ବାଲିଯାତ୍ରା ୨୦୨୫
LIVE TV

ଆଦିବାସୀ ଢ଼େମସା ଓ ଦୁରୁଆ ନୃତ୍ୟରେ କମ୍ପିଲା କୁଟନିପଦର, ଶୁଭାରମ୍ଭ ହେଲା ଜାତୀୟ ସ୍ତରୀୟ କୋରାପୁଟ ପରବ ୨୦୨୫

NEWS7
3-brit-friends-hit-jackpot-of-millions-after-catching-giant-bluefin-tuna-fish-during-holidays

କୋରାପୁଟ ୧୧:ଢ଼ାପ, ଢୋଲ ମହୁରୀର ତାଳେତାଳେ ପାରମ୍ପରିକ ଢେମସା ନୃତ୍ୟରେ କମ୍ପି ଉଠିଲା କୁଟୁନିପଦାର I ସବୁବେଳେ ନିଛାଟିଆ ଥିବା ଏହି ଆଧ୍ୟାତ୍ମିକ ସ୍ଥାନଟି ସକାଳୁ ଉତ୍ସବ ମୁଖର ହୋଇଉଠିଥିଲା I ସହସ୍ର ଶିବଲିଙ୍ଗର ପାହାଡ଼ କୁହାଯାଉଥିବା ଏହି ପବିତ୍ର ସ୍ଥଳୀଟିକୁ ବର୍ତ୍ତମାନ ବିଶ୍ୱ ଦେଖିବ I କାରଣ ଚଳିତ ବର୍ଷର କୋରାପୁଟ ଜିଲ୍ଲା ପରବ ୨୦୨୫ ଏଠାରୁ ହିଁ ଶୁଭାରମ୍ଭ ହୋଇଛି I ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡ଼ା ପଞ୍ଚାୟତ କୁଟନିପଦର ଶୈବପୀଠ ଠାରୁ ଶୁଭାରମ୍ଭ ହୋଇଯାଇଛି ।

ସକାଳୁ ପରମ୍ପରା ମୂତାବକ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସଂସ୍କୃତି ଅଧିକାରି ସୁର୍ଯ୍ୟକାନ୍ତ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଓ ବିଭିନ୍ନ ବ୍ୟକ୍ତି ବିଶେଷ କୋରାପୁଟ ନିଶାଣୀ ମୁଣ୍ଡାରେ ଗ୍ରାମଦେବୀଙ୍କୁ ପୁଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ନିଶାଣିମୁଣ୍ଡା ଠାରୁ ପରବ କମିଟି ସଦସ୍ୟଙ୍କ ସମେତ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ କୁଟନିପଦର ଅଭିମୁଖେ ଯାତ୍ରା କରିଥିଲେ । ପୂର୍ବାହ୍ନ ୧୧ଟା ସମୟରେ କୁଟନିପଦର ଶୈବପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପରବ ମଶାଲ୍ ପ୍ରଜ୍ବଳନ କରା ଯାଇଥିଲା । ଢେମସା ଏବଂ ଆଦିବାସୀ ନୃତ୍ୟର ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ପରବ ଶୁଭାରମ୍ଭ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିବା ପଡିଆକୁ ନିଆଯିବା ପରେ ସେଠାରେ ଜିଲ୍ଲାପାଳ ତଥା ପରବ କମିଟିର ଅଧ୍ୟକ୍ଷ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ବାଗତ ଭାଷଣ ଦେଇଥିଲେ ।

ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ ସାଂସଦ ଝିନ୍ନ ହିକକା, ଜୟରାମ ପାଙ୍ଗି, ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ କୁଟନିପଦର ପଞ୍ଚାୟତ ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, ଲକ୍ଷ୍ମୀପୁର ବ୍ଳକ ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ । ପରବ ଆଦିବାସୀ ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏକ ମାଧ୍ୟମ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।

ଆଦିବାସୀ କଳା ସଂସ୍କୃତି ପରମ୍ପରାକୁ ନେଇ ରାଜ୍ୟରେ କୋରାପୁଟ ଜିଲ୍ଲା ପ୍ରଥମେ ୨୮ ବର୍ଷ ପୂର୍ବେ ଏହି ପରବ ଆରମ୍ଭ କରିଥିଲା ଓ ଏହାପରେ ଅନ୍ୟ ଜିଲ୍ଲା ଗୁଡିକ ପରବକୁ ଅନୁକରଣ କରି ସ୍ଥାନୀୟ ମହୋତ୍ସବ ପାଳନ ଆରମ୍ଭ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପରବ-୨୦୨୫ର ପୋଷ୍ଟର ଉନ୍ମୋଚନ କରାଯାଇଥିବା ବେଳେ ଢେମସା, ଦୁରୁଆ ଏବଂ ଅନ୍ୟାନ୍ୟ ଆଦିବାସୀ ନୃତ୍ୟରେ ଅଞ୍ଚଳଟି କମ୍ପି ଉଠିଥିଲା । ଏହି ଅବସରରେ ଅତିଥି ବୃନ୍ଦ ପ୍ରଶାସନ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ସରକାରୀ ଯୋଜନାର ଷ୍ଟଲ୍ ପରିଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ମ୍ୟୁନିସିପାଲଟି ଚେୟାରମ୍ୟାନ ଲଲାଟ ରଞ୍ଜନ ସେଠୀ, ସୁନାବେଡ଼ା ମ୍ୟୁନିସିପାଲଟି ଚେୟାରମ୍ୟାନ ଡଃ ରାଜେନ୍ଦ୍ର ପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ, ଜୟପୁର ମ୍ୟୁନିସିପାଲଟି ଚେୟାରମ୍ୟାନ ନରେନ୍ଦ୍ର ମହାନ୍ତି, କୋରାପୁଟ ଜିଲ୍ଲାର ସମସ୍ତ ବ୍ଳକ୍ ଅଧ୍ୟକ୍ଷ ସହ ଉପାଧ୍ୟକ୍ଷ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପଜିଲ୍ଲାପାଳ ପ୍ରେମ ଲାଲ ହିଆଲଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ସମାରୋହରେ ଯୋଗ ଦେଇଥିଲେ । କୋରାପୁଟ ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସମାରୋହରେ ୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ଲକ୍ଷ୍ମୀପୁର ଏସଡିପିଓ ମନୋଜ ବେହେରା, ଥାନା ଅଧିକାରୀ ପୋଲିସ ଟିମ୍ ସହ ଉପସ୍ଥିତ ରହି ଖୁବ୍ ସୁନ୍ଦର ଭାବେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଏହା ଆମ ଅଞ୍ଚଳର ସୌଭାଗ୍ୟ ବୋଲି ବର୍ଣ୍ଣନା କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ I