ନୂଆଦିଲ୍ଲୀ: ଆଇପିଏଲ ୨୦୨୫। ଅନେକ ଦୃଷ୍ଟିରୁ ଖାସ୍। ନୂଆ ଚାମ୍ପିଆନ, ଲମ୍ବା ଅପେକ୍ଷା, ବଡ଼ ସ୍ୱପ୍ନ ତାସାଙ୍ଗକୁ ତାରିଖ ଓ ରେକର୍ଡ। ଲକି ନଂ ୧୮ ମାନେ ଶୁଭ ସଂଖ୍ୟା ୧୮ । ଏହା ସଂଯୋଗ ହୋଇପାରେ କିମ୍ବା ଭାଗ୍ୟ ବି। ଯାହାବି ହେଉ ଚର୍ଚ୍ଚାରେ ୧୮। ପ୍ରଥମଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହୋଇଛି ଚାମ୍ପିଆନ୍ । ଫାଇନାଲରେ ଏହା ପଞ୍ଜାବକୁ ୬ ରନରେ ପରାସ୍ତ କରିଛି। କିନ୍ତୁ ଚଳିତ ସିଜିନରେ ୧୮ ନମ୍ବର ସହ ରହିଛି ଖାସ୍ କନେକ୍ସନ। ୧୮ ଲକି ନଂ ସାବ୍ୟସ୍ତ ହୋଇଛି। କାହିଁକି ନା ଇଏ ୧୮ ତମ ସିଜିନ୍, ବିରାଟଙ୍କ ୧୮ ନଂ ଜର୍ସି ସୌଭାଗ୍ୟବଶତଃ ତାରିଖ ୩.୦୬.୨୦୨୫ ମିଶି ହେଉଛି ୧୮। ବିରାଟଙ୍କ ରନ୍ ୬୫୭ ମିଶି ହେଲା ୧୮। ସେମିତି IPLର ୧୮ ରେକର୍ଡ ଯାହା କେବେ ହୋଇନଥିଲା ସେମିତି ପ୍ରଥମ ଥର ପାଇଁ, ଜଣେ ବ୍ୟାଟସମ୍ୟାନ ଯିଏ ଓପନର ନୁହେଁ, ସିଏ ୭୦୦ରୁ ଅଧିକ ରନ କରିଛନ୍ତି। ପ୍ରଥମ ଥର ପାଇଁ, ଜଣେ ଖେଳାଳି ଦୁଇଟି IPL ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିଛନ୍ତି। ଆସନ୍ତୁ ଦେଖିବା ୧୮ ତମ ସିଜିନରେ ସେହି ୧୮ଟି ବିଶେଷ କୃତି ଯାହା ଏପର୍ଯ୍ୟନ୍ତ IPL ଇତିହାସରେ କେବେ ହୋଇନଥିଲା। ହଁ ଠିକ୍ କହିଲି ଚଳିତ ବର୍ଷ ଆଇ ପିଏଲ୍ ସିଜିନ୍ ଖାସ୍ ନୁହେଁ... ବହୁତ ଖାସ୍... ନଜର ପକାଇବା ସେହି ୧୮ଟି ରେକର୍ଡ ଉପରେ....
-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଲା। ଏହା ପୂର୍ବରୁ, ସେମାନେ 3 ଥର ଫାଇନାଲରେ ପହଞ୍ଚିଥିଲେ କିନ୍ତୁ ତିନିଥର ପରାଜୟର ସାମ୍ନା କରିବାକୁ ପଡିଥିଲା।
-ଏହି ସିଜିନରେ ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ମଧ୍ୟ ମିଳିଛି। ୧୪ ବର୍ଷ ୨୩ ଦିନ ବୟସରେ, ବୈଭବ ସୂର୍ଯ୍ୟବଂଶୀ ୧୯ ଏପ୍ରିଲ ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଲକ୍ଷ୍ନୌସୁପରଜାଏଣ୍ଟସ ବିପକ୍ଷରେ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ। ସେ ଆଇପିଏଲ ଡେବ୍ୟୁ କରିଥିବା ଏପର୍ଯ୍ୟନ୍ତର ସବୁଠାରୁ କନିଷ୍ଠ ଖେଳାଳି। ସେ ଏପର୍ଯ୍ୟନ୍ତ ଏକମାତ୍ର ଖେଳାଳି ଯିଏ ୨୦୦୮ରେ ଆଇପିଏଲ ଆରମ୍ଭ ହେବା ପରେ ଜନ୍ମଗ୍ରହଣ କରିଥିଲେ । ଆଉ ସବୁଠୁ ବଡ଼ କ୍ରିକେଟ ଲିଗରେ ମଧ୍ୟ ଖେଳୁଛନ୍ତି।
-ଏହି ସିଜିନରେ, ବିରାଟ କୋହଲି ଆଇପିଏଲ ଇତିହାସରେ ୧୦୦୦ରୁ ଅଧିକ ବାଉଣ୍ଡାରୀ ମାରିଥିବା ପ୍ରଥମ ବ୍ୟାଟସମ୍ୟାନ୍ ହୋଇଥିଲେ। ସେ ସର୍ବାଧିକ ଚୌକା ମାରିବାର ରେକର୍ଡ କରିଛନ୍ତି।
- IPL 2025 ସମୟରେ ହୋଇଛି ମୋଟ ୬୩ଟି ଅର୍ଦ୍ଧଶତକ। IPL ଇତିହାସରେ ପ୍ରଥମ ଥର ପାଇଁ, ଗୋଟିଏ ସିଜିନରେ ଏତେ ଅର୍ଦ୍ଧଶତକ ହୋଇଛି। କେବଳ ଏତିକି ନୁହେଁ, ଖେଳାଳୀମାନେ ୭୧ ଥର ୫୦+ ସ୍କୋର କରିଥିଲେ। ଏହା ମଧ୍ୟ ଏକ ରେକର୍ଡ।
- ବୈଭବ ସୂର୍ଯ୍ୟବଂଶୀ କେବଳ ସବୁଠାରୁ କମ ବୟସର ଖେଳାଳି ନୁହଁନ୍ତି, ସେ IPLରେ ଶତକ ମାରିଥିବା ସବୁଠାରୁ କମ ବୟସର ବ୍ୟାଟସମ୍ୟାନ ମଧ୍ୟ। ସେ ୧୪ ବର୍ଷ ୩୧ ଦିନ ବୟସରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ କରିଥିଲେ। ଏହା ପରେ ସେ କ୍ରିକେଟର ନୂଆ ସେନସେସନ ଭାବରେ ଉଭା ହୋଇଥିଲେ। ପ୍ରଥମ ଥର ପାଇଁ ଏତେ କମ ବୟସରେ କେହି IPL ଶତକ କରିଛନ୍ତି।
- ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୫ ବଲ୍ରେ ଶତକ କରି IPLରେ କୌଣସି ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକର ରେକର୍ଡ ମଧ୍ୟ କରିଥିଲେ। ପ୍ରଥମ ଥର ପାଇଁ ୧୫ ବର୍ଷରୁ କମ୍ ବୟସର ଜଣେ ବ୍ୟାଟ୍ସମ୍ୟାନ୍ IPLରେ ଶତକ ହାସଲ କରିଛନ୍ତି ଏବଂ ସେ ଭାରତୀୟ ବ୍ୟାଟର ଭାବେ ୩୫ ବଲରେ ଦ୍ରୁତତମ ଶତକ ହାସଲ କରିଛନ୍ତି।
-ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ଏହି ସିଜିନରେ ୧୬ ମ୍ୟାଚରେ ୭୧୭ ରନ୍ କରିଛନ୍ତି । IPL ଇତିହାସରେ ପ୍ରଥମ ଥର ପାଇଁ, ଇନିଂସ୍ ଓପନ କରୁନଥିବା ଜଣେ ବ୍ୟାଟ୍ସମ୍ୟାନ୍ ଗୋଟିଏ ସିଜିନ୍ରେ ୭୦୦ରୁ ଅଧିକ ରନ୍ କରିଛନ୍ତି।
-IPL ଇତିହାସରେ ଏହା ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ୧୦ମ ସ୍ଥାନରେ ରହିଛି। ଏହି ସିଜିନ୍ ୫ ଥର IPL ଚାମ୍ପିଅନ୍ ଦଳ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ।
-ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ୧୨ ଏପ୍ରିଲରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୫୫ ବଲ୍ ରେ ୧୪୧ ରନର ଶତକୀୟ ପାରି ଖେଳିଥିଲେ। ଏହା IPL ଇତିହାସରେ କୌଣସି ଭାରତୀୟ ଖେଳାଳିଙ୍କ ଦ୍ୱାରା ସର୍ବାଧିକ ସ୍କୋର।
-IPL 2025 ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ କମ୍ ବୟସ୍କ ଅରେଞ୍ଜ କ୍ୟାପ୍ ବିଜେତା ମିଳିଛି। ୨୩ ବର୍ଷ, ୭ ମାସ ଏବଂ ୧୯ ଦିନ ବୟସରେ, ସାଇ ସୁଦର୍ଶନ ଅରେଞ୍ଜ କ୍ୟାପ୍ ଜିତିଥିଲେ। ସେ ଗୁଜରାଟ ଟାଇଟାନ୍ସ ପାଇଁ ୧୫ ମ୍ୟାଚ୍ ରେ ୭୫୯ ରନ୍ କରିଥିଲେ।
- IPL ଇତିହାସରେ ପ୍ରଥମ ଥର ଜଣେ ଖେଳାଳି ଗୋଟିଏରୁ ଅଧିକ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। ମଙ୍ଗଳବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ RCB ର ଟାଇଟଲ୍ ବିଜୟରେ, କୃଣାଲ୍ ପାଣ୍ଡ୍ୟା ମାତ୍ର ୧୭ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଏହା ପୂର୍ବରୁ, ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି, ସେ ଫାଇନାଲରେ ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ବିପକ୍ଷରେ ୩୮ ବଲରେ ୪୭ ରନ୍ କରିଥିଲେ ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
-ପଞ୍ଜାବ କିଙ୍ଗ୍ସର ଶ୍ରେୟାସ ଆୟର IPL ଇତିହାସରେ ପ୍ରଥମ ଖେଳାଳି ହୋଇଥିଲେ ଯିଏ ତାଙ୍କ ଅଧିନାୟକତ୍ୱରେ ୩ଟି ଭିନ୍ନ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ।
-ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ଯେ କୌଣସି ଖେଳାଳି ଲଗାତାର ୨ଟି ଫାଇନାଲରେ ସ୍କୋର କରିଛନ୍ତି। ଏହି ସଫଳତା ମଧ୍ୟ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟରଙ୍କ ନାରେ ଥିଲା। ଗତ ଥର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ଟାଇଟଲ ଜିତିଥିଲା।
-ଆଇପିଏଲ ୨୦୨୫ରେ ଜଣେ ବୋଲରଙ୍କ ଦ୍ଵାରା ସର୍ବାଧିକ ଛକା ଖାଇବାର ଅଲୋଡା ରେକର୍ଡ ସୃଷ୍ଟି ହୋଇଛି। ରସିଦ ଖାନ ଏହି ସିଜିନରେ ୧୫ଟି ମ୍ୟାଚ୍ ଖେଳିଥିଲେ ଏବଂ ତାଙ୍କ ବଲ୍ ଉପରେ ମୋଟ ୩୩ଟି ଛକା ମରାଯାଇଛି।
-ଆଇପିଏଲରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି କେଏଲ ରାହୁଲ। ସେ ତିନୋଟି ଭିନ୍ନ ଭିନ୍ନ ଦଳ ପକ୍ଷରୁ ଖେଳି ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ସେ ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ପାଇଁ୨ଟି ଶତକ ହାସଲ କରିଥିଲେ। ଏଥର ସେ ୧୮ ମଇରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶତକ ହାସଲ କରିଥିଲେ।
-ଏହି ସିଜିନରେ RCB ବେଙ୍ଗାଲୁରୁ ବାହାରେ ସମସ୍ତ ୭ଟି ମ୍ୟାଚ୍ ଜିତିଛି। IPL ଇତିହାସରେ ପ୍ରଥମ ଥର ପାଇଁ, ଏକ ଦଳ ଘରୋଇ ଷ୍ଟାଡିୟମ ବାହାରେ ସମସ୍ତ ମ୍ୟାଚ୍ ଜିତିଛି।
-IPL ଇତିହାସରେ ଏହା ପ୍ରଥମ ଥର ପାଇଁ କୌଣସି ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ୨୦୦+ ଲକ୍ଷ୍ୟକୁ ସଫଳତାର ସହ ପିଛା କରିଛି। ଏହି ସଫଳତା ପଞ୍ଜାବ କିଙ୍ଗ୍ସ ଦ୍ୱାରା ଭ୍ୟାଲି ଫାୟାର୨ରେ ହାସଲ କରାଯାଇଥିଲା।
-ଇତିହାସରେ ପ୍ରଥମ ଥର ପାଇଁ, ଏକ ଦଳ ୧୫୦ରୁ ଅଧିକ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଏହି ରେକର୍ଡ ଏହି ସିଜିନରେ ହୋଇଛି ଏବଂ ସେହି ଦଳର ନାମ ମୁମ୍ବାଇ ଇଣ୍ଡିଆନ୍ସ।