାଳ ନିକଟରେ ଏକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ତାଙ୍କୁ ଏକ ଏଭଳି ସିନେମା ବିଷୟରେ ପଚରାଯାଇଥିଲା ଯାହାକୁ ସେ ନା କରିଥିଲେ, କିନ୍ତୁ ସେହି ସିନେମାଟି ହିଟ୍ ହୋଇଥିଲା। ମୃଣାଳ ଉତ୍ତର ଦେଇ କହିଥିଲେ, "ଏପରି ଅନେକ ସିନେମା ଅଛି। ଯାହାକୁ ମୁଁ କରିବାକୁ ମନା କରିଥିଲି। କିନ୍ତୁ ସତ କହିବାକୁ ଗଲେ, ମୁଁ ପ୍ରସ୍ତୁତ ନଥିଲି। ଗୋଟିଏ ଫିଲ୍ମ ଥିଲା ତାହା ସୁପରହିଟ୍ ହୋଇଥିଲା ଏବଂ ସେଥିରେ ଥିବା ନାୟିକାଙ୍କୁ ସଫଳତା ମିଳିଥିଲା। କିନ୍ତୁ ମୁଁ ଭାବୁଛି ଯଦି ମୁଁ ସେହି ସିନେମା କରିଥାନ୍ତି ତେବେ ମୁଁ ନିଜର ଅସ୍ତିତ୍ବ ହରାଇ ଦେଇଥାନ୍ତି। ସେହି ଅଭିନେତ୍ରୀ ଏବେ କାମ କରୁନାହାନ୍ତି। କିନ୍ତୁ ମୁଁ କାମ କରୁଛି। ତାହାଲେ ବିଜୟ ମୋର ହୋଇଛି। କାରଣ ମୁଁ ତୁରନ୍ତ ପ୍ରସିଦ୍ଧି ଏବଂ ସ୍ୱୀକୃତି ଚାହେଁ ନାହିଁ। ଯେଉଁ ସଫଳତା ଜଲଦି ମିଳେ ତାହା ଆପଣଙ୍କଠାରୁ ଶୀଘ୍ର ଚାଲିଯାଇଥାଏ।"

ମୃଣାଲ ଏଠାରେ ଅନୁଷ୍କାଙ୍କ ନାମ ନେଇନଥିଲେ ବି ସେ ତାଙ୍କ କଥା କହିଥିବା ନେଇ ସୋସିଆଲ ମିଡିଆରେ ଦାବି କରିଛନ୍ତି ୟୁଜର୍ସ । କାରଣ ପୁରୁଣା ସାକ୍ଷାତକାରରେ ଦବଙ୍ଗ ଷ୍ଟାର ସଲମାନ ଖାନ୍ କହିଥିଲେ ଯେ, ଫିଲ୍ମ ସୁଲତାନ ପାଇଁ ପ୍ରଥମ ପସନ୍ଦ ଥିଲେ ମୃଣାଲ ଠାକୁର। ହେଲେ ପରେ ଏହା ଅନୁଷ୍କାଙ୍କ ହାତକୁ ଯାଇଥିଲା। କହିବାକୁ ଗଲେ ଅନୁଷ୍କା ମଧ୍ୟ ଏବେ କାମ ନକରି ନିଜ ପରିବାରକୁ ସମୟ ଦେଉଛନ୍ତି। ଏସବୁକୁ ଦେଖି ମୃଣାଲ, ଅନୁଷ୍କାଙ୍କୁ ଅପମାନିତ କରୁଥିବା ନେଇ ଲୋକେ କହିଛନ୍ତି ।