ସୁରଟ ୧୯।୧୦: ଦୀପାବଳି, ଛଟ୍ ଓ ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଉତ୍ତର ଭାରତ ଯିବାକୁ ଥିବା ଯାତ୍ରୀଙ୍କ ଭିଡ ରବିବାର ଗୁଜରାଟର ସୁରଟରେ ଦେଖାଯାଇଛି। ଉଧନା ରେଳ ଷ୍ଟେସନରେ ହଜାର ହଜାର ଯାତ୍ରୀ ନିଜ ନିଜ ଘରକୁ ଫେରିବା ପାଇଁ ଧାଡି ବାନ୍ଧିଥିବା ଦେଖାଯାଇଛନ୍ତି। ଯାତ୍ରୀଙ୍କ ଏହି ଧାଡି ରବିବାର ସନ୍ଧ୍ୟା ବେଳକୁ ୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଯାଇଥିଲା। ସୁରଟର ଉଧନା ରେଳ ଷ୍ଟେସନରେ ଗତ ୨୪ ଘଣ୍ଟା ହେଲା ଯାତ୍ରୀଙ୍କ ଏହି ଭିଡ ଦେଖାଯାଉଛି।

ଯାତ୍ରୀଙ୍କ ଏହି ଭିଡ଼ ଆଗରେ ରେଳବାଇଙ୍କ ପୂର୍ବ ପ୍ରସ୍ତୁତି ବିଫଳ ହୋଇଛି। ଟ୍ରେନ ଭିଡ ଆସୁଥିବାରୁ ଯାତ୍ରୀ ସିଟ୍ ନ ପାଇ ପ୍ଲାଟଫର୍ମରେ ପରବର୍ତ୍ତି ଟ୍ରେନକୁ ଅପେକ୍ଷା କରୁଛନ୍ତି। ତେବେ ଷ୍ଟେସନରେ ରବିବାର ଅଧିକ ଯାତ୍ରୀ ଭିଡ଼ ହେବ ବୋଲି ରେଳବାଇ ପ୍ରଶାସନକୁ ଜଣାଥିଲା। ଏହା ସତ୍ତ୍ୱେ ଶନିବାର ରାତି ୮ଟାରୁ ରବିବାର ପୂର୍ବାହ୍ନ ୧୧ଟା ମଧ୍ୟରେ ଷ୍ଟେସନରୁ ମାତ୍ର ୨ଟି ଟ୍ରେନ ବାହାରିଛି। ଏଣୁ ଧାଡିରେ ବସିଥିବା ବୟଷ୍କ, ମହିଳା ଓ ପିଲା ସବୁଠୁ ଅଧିକ ହଇରାଣ ହେଉଛନ୍ତି।

ଲୋକେ ଭୋକ ଉପାସରେ ୩ କିଲୋମିଟର ଲମ୍ବା ଲାଇନରେ ଛିଡା ହୋଇ ଧୈର୍ଯ୍ୟହରା ହୋଇପଡୁଛନ୍ତି। ଏଥିରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ନିମନ୍ତେ ନିବେଦନ କରୁଛନ୍ତି। ସୁରଟ ଓ ଉଧନାରୁ ବିହାର, ଝାଡଖଣ୍ଡ ଓ ଉତ୍ତରପ୍ରଦେଶ ଯିବାକୁ ଥିବା ଯାତ୍ରୀଙ୍କ ଭିଡ ବଢିବଢି ଚାଲିଛି। ଏଥିରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ଟ୍ରେନରେ ବସିକିଯିବା ଲାଗି ୨-୩ଥର ଟିକେଟ୍ କ୍ୟାନସଲ ମଧ୍ୟ କଲେଣି ଓ ୧୨ରୁ ୧୫ ଘଣ୍ଟା ହେଲା ଲାଇନରେ ଛିଡା ହୋଇଛନ୍ତି।

ଦୀପାବଳି, ଛଟ ପାଇଁ ରେଳବାଇଙ୍କ ପକ୍ଷରୁ ଅତିରିକ୍ତ ଟ୍ରେନ ଘୋଷଣା ହୋଇଛି, ହେଲେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ଆହୁରି ୧୨ରୁ ୧୫ ଘଣ୍ଟା ଅପେକ୍ଷା କରିବାକୁ ପଡିବ। ପଶ୍ଚିମ ରେଳବାଇ ବଡୋଦରା ମଣ୍ଡଳ ଜନସମ୍ପର୍କ ଅଧିକାରୀ ଅନୁଭବ ସକ୍ସେନା କହିଛନ୍ତି ଯେ ରବିବାର ଯାତ୍ରୀଙ୍କ ସଂଖ୍ୟା ସ୍ୱଭାବିକରୁ ଅନେକ ଅଧିକ ରହିଛି। ହେଲେ ପଶ୍ଚିମ ରେଳବାଇ ଏଥି ପାଇଁ ପୂର୍ବ ପ୍ରସ୍ତୁତି କରିରଖିଛନ୍ତି। ସେ କହିଛନ୍ତି ଯେ ରବିବାର ନିୟମିତ ୬ ଟ୍ରେନ ବାଦ ଦେଇ ୯ ଅତିରିକ୍ତ ସ୍ପେଶାଲ ଟ୍ରେନ  ଓ ୪ ଅଣ ସଂରକ୍ଷିତ ଟ୍ରେନ ଚଳାଯାଇଛି। ବଢୁଥିବା ଯାତ୍ରୀ ଭିଡକୁ ଦେଖି ଜୟନଗର ଲାଗି ଆଉ ୨ଟି ସ୍ପେଶାଲ ଟ୍ରେନ ମଧ୍ୟ ଘୋଷଣା ହୋଇଛି। ଏହି ଭଳି ଭାବେ ଉତ୍ତରପ୍ରଦେଶ ଓ ବିହାର ଯିବା ପାଇଁ ଦିନକରେ ୨୧ଟି ଟ୍ରେନ ବ୍ୟବସ୍ଥା ହୋଇଛି।