ଭାଗଭାଗ ହେବ ପାକିସ୍ତାନ, ବିଶେଷଜ୍ଞଙ୍କ ଆକଳନ ଲାଭ କମ କ୍ଷତି ହେବ ଅଧିକ

NEWS7
2-lakhs-compensation-to-the-family-of-deceased-on-behalf-of-crut

ନୂଆଦିଲ୍ଲୀ ୯।୧୨: ପାକିସ୍ତାନ ଓ ବିଭାଜନ କଥା ଶୁଣିଲେ ମନକୁ ସ୍ୱତଃ ୧୯୭୧ କଥା ମନେ ପଡିଯାଏ। ଏଥିରେ ଇସ୍ଲାମୀ ଗଣରାଜ୍ୟ ବିଭାଜିତ ହୋଇଥିଲା ଓ ନିଜର ପୂର୍ବପ୍ରାନ୍ତ ଅର୍ଥାତ ପୂର୍ବ ପାକିସ୍ତାନକୁ ହରାଇଥିଲା। ହେଲେ ଏବେ ଯେଉଁ ବିଭାଜନର ଚର୍ଚ୍ଚା ହେଉଛି ତାହା ଅଲଗା ପ୍ରକାରର। ଏହା ସେହି ବିଭାଜନ ଯେଉଁଥିରେ ଏବେକା ପାକିସ୍ତାନ ଶାସନ ଆକ୍ରାମକ ରୂପେ ଆଗକୁ ବଢୁଛି। ପାକିସ୍ତାନର ସଂଘୀୟ ସଞ୍ଚାର ମନ୍ତ୍ରୀ ଅବଦୁଲ ଅଲୀମ ଖାନ କହିଛନ୍ତି ଯେ ନିଶ୍ଚିତ ରୂପେ ଛୋଟଛୋଟ ପ୍ରାନ୍ତ ଗଢାଯିବ। ଏଥି ପାଇଁ ସେ ଯେଉଁ ତର୍କ ଦେଇଛନ୍ତି ତାହା ହେଉଛି ଏହି ପଦକ୍ଷେପ ଦ୍ୱାରା ଶାସନ ଓ ସେବା ବିତରଣରେ ସୁବିଧା ହେବ।

ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ପ୍ରାନ୍ତମାନଙ୍କ ଆଉ ଅଧିକ ବିଭାଜନ ଲାଭ ବଦଳେ କ୍ଷତିର କାରଣ ହେବ। ଦୀର୍ଘ ଦଶନ୍ଧୀ ଧରି ପାକିସ୍ତାନୀ ସଂଘରେ ଆହୁରି ଅଧିକ ପ୍ରାନ୍ତଙ୍କୁ ଯୋଡିବା ନିମନ୍ତେ ପ୍ରସ୍ତାବ ଉପରେ ବିତର୍କ ହେଉଛି। ୧୯୪୭ରେ ପାକିସ୍ତାନ ଗଠନ କାଳରେ ଦେଶରେ ମୋଟ ୫ଟି ପ୍ରାନ୍ତ ଥିଲେ। ତେବେ ୧୯୭୧ ମୁକ୍ତି ସଂଗ୍ରାମ ପରେ ଏଥିରେ ଥିବା ପୂର୍ବ ବଙ୍ଗ ନିଜକୁ ସ୍ୱାଧୀନ ଘୋଷଣା କରିଥିଲା ଓ ଏହା ବାଂଲାଦେଶରେ ପରିଣତ ହୋଇଥିଲା। ସହିପରି ପଶ୍ଚିମ ପଞ୍ଜାବ ପଞ୍ଜାବରେ ପରିଣତ ହୋଇଥିଲା ଓ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରାନ୍ତର ନାଁ ବଦଳାଇ ଖୈବର ପୁକ୍ତନଖ୍ୱା କରିଦିଆଯାଇଥିଲା। ହେଲେ ସିନ୍ଧ ଓ ବଲୁଚିସ୍ତାନ ଅପରିବର୍ତ୍ତି ଥିଲେ।

ଏଥିରେ ପାକିସ୍ତାନକୁ ପ୍ରଶାସନିକ ସ୍ତରରେ ଆହୁରି ବିଭାଜନ କରିବା ଲାଗି ପଦକ୍ଷେପ ଏପରି ସମୟରେ ନିଆଯାଉଛି ଯେତେବେଳେ ଫିଲ୍ଡ ମାର୍ଶଲ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କୁ ବଲୁଚିସ୍ତାନ ଓ ଖୈବର ପୁକ୍ତନଖ୍ୱାରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ପାକିସ୍ତାନୀ ଦୈନିକ ‘ଡନ’ ର ଏକ ରିପୋର୍ଟ ଅନୁସାରେ ଅବଦୁଲ ଅଲିମ ଖାନଙ୍କ ବୟାନ ପାକିସ୍ତାନରେ ପ୍ରାନ୍ତଙ୍କ ସଂଖ୍ୟା ବଢାଇବାକୁ ବିଚାର ଉପରେ ସେମିନାର, ମିଡିଆ ଚର୍ଚ୍ଚା ପରେ ଆସିଛି।

ଏକ ସମ୍ମିଳନୀକୁ ସମ୍ବୋଧିତ କରି ଇସ୍ତେହକାମ-ଏ-ପାକିସ୍ତାନ ପାର୍ଟି (ଆଇପିପି) ନେତା ଅବଦୁଲ ଅଲିମ ଖାନ କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁ ପ୍ରଶାସନିକ ନିୟନ୍ତ୍ରଣ କୁ ମଜଭୁତ କରାଯିବା ସହିତ ନାଗରିକଙ୍କୁ ଉନ୍ନତ ସୁବିଧା ସୁଯୋଗ ଦେବାକୁ ସହାୟତା ମିଳିବ। ସେ କହିଛନ୍ତି ଯେ ସିନ୍ଧ, ପଞ୍ଜାବ, ବଲୁଚିସ୍ତାନ ଓ ଖୈବର ପୁକ୍ତନଖ୍ୱା ପ୍ରତ୍ୟେକ ୩ଟି ଲେଖାଏଁ ପ୍ରାନ୍ତରେ ପରିଣତ ହେବେ। କେବଳ ପାକିସ୍ତାନ ନୁହେଁ ଆମ ଆଖପାଖରେ ଥିବା ଦେଶମାନଙ୍କରେ ମଧ୍ୟ ଏପରି ଅନେକ ଛୋଟଛୋଟ ପ୍ରାନ୍ତ ଅଛନ୍ତି।

ତେବେ ଅଭିଜ୍ଞ ପାକିସ୍ତାନୀ ବ୍ୟୁରୋକ୍ରାଟ ତଥା ବରିଷ୍ଠ ପୋଲିସ ଅଧିକାରୀ ସୟଦ ଅଖ୍ତର ଅଲି ଶାହ କହିଛନ୍ତି ଯେ ଏପରି ପ୍ରସ୍ତାବ ନିମନ୍ତେ ସାବଧାନତା ପୂର୍ବକ ସାମ୍ବିଧାନିକ, ପ୍ରଶାସନିକ ଓ ଐତିହାସିକ ସମୀକ୍ଷାର ଆବଶ୍ୟକତା ରହିଛି। ସେ ତର୍କ ଦେଇଛନ୍ତି ଯେ ପାକିସ୍ତାନ ଦୀର୍ଘ ସମୟରୁ ଆୟୁବ ଖାନଙ୍କ ଦୁଇ ପ୍ରାନ୍ତୀୟ ବ୍ୟବସ୍ଥାରୁ ଆରମ୍ଭ କରି ଗଣତନ୍ତ୍ର ପର୍ଯ୍ୟନ୍ତ ବିଭିନ୍ନ ଶାସନ ମଡେଲ ସହିତ ପରୀକ୍ଷଣ କରିଛି। ହେଲେ ଏଥିରେ ପ୍ରାୟତଃ ଅଭିଯୋଗର ସମାଧାନ ହେବା ବଦଳେ ଆହୁରି ଅଧିକ ଜଟିଳ ହୋଇଯାଇଛି।

ସେ କହିଛନ୍ତି ଅସଲି ସମସ୍ୟା ଦୁର୍ବଳ ସଂସ୍ଥା, ଅସମାନ ଆଇନ ପ୍ରବର୍ତ୍ତନ ଓ ଖରାପ ସ୍ଥାନୀୟ ଶାସନରେ ରହିଛି। ଏହି ସଂରଚନାତ୍ମକ ଅଭାବକୁ ଦୂର ନ କରି ନୂଆ ପ୍ରୋଭିନ୍ସ ଗଢିଦେଲେ ଅସମାନତା ଆହୁରି ବଢିବ। ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନରେ ଅଖ୍ତାର ଅଲୀ ଶାହ ଲେଖିଛନ୍ତି ଯେ ‘ପାକିସ୍ତାନ ଆଗରେ ମୁଖ୍ୟ ପ୍ରସଙ୍ଗ ପ୍ରୋଭିନ୍ସ ସଂଖ୍ୟା ନୁହେଁ ବରଂ ଶାସନରେ ଥିବା ଅଭାବ, ଯାହା ଆଇନର ଶାସନ ସହିତ ଗଭୀର ଭାବେ ଜଡିତ। ଦୁର୍ବଳ ସଂସ୍ଥା, ଅସମାନ ପ୍ରବର୍ତ୍ତନ ଓ ଉତ୍ତରଦାୟିତ୍ୱର ଅଭାବ ରାଜ୍ୟର କାର୍ଯ୍ୟକ୍ଷମତାକୁ ଦୁର୍ବଳ କରୁଛି। କେବଳ ପ୍ରୋଭିନ୍ସ ସଂଖ୍ୟା ବଢିଗଲେ ଏହି ମୂଳ ସମସ୍ୟାର ସମାଧାନ ହେବ ତା ନୁହେଁ ବରଂଏହା ଦ୍ୱାରା ସମସ୍ୟା ଆହୁରି ବଢିଯିବ’।

ପାକିସ୍ତାନ ଥିଙ୍କ ଟ୍ୟାଙ୍କ ପିଲଦାତର ଅଧ୍ୟକ୍ଷ ଅହମଦ ବିଲାଲ ମହବୁବ କହିଛନ୍ତି ଯେ ପ୍ରଶାସନିକ ପୁନର୍ଗଠନର ପିଛିଲା ପ୍ରୟୋଗ ଅଭିଯୋଗକୁ ଜଟିଳ କରିଛି। ସେ କହିଛନ୍ତି ନୂଆ ପ୍ରୋଭିନ୍ସର ଗଠନ ମହଙ୍ଗା, ଜଟିଳ ଓ ରାଜନୈତିକ ରୂପେ ଅଧିକ ଜଟିଳ ହେବ। ଦେନିକ ‘ଡନ’ରେ ସେ ଲେଖିଛନ୍ତି ଯେ ବଡ଼ ପ୍ରୋଭିନ୍ସ ବଡ଼ ପ୍ରସଙ୍ଗ ନୁହେଁ ଯେତିକି ସ୍ଥାନୀୟ ସ୍ତରରେ ଶକ୍ତି ହସ୍ତାନ୍ତରଣର ଅଭାବ ରହିଛି। ଶାହ ଓ ଅନ୍ୟ ଲୋକଙ୍କ କହିବା କଥା ହେଉଛି ଏବେ ସରକାରଙ୍କ ଧ୍ୟାନ ଏବେକା ପ୍ରଶାସନିକ ପ୍ରଭାଗଙ୍କୁ ସଶକ୍ତ କରିବା ଓ ସମ୍ବିଧାନ ଅନୁସାରେ ସ୍ଥାନୀୟ ସରକାରଙ୍କୁ ମଜଭୁତ କରିବାରେ କେନ୍ଦ୍ରିତ ହେବା କଥା। ହେଲେ ପାକିସ୍ତାନ ପ୍ରୋଭିନ୍ସ ଅଲଗା କରିବା ଲାଗି ନୂଆ ବିଭାଜନ ବିଚାର ସହିତ ଆଗକୁ ବଢୁଛି।