ମାଲକାନଗିରି ୨୬।୧୧ : ଭୁଶୁଡୁଛି ଲାଲ୍ ସଂଗଠନ । ଛତିଶଗଡ଼ରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ଯାହାଙ୍କ ମୁଣ୍ଡ ଉପରେ ଥିଲା ୮୯ ଲକ୍ଷ ଟଙ୍କାର ପୁରସ୍କାର । ନାରାୟଣପୁର ଏସ୍ପି ଓ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ସମ୍ମୁଖରେ ସମସ୍ତ ମାଓବାଦୀ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୯ ଜଣ ମହିଳା ରହିଛନ୍ତି । SLR, ଇନସାସ ଏବଂ ୩୦୩ ବନ୍ଧୁକ ସହ ଏମାନେ ଆତ୍ମସମର୍ପଣ କରିଛନ୍ତି ।

ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ମାଓବାଦୀମାନେ ଲଗାତାର ଆତ୍ମସମର୍ପଣ କରୁଛନ୍ତି । ପୁଣି ଦୁର୍ଦାନ୍ତ ହିଡମାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ବେକଫୁଟକୁ ନେଇଯାଇଛି । ସଂଗଠନରେ ଦୁଇ ଗୋଷ୍ଠୀ ହେବା ସହ କିଏ କାହାକୁ ଆଉ ମାନୁନଥିବା ଜଣାପଡିଛି । ନେତୃତ୍ବ ବିହୀନ ସଂଗଠନ ହୋଇଥିବାରୁ ତଳସ୍ତରର ନକ୍ସଲ ସରକାରଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରୁଛନ୍ତି । ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି । ଗତ ୫୦ ଦିନରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି । ଜଙ୍ଗଲରେ ଏବେ ବି ରହିଯାଇଥିବା ନକ୍ସଲ ପନ୍ଥିଙ୍କୁ ତୁରନ୍ତ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାନ୍ତୁ ବୋଲି ଆଇଜି ସୁନ୍ଦର ରାଜ ଆହ୍ବାନ ଦେଇଛନ୍ତି ।