​​​​​​​ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂତନ ଇନିସିଏଟିଭ୍ ଭାରତୀ ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ନବସୃଜନ ବୃଦ୍ଧି କରି ୨୦୩୦ ସୁଦ୍ଧା କୃଷି ରପ୍ତାନିକୁ ୫୦ ବିଲିୟନ ଡଲାରକୁ ବୃଦ୍ଧି କରିବା। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। କୃଷି ଏବଂ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (APEDA) ଏହି ପ୍ରୟାସ ଆରମ୍ଭ କରିଛି । ଭାରତୀ ଅର୍ଥ ହେଉଛି ଭାରତ ହବ୍ ଫର୍ ଏଗ୍ରିଟେକ୍, ରିସାଇଲେନ୍ସ,ଆଡଭାନ୍ସମେଣ୍ଟ ଓ ଇନକ୍ୟୁବେସନ ଫର୍ ଏକ୍ସପୋର୍ଟ ଏନାବେଲମେଣ୍ଟ । ଏହାକୁ କୃଷି-ଖାଦ୍ୟ ଏବଂ କୃଷି-ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍‌ଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ରପ୍ତାନି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଡିଜାଇନ୍ କରାଯାଇଛି । ଯାହାଦ୍ୱାରା ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିକୁ ମଜଭୁତ କରାଯିବ ।

ସେପ୍ଟେମ୍ୱର ଆରମ୍ଭ ହେବାକୁ ଥିବା ଏହି ପାଇଲଟ୍ କାର୍ଯ୍ୟକ୍ରମ ୧୦୦ ଷ୍ଟାର୍ଟଅପ୍କୁ ସଶକ୍ତ କରାଇବ । ଏଥିରେ ଉଚ୍ଚ ମୂଲ୍ୟ ଥିବା କୃଷି ଉତ୍ପାଦନ, ଟେକ୍ନୋଲୋଜି ଆଧାରିତ ସର୍ଭିସ୍ ପ୍ରୋଭାଇଡର୍ସ ଓ ଇନୋଭୋଟର୍ସ ସାମିଲ ହେବେ । ଭାରତୀ ଇନିସିଏଟିଭକୁ କୃଷି, ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଦ୍ୟୋଗ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଇନକ୍ୟୁବେଶନ କାର୍ଯ୍ୟକ୍ରମକୁ ଅନୁକୂଳ ଓ ଉନ୍ନତ କରିବା ପାଇଁ କରାଯାଇଛି । ଏହା ଉଦ୍ଦେଶ୍ୟ ଜିଆଇ ଟ୍ୟାଗ୍ ବିଶିଷ୍ଟ କୃଷି ସାମଗ୍ରୀ, ସୁପରଫୁଡ୍ସ, ଭାରତୀୟ କୃଷି-ଖାଦ୍ୟ ପଦାର୍ଥ, ପଶୁଧନ ଓ ଆୟୁଷ ଉତ୍ପାଦନ ପରି ଉଚ୍ଚ ମୂଲ୍ୟ ଶ୍ରେଣୀରେ ନବସୃଜନକୁ ପ୍ରୋତ୍ସାହନ ଦିଆଯିବ ।

ଏହି ଯୋଜନାର ଉଦ୍ଦେଶ୍ୟ ଉନ୍ନତ ପ୍ରଯୁକ୍ତି ଯେପରି କି ଏଆଇ-ଆଧାରିତ ଗୁଣବତ୍ତା ନିୟନ୍ତ୍ରଣ, ବ୍ଲକଚେନ୍- ଆଧାରିତ ଟ୍ରେସେବିଲିଟି, ଆଇଓଟି-ଆଧାରିତ କୋଲ୍ଡ ଚେନ୍ ଓ ଏଗ୍ରି ଫିନଟେକ୍ ଉପରେ କାମ କରୁଥିବା ଷ୍ଟାର୍ଟଅପକୁ ଆକର୍ଷିତ କରିବା । ଏହାସହ ନୂତନ ପ୍ୟାକେଜିଂ, ସ୍ଥିରତା ଓ ସାମୁଦ୍ରିକ ପ୍ରୋଟୋକଲ୍ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ କେନ୍ଦ୍ରିତ କରିବା । ମନ୍ତ୍ରଣାଳୟ କହିଛି ଯେ ଭାରତୀର ଉଦ୍ଦେଶ୍ୟ ଉତ୍ପାଦନ ବିକାଶ, ମୂଲ୍ୟ ସ୍ଥିର, ଗୁଣବତ୍ତା ଭରସା, ଅନାବଶ୍ୟକୀୟ ବ୍ୟୟ ସହ ଜଡ଼ିତ ରପ୍ତାନୀ ଆହ୍ୱାନର ସମାଧାନ କରିବ ।

ଭାରତୀ ଅଭିଯାନ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କୃଷି ଉତ୍ପାଦନ ପ୍ରସ୍ତୁତ କରିବ । ଏହା ଭାରତୀୟ ଖାଦ୍ୟ, ପାନୀୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଏବଂ ସେବା ପାଇଁ ବିଶ୍ୱସ୍ତରୀୟ ଚାହିଦାକୁ ବୃଦ୍ଧି କରିବ । ଏହି ପଦକ୍ଷେପରେ ଅଂଶୀଦାରମାନଙ୍କୁ ସାମିଲ କରିବା ଏବଂ ସାରା ଭାରତରେ ଷ୍ଟାର୍ଟଅପ୍ସଙ୍କୁ ଆକର୍ଷିତ କରିବା ପାଇଁ ଏକ ଦେଶବ୍ୟାପୀ ସଚେତନତା ଅଭିଯାନ କରାଯିବ ।