ବାଙ୍କୀ: ଗତ ୪ ତାରିଖରେ ବାଙ୍କୀ ବଜାରରୁ ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ବାଙ୍କୀ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସିକାର ପାକ୍ରପଲ୍ଲୀ ଗାଁର ଏମ ମୁନା। ଅନ୍ୟ ଜଣେ ଅଭିଯୁକ୍ତ ଛତିଶଗଡ଼ ରାୟପୁରର ରମନ ଫେରାର ଅଛି। ଏମ୍ ମୁନା ଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।
ସୂଚନାଥାଉକି, ଗତ ଏପ୍ରିଲ ୪ ତାରିଖରେ ବୈଦେଶ୍ଵର ଥାନା ଅନ୍ତର୍ଗତ କନ୍ତକାଇ ଗ୍ରାମର ରୁଦ୍ର ମୋହନ ଭାଟ ବାଙ୍କୀ ବଜାରରେ ନିଜ ଗାଡ଼ି ରଖି ପରିବା କିଣୁଥିଲେ। ଏହାର ସୁଯୋଗ ନେଇ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଲୁଟେରା ୨ ଲକ୍ଷ ଟଙ୍କା ନେଇଯାଇଥିଲା।
ତେବେ ଏନେଇ ରୁଦ୍ର ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ତଦନ୍ତ କ୍ରମେ ଏମ୍ ମୁନାର ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା। ଶେଷରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ବାଙ୍କୀର ଏକ ତିନିଜଣିଆ ପୋଲିସ ଟିମ୍ ଗଞ୍ଜାମ ଯାଇ ଏମ୍ ମୁନାକୁ ଗିରଫ କରିଥିଲେ।