ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ଏବଂ ଏକ ମାରୁତି ଓମନି ଭ୍ୟାନ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣେ ଦୁଇ ବର୍ଷର ଶିଶୁ ସମେତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଖେରି ଥାନା ଅଞ୍ଚଳ ଅନ୍ତର୍ଗତ ଲଖିମପୁରରୁ ଲକ୍ଷ୍ନୌକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ତେଲ ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସର ସୂଚନା ଅନୁଯାୟୀ, ରାସ୍ତାର ଗୋଟିଏ ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଦୁଇ ପାର୍ଶ୍ୱ ଯାନବାହନ ଚଳାଚଳକୁ ସିଙ୍ଗଲ ଲେନରେ ହେଉଥିଲା। ଏହି ରାସ୍ତା ଦେଇ ଲଖିମପୁରରୁ ଲକ୍ଷ୍ନୌ ଯାଉଥିବା ବସ୍ ସୀତାପୁରରୁ ଆସୁଥିବା ଓମିନି ଭ୍ୟାନକୁ ସାମ୍ନାରୁ ଧକ୍କା ଦେଇଥିଲା।

ମୁହାଁମୁହିଁ ଧକ୍କା ହେବାରୁ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାନର ହୋଇଯାଛି। ପୋଲିସର ସୂଚନା ଅନୁଯାୟୀ, ଭ୍ୟାନ୍‌ରେ ୭ ଜଣ ବସିବା କ୍ଷମତା ଥିବା ବେଳେ ଡ୍ରାଇଭର ଏଥିରେ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲେ। ଧକ୍କା ହେବା ପରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା, ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଛଅ ଜଣଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଯାଇଥିଲା। ଘଟଣାର କିଛି ସମୟ ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଦୁର୍ଗା ଶକ୍ତି ନାଗପାଲ ଏବଂ ପୋଲିସ ଅଧୀକ୍ଷକ ସଂକଳ୍ପ ଶର୍ମା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।  ତେବେ ରୋଡୱେଜ୍ ବସ୍‌ରେ ଥିବା ଯାତ୍ରୀମାନେ ଆହତ ହୋଇ ନାହାଁନ୍ତି। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।