ADR ରିପୋର୍ଟ; ଚତୁର୍ଥ ପର୍ଯ୍ୟାୟରେ ୩୬୦ ଦାଗୀ ନେତା, ୪୭୬ଜଣ ପ୍ରାର୍ଥୀ କୋଟିପତି

Published By : Prameya-News7 Bureau | May 05, 2024 IST

Business Standard

ନୂଆଦିଲ୍ଲୀ,୫।୫: ଅଷ୍ଟାଦଶ ଲୋକସଭା ନିର୍ବାଚନ ପ୍ରକ୍ରିୟା ଜାରି । ଏପ୍ରିଲ ୧୯ରୁ ଜୁନ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି । ସେଥିରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ମୋଟ୍ ୧୭୧୭ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୦ଜଣ ଦାଗୀ ପ୍ରାର୍ଥୀ ରହିଥିବା ବେଳେ ୪୭୬ଜଣ କୋଟିପତି ଥିବା ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ ରିପୋର୍ଟରୁ ଜଣାପଡିଛି ।

ନାମାଙ୍କନ ଦାଖଲ କରିଥିବା ୧୭୧୭ ପ୍ରାର୍ଥୀଙ୍କ ମଧ୍ୟରୁ ଏଡିଆର ୧୭୧୦ ଜଣଙ୍କ ତଥ୍ୟର ଯାଞ୍ଚ କରିବା ପରେ ଶନିବାର ଏକ ରିପୋର୍ଟ ଜାରି କରିଛି । ସେଥିରେ କୁହାଯାଇଛି କି ୩୬୦ଜଣ ପ୍ରାର୍ଥୀ ଅର୍ଥାତ୍ ୨୧ ପ୍ରତିଶତ ସେମାନଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସତ୍ୟପାଠରୁ ଜଣାଇଛନ୍ତି । ୨୭୪ଜଣ ଅର୍ଥାତ୍ ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୧୭ ଜଣଙ୍କ ବିରୋଧରେ ଦଣ୍ଡାଦେଶ ହୋଇଥିବା ଘୋଷଣା କରିଛନ୍ତି । ୧୧ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଥିଲା ବେଳେ ୩୦ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ୫୦ ପ୍ରାର୍ଥୀଙ୍କ ନାଁରେ ମହିଳା ଶୋଷଣ ମାମଲା ଚାଲୁଛି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ରହିଛି । ସେହିଭଳି ହିଂସା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ୪୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ଏଆଇଏମ୍‌ଆଇଏମ୍‌ର ସମସ୍ତ ୩ ଜଣଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି । ସେହିଭଳି ଶିବସେନାର ୩ରୁ ୨ ଜଣ, ବିଆରଏସ୍‌ର ୧୭ରୁ ୧୦, କଂଗ୍ରେସର ୬୧ରୁ ୩୫, ବିଜେପିର ୭୦ରୁ ୪୦, ଟିଡିପିର ୧୭ରୁ ୯, ବିଜେଡିର ୪ରୁ ୨, ଆରଜେଡିର ୪ରୁ ୨, ଶିବସେନା (ୟୁବିଟି)ର ୪ରୁ ୨, ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୨୫ରୁ ୧୨, ଟିଏମ୍‌ସିର ୮ରୁ ୩ ଏବଂ ସମାଜବାଦୀ ପାର୍ଟିର ୧୯ରୁ ୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଚାଲିଛି । ସେହିଭଳି ୧୭୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରତିଶତ ଅର୍ଥାତ ୪୭୬ ଜଣ ହେଉଛନ୍ତି କୋଟିପତି । ସେମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୬୫ ଜଣ ଅଛନ୍ତି । ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧୧ କୋଟି ୭୨ ଲକ୍ଷ ରହିଛି । 

ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚନ୍ଦ୍ରଶେଖର ପେମାସନି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଲୋକସଭା ଆସନରୁ ସେ ଟିଡିପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କର ମୋଟ୍ ସମ୍ପତ୍ତି ୫, ୭୦୫ କୋଟି ଟଙ୍କା ବୋଲି ସେ ଦର୍ଶାଇଛନ୍ତି । ଦ୍ୱିତୀୟ ଧନୀ ପ୍ରାର୍ଥୀ ତାଲିକାରେ ଅଛନ୍ତି ବିଜେପିର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ । ତେଲଙ୍ଗାନାର ଚେୱଲା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ରେଡ୍ଡୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୪,୫୬୮କୋଟି । ତୃତୀୟ ସ୍ଥାନରେ ଅଛନ୍ତି ଟିଡିପିର ନେଲୋର ପ୍ରାର୍ଥୀ ପ୍ରଭାକର ରେଡ୍ଡୀ । ତାଙ୍କର ସମ୍ପତ୍ତି ପରିମାଣ ୭୧୬ କୋଟି । ଅନ୍ୟପକ୍ଷରେ ୨୪ ପ୍ରାର୍ଥୀ ସେମାନଙ୍କର କୌଣସି ସମ୍ପତ୍ତି ନଥିବା ଦର୍ଶାଇଛନ୍ତି । ସେହିଭଳି ୩ ଜଣ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତିର ପରିମାଣ ୭ଟଙ୍କା, ୮୩ ଟଙ୍କା ଓ ୯୦ ଟଙ୍କା ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।

ସବୁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଦେଖିଲେ ଜଣାପଡିଛି କି ୩୮ ପ୍ରତିଶତ ଅର୍ଥାତ ୬୪୪ ଜଣ ସେମାନଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ବୋଲି ଉଲ୍ଲେଖ କରିଛନ୍ତି । ୫୫ ପ୍ରତିଶତ ଅର୍ଥାତ ୯୪୪ ଜଣ ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତାଠାରୁ ଅଧିକ ବୋଲି କହିଛନ୍ତି । 

  • ADR report
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.