ଭଦ୍ରକ ୬/୫: ଭଦ୍ରକ କାହାର ? ତ୍ରିମୁଖୀ ଲଢେଇରେ କାହାର ପଲା ଭାରି । ମଇଦାନରେ ଭେଟେରାନଙ୍କ ରିଏଣ୍ଟ୍ରି ପରେ ଲଢେଇ ପୁରା ଜୋରଦାର ହେବାକୁ ଯାଉଛି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଟାଣୁଆ ନେତା ପ୍ରଫୁଲ୍ଲ ସାମଲ । କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ । ସେପଟେ ବିଜେପିରୁ ରାଜନୀତିରେ ଫ୍ରେସର ଥିବା ସୀତାଂଶୁ ଶେଖର ମହାପାତ୍ର ନିର୍ବାଚନ ଲଢିବେ । ୩ ଦଳ ଟାଣୁଆ ପ୍ରାର୍ଥୀ ଦେଇ ଲଢେଇକୁ ନୂଆ ମୋଡ ଦେବାକୁ ଯାଉଛନ୍ତି ।
ରାଜନୀତିରେ ଅଭିଜ୍ଞ ପ୍ରଫୁଲ୍ଲ ସାମଲ ଲୋକଙ୍କ ଭୋଟ୍ ଗୋଟାଇବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି । ଗାଁ ଗାଁ ବୁଲି ଲୋକଙ୍କ ସହ କଥା ହେଉଛନ୍ତି । କର୍ମୀ ସମ୍ମିଳନୀ ଓ ଶୋଭାଯାତ୍ରା କରି ନିଜର ଦବ୍ଦବା ଜାହିର କରୁଛନ୍ତି । ବିଜେପି ମଧ୍ୟ ପଛରେ ନାହିଁ । ରାଜନୀତିର ଖଡି ଛୁଇଁନଥିବା ସୀତାଂଶୁ ଶେଖର ମହାପାତ୍ର ଗ୍ରାଉଣ୍ଡରେ ଝାଳନାଳ ହୋଇ ପ୍ରଚାରରେ ମାତିଛନ୍ତି । ସମାଜସେବା ସହ ଜଡିତ ସୀତାଂଶୁକୁ ଭୋଟର ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
ସେପଟେ କଂଗ୍ରେସ ମଧ୍ୟ ଲୋକଙ୍କ ମନ ଜିଣିବାକୁ ବେଶ କସରତ କରୁଛି । ପୂର୍ବତନ ମନ୍ତ୍ରୀ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ନିର୍ବାଚନର ମଙ୍ଗ ଧରି ପ୍ରଚାର ଚଳାଇଛନ୍ତି । ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନର ପ୍ରତିଶୃତି ଦେଉଛନ୍ତି । ଭଦ୍ରକ ଆସନ ହାତେଇବା ପାଇଁ ୩ ପ୍ରମୁଖ ଦଳ ଗୋଟିଚାଳନା କରୁଥିବାବେଳେ ଭୋଟର କାହା ଉପରେ ଭରସା କରିବେ ତାହା ସମୟ କହିବ ।