LIVE TV

ଛତିଶଗଡ଼ରେ ୧୬ ନକ୍ସଲଙ୍କ ଆତ୍ମସମର୍ପଣ, ଜଣକ ମୁଣ୍ଡରେ ରହିଛି ୭୦ ଲକ୍ଷ ଟଙ୍କାର ପୁରସ୍କାର

NEWS7
PIB

ନାରାୟଣପୁର ୮।୧୦: ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁରରେ ବୁଧବାର ପୋଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲାରେ ଜାରି ନକ୍ସଲ ଉନ୍ମୁଳନ ଅଭିଯାନରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଜଣେ ନକ୍ସଲ ଅଛନ୍ତି ଯାହାଙ୍କ ମୁଣ୍ଡ ଉପରେ ସରକାରଙ୍କ ୭୦ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଏଥିରେ ୯ ଜଣ ପୁରୁଷ ଓ ୭ ଜଣ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡର ସ୍ତରର ନକ୍ସଲ ମଧ୍ୟ ଅଛନ୍ତି। ନାରାୟଣପୁର ପୋଲିସ ଅଧିକ୍ଷକ ରବିନସନ ଗୁଡିଆ ଏହି ଖବର ପୁଷ୍ଟି କରିଛନ୍ତି।  

ଏସପି କହିଛନ୍ତି ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଦୀର୍ଘ ସମୟରୁ ପୋଲିସ ଓ ସୁରକ୍ଷା ବଳଙ୍କ ନିମନ୍ତେ ଚିନ୍ତାର କାରଣ ଥିଲେ। ଏମାନେ ସମସ୍ତେ ଅଲଗା ଅଲଗା ନକ୍ସଲ ଗୋଷ୍ଠୀରେ ଥିଲେ ଓ ନାରାୟଣପୁର, ଅବୁଝମାଡ଼, ଓର୍ଛା ଏବଂ ବସ୍ତର କ୍ଷେତ୍ରରେ ସକ୍ରିୟ ଥିଲେ। ସୂତ୍ର ଅନୁସାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଦୀର୍ଘ ବର୍ଷରୁ ଗ୍ରାମୀଣ ବିକାଶ କାର୍ଯ୍ୟ ଉପରେ ଆକ୍ରମଣ, ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ହତ୍ୟା ଭଳି ଗୁରୁତର ମାମଲାରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ କେତେକଙ୍କ ଉପରେ ଛତିଶଗଡ଼ ସରକାର ଲକ୍ଷଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

ତେବେ ନକ୍ସଲମାନେ ଆତ୍ମସମର୍ପଣ ପାଇଁ ଯେଉଁ କାରଣ କହିଛନ୍ତି ତାହା ହେଉଛି ସରକାର ଚଳାଇଥିବା ପୁନର୍ବାସ ନୀତି ଓ ସାମାଜିକ ମୁଖ୍ୟଧାରାକୁ ଫେରିବା। ପୋଲିସ ଅଧିକାରୀଙ୍କ ଅନୁସାରେ ଜଙ୍ଗଲରେ ବଢୁଥିବା ଚାପ, ସୁରକ୍ଷା ବଳଙ୍କ ସକ୍ରିୟତା ଓ ଲୋକଙ୍କ ନିକଟକୁ ବିକାଶ କାର୍ଯ୍ୟ ପହଞ୍ଚିବା ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଛାଡିବାକୁ ବାଧ୍ୟ କରିଛି। ଏସପି ରବିନସନ ଗୁଡିଆ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ସବୁ ନକ୍ସଲଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ ନୀତିରେ ସହାୟତା ଓ ସୁରକ୍ଷା ଉଭୟ ପ୍ରଦାନ କରାଯିବ।

ସେ ଏହା ମଧ୍ୟ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ସବୁ ନକ୍ସଲଙ୍କୁ ଡକାଇ ପଚରା ଉଚରା କରାଯିବ। ଏହା ଦ୍ୱାରା ରାଜ୍ୟରେ ସେମାନଙ୍କ ସଙ୍ଗଠନର ସ୍ଥିତି ଓ ନେଟୱାର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ। ବସ୍ତର ରେଞ୍ଜ ପାଇଁ ଏହା ଏକ ବଡ଼ ସଫଳତା ମନେ କରାଯାଉଛି। କାରଣ ଗତ କିଛିମାସ ହେଲା ପୋଲିସ ଓ ସିଆରପିଏଫ ନକ୍ସଲଙ୍କ ବିରୋଧରେ କେତେକ ସଫଳ ଅଭିଯାନ ଚଳାଇଥିଲେ। ଏଥିରେ ନକ୍ସଲଙ୍କ ଅନେକ ବଡ଼ ବଡ଼ ଆଡ୍ଡା ଧ୍ୱଂସ୍ତ ହୋଇଥିଲା।