ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ଆଗରେ ୧୨୬ ରନର ଲକ୍ଷ୍ୟ ରହିଛି । ଆଜିର ମ୍ୟାଚରେ କେବଳ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଚାଲିଥିଲା । ସେ ୩୭ ବଲରେ ୬୮ ରନ କରି ଆଉଟ ହୋଇଥିଲେ । ହର୍ଷିତ ରାଣା ୩୫ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ୩ ୱିକେଟ୍ ଏବଂ ଜାଭିୟର ବାର୍ଟଲେଟ୍ ଏବଂ ନାଥନ୍ ଏଲିସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । 

ଭାରତ ଦ୍ୱିତୀୟ ଟି-20ରେ ମୁକାବିଲାରେ ଅଷ୍ଟ୍ରେଲିଆକୁ ୧୨୬ ରନ୍ ଲକ୍ଷ୍ୟ ଦେଇଛି । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭ୍ରମଣକାରୀ ଟିମକୁ ଆମନ୍ତ୍ରଣ କରିଥିଲେ । ଆଉ ଏହାର ଲାଭ ଅଷ୍ଟ୍ରେଲିଆ ଟିମକୁ ମଧ୍ୟ ମିଳିଥିଲା । ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ବସିଥିଲା । ଟିମ୍ ୫୦ରୁ କମ୍ ସ୍କୋର ଭିତରେ ହିଁ ୫ଟି ୱିକେଟ୍ ହରାଇ ବସିଥିଲା । ତେବେ ଅଭିଷେକ ଶର୍ମା ଓ ହର୍ଷିତ ରାଣା ଅର୍ଦ୍ଧଶତକୀୟ ପାର୍ଟନରଶିପ କରି ଟିମକୁ ସମ୍ଭାଳି ଦଳର ସ୍କୋରକୁ ୧୨୦ ଉପରେ ପହଞ୍ଚାଇଥିଲେ । ଭାରତ ପାଇଁ ଅଭିଷେକ ଶର୍ମା ୩୭ ବଲରେ ୬୮ ରନ୍ କରିଥିଲେ । ହର୍ଷିତ ୩୫ ରନ୍ ଯୋଗଦାନ ଦେଇଥିଲେ । ଶୁଭମନ ଗିଲ୍ (୫), ସଞ୍ଜୁ ସାମସନ (୨), ସୂର୍ଯ୍ୟକୁମାର ଯାଦବ (୧), ତିଲକ ବର୍ମା (୦), ଅକ୍ଷର ପଟେଲ (୭), ଶିଭମ ଦୁବେ (୪) କୌଣସି ପ୍ରଭାବ ପକାଇ ପାରି ନଥିଲେ ।  ​​​​​​​