ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଶାଢି, ଦେଖନ୍ତୁ ୨୦୧୯ରୁ ୨୦୨୫ ଯାଏ ୮ଟି ଶାଢି ଲୁକ୍‌ର ଝଲକ

Published By : Prameya-News7 Bureau | February 02, 2025 IST

ନୂଆଦିଲ୍ଲୀ ୨/୨: ବଜେଟ୍‌ ଉପସ୍ଥାପନ ବେଳେ ପ୍ରତିବର୍ଷ ବିଶେଷ ଶାଢିରେ ନଜର ଆସନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତିବର୍ଷ ସେ କେଉଁପ୍ରକାର ଶାଢି ପିନ୍ଧିବେ । ଶାଢିର ରଙ୍ଗ କେମିତି ହେବ । ଶାଢିର ଧଡିରେ କେଉଁ ରାଜ୍ୟର କାରିଗରି ଶୋଭା ପାଇବ ତାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୁଏ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଚର୍ଚ୍ଚାରେ ବଜେଟ୍‌ ଭାଷଣ ସହ ନିର୍ମଳାଙ୍କ ଶାଢି ଲୁକ୍‌ । ଏବେ ନଜର ପକାଇବା   ନିର୍ମଳାଙ୍କ ୨୦୧୯ରୁ ୨୦୨୫ ଯାଏ ୮ଟି ବଜେଟ୍‌ ଉପସ୍ଥାପନର ୮ଟି ଶାଢି ଲୁକ୍‌ ।  

୨୦୧୯ରେ ବଜେଟ୍‌ ଉପସ୍ଥାପନ ବେଳେ ଗୋଲାପି ରଙ୍ଗର ମଙ୍ଗଲଗିରି ଶାଢି ପିନ୍ଧିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶାଢିର ବର୍ଡର ଥିଲା ଗୋଲଡେନ କଲର । ଯାହା ଶାଢିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିଲା । 

୨୦୨୦ରେ ସବୁଜ ବର୍ଡର ଥିବା ହଳଦିଆ ରଙ୍ଗର ଶାଢିରେ ନଜର ଆସିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ଏହି ଶାଢି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । 

୨୦୨୧ ସାଧାରଣ ବଜେଟ୍‌ ଉପସ୍ଥାପନ ବେଳେ ତେଲେଙ୍ଗାନାର ପ୍ରସିଦ୍ଧ ପୋଚମପଲ୍ଲୀ ଶାଢି ପିନ୍ଧିଥିଲେ ନିର୍ମଳା । ଯାହାର ରଙ୍ଗ ଥିଲା ନାଲି । ବର୍ଡର ରଙ୍ଗ ଥିଲା କଳା । ଯାହା ଶାଢି ପ୍ରେମୀଙ୍କୁ ବେଶ ପସନ୍ଦ ଆସିଥିଲା । 

୨୦୨୨ରେ ନିର୍ମଳାଙ୍କ ଲୁକ୍‌ରେ ଓଡ଼ିଆ ଝଲକ ଦେଖିବାକୁ ମିଳିଥିଲା । ରୁପେଲି ବର୍ଡର ଥିବା ବାଦାମୀ ରଙ୍ଗର ପ୍ରସିଦ୍ଧ ବମକାଇ ଶାଢିରେ ନଜର ଆସିଥିଲେ ନିର୍ମଳା । 

୨୦୨୩ ବଜେଟ୍‌ ଦିନରେ, ନିର୍ମଳା ସୀତାରମଣ କର୍ଣ୍ଣାଟକର ଧାରୱାଡର ଏକ ପାରମ୍ପରିକ ଲାଲ ରଙ୍ଗର ରେଶମ ଶାଢି ପିନ୍ଧିଥିଲେ। ଏହି ଶାଢିର ବର୍ଡର କଳା ଏବଂ ସୁବର୍ଣ୍ଣ ଶେଡର୍ ଥିଲା, ଯାହା ବେଶ ଚମତ୍କାର ଦେଖାଯାଉଥିଲା । 

୨୦୨୪ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟ୍ ସମୟରେ ନିର୍ମଳା ସୀତାରମଣ ପଶ୍ଚିମବଙ୍ଗର ନୀଳ ହ୍ୟାଣ୍ଡ୍‌ଲୁମ୍ ସିଲ୍‌କ ଶାଢି ପିନ୍ଧିଥିଲେ। ଯାହା କନ୍ଥା ଏମ୍ରୋଡରିରେ ସଜ୍ଜିତ ହୋଇଥିଲା । 


୨୦୨୪ ମସିହାର କେନ୍ଦ୍ର ବଜେଟ୍‌ ବେଳେ  ନିର୍ମଳା ସୀତାରମଣ ଏକ ଧଳା ରଙ୍ଗର ସିଲ୍କ ଶାଢି ପିନ୍ଧିଥିଲେ, ଯାହାର ବର୍ଡର ମ୍ୟାଜେଣ୍ଟା ରଙ୍ଗର ଥିଲା।

ଏହି ଶାଢି ଲୁକ୍‌ ଚଳିତ ବର୍ଷର ଅର୍ଥାତ ୨୦୨୫ର । ଏଥର ବିହାରର ମଧୁବନୀ କଳାର ମାଛ ଡିଜାଇନର ଶାଢି ପିନ୍ଧିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧଳା ରଙ୍ଗର ଶାଢିରେ ଗୋଲଡେନ କାରୁକାର୍ଯ୍ୟ ହୋଇଥିଲା । ଶାଢି ମାଧ୍ୟମରେ ସେ ମଧବନୀ କଳା ପ୍ରତି ସମ୍ମାନ ଜଣାଇବା ସହ ଏହାକୁ ପ୍ରୋତ୍ସାହିତ କରିବାକୁ ଦେଇଥିଲେ ବାର୍ତ୍ତା । 

ଏହି ମଧୁବନୀ ଆର୍ଟ ଶାଢି ତିଆରି କରିଛନ୍ତି ବିହାରର ପ୍ରସିଦ୍ଧ ମିଥିଳା କାରିଗର ଦୁଲାରୀ ଦେବୀ । ମିଥିଳା କଳା ସଂସ୍ଥାନର ଏକ କାର୍ଯ୍ୟକ୍ରମରେ ଦୁଲାରୀ ଦେବୀଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ । ଆଉ ଉଭୟଙ୍କ ମଧ୍ୟରେ ମଧୁବନୀ କଳା ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଏହି ସ୍ବତନ୍ତ୍ର ଶାଢି ଉପହାର ଦେଇଥିଲେ ଓ ବଜେଟ୍‌ ଦିନ ପିନ୍ଧିବାକୁ ଅନୁରୋଧ କରିଥିଲେ । ଦୁଲାରୀଙ୍କ ଅନୁରୋଧ ରକ୍ଷା କରି ଚଳିତ ବର୍ଷ ବଜେଟ୍‌ରେ ମଧବନୀ ଶାଢିରେ ନଜର ଆସିଥିଲେ ନିର୍ମଳା । 

 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.