ନୂଆଦିଲ୍ଲୀ ୩।୧୧: ଭାରତରେ ଚିତା ପୁନର୍ବାସ ପ୍ରୟାସକୁ ଏକ ନୂଆ ଦିଗଦର୍ଶନ ଦେବାକୁ ଆଫ୍ରିକୀୟ ଦେଶ ବୋଟସୱାନାରୁ ୮ଟି ଚିତା ବାଘଙ୍କୁ ଭାରତ ଅଣାଯିବ। ଏହି ଚିତାଙ୍କୁ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ବୋଟସୱାନାରୁ ଅଣାଯିବ। କେନ୍ଦ୍ର ବନ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଚିତାଙ୍କ ସ୍ଥିତି ସନ୍ତୋଷ ଜନକ। ଚିତା ପୁନର୍ବାସ ଯୋଜନାରେ ଏବେ ତୃତୀୟ ପିଢୀ ମଧ୍ୟ ଆସିଗଲେଣି।

ପ୍ରଥମ ପର୍ଯ୍ୟାୟରେ ଭାରତ ଆସିଥିବା ଚିତା ଏଠାରେ ବଂଶ ବିସ୍ତାର ଆରମ୍ଭ କଲେଣି। ମୁଖୀ ଏହି ଚିତାଙ୍କ ଶାବକ ଯିଏ ଭାରତରେ ଜନ୍ମ ହୋଇଛି। ଏହା ଭାରତରେ ପ୍ରୋଜେକ୍ଟ ଚିତାର ଏକ ବଡ଼ ସଫଳତା। ସାମ୍ବାଦିକଙ୍କ ସହ ଆଲୋଚନାରେ ଯାଦବ କହିଛନ୍ତି ଯେ ମଧ୍ୟ ଡିସେମ୍ବର ସୁଦ୍ଧା ବୋଟସୱାନାରୁ ଆଉ ୮ଟି ଚିତା ଭାରତ ଆସିବେ। ଚିତାଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତ ଆସିବାକୁ ଥିବା ଚିତାମାନଙ୍କୁ ବୋଟସୱାନାରେ ଏବେ କ୍ୱାରେଣ୍ଟାଇନରେ ରଖା ଯାଇଛି।

ଭାରତ ଅଣାଯିବା ପରେ ଏହି ଚିତା ବାଘମାନଙ୍କୁ କୁନୋ ନ୍ୟାସନାଲ ପାର୍କରେ ରଖାଯିବ। ସେମାନଙ୍କୁ ନିୟମ ଅନୁସାରେ ୯୦ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ଓ ଦେଖରେଖରେ ରଖାଯିବ। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏବେ ମୋଟ ୨୭ଟି ଚିତାବାଘ ଅଛନ୍ତି। ସେମାନଙ୍କୁ ମୁଖ୍ୟ ସ୍ଥାନମାନଙ୍କରେ ରଖା ଯାଇଛି। ଏଥିରୁ କୁନୋରେ ୨୪ଟି ଚିତା ଥିବା ବେଳେ ଗାନ୍ଧି ସାଗରରେ ୩ଟି ଚିତା ବାଘ ଅଛନ୍ତି। ଏଥିରୁ ୧୧ଟି ଚିତାଙ୍କୁ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା। ତେବେ ବାକି ୧୬ଟି ଚିତା ଭାରତରେ ଜନ୍ମ ହୋଇଛନ୍ତି।