News7 Logo

ଉପରାଷ୍ଟ୍ରପତି ନିର୍ବାଚନରେ ୧୪ ନୁହନ୍ତି ୧୫ ସାଂସଦ କରିଛନ୍ତି କ୍ରସ ଭୋଟିଂ, ‘ବିଶ୍ୱାସ ଘାତକ’ଙ୍କୁ ଖୋଜୁଛନ୍ତି ବିରୋଧୀ ଦଳ

NEWS7
Vote counting

ନୂଆଦିଲ୍ଲୀ ୧୦।୯: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ବିଜୟ ସୁନିଶ୍ଚିତ ଥିଲା। ତେବେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ଅସଲୀ ଝଟକା ନିଜ ଭୋଟ ବ୍ୟାଙ୍କରୁ ଲାଗିଛି। ବିରୋଧୀ ଦଳଙ୍କ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ମାତ୍ର ୩୦୦ଟି ଭୋଟ ମିଳିଛି। ତେବେ ବିରୋଧୀ ଦଳ ୩୧୫ ଭୋଟ ଆକଳନ କରିଥିଲେ। ଇଂରାଜୀ ସମ୍ବାଦପତ୍ର ‘ଦି ଇକୋନମିକ୍ସ ଟାଇମ୍ସ’ ମୁତାବକ ବି.ସୁଦର୍ଶନ ରେଡ୍ଡୀଙ୍କୁ ୩୧୫ରୁ ୩୨୪ଟି ଭୋଟ ମିଳିବ ବୋଲି ବିରୋଧୀ ଦଳଙ୍କର ଆକଳନଥିଲା।

ତେବେ ଭୋଟ ଗଣତି ଫଳାଫଳରୁ ବିରୋଧୀ ଦଳଙ୍କ ପଟରୁ ୧୫ଟି ଭୋଟ ଏନଡିଏ ଆଡକୁ ଯାଇଥିବା ଜଣାପଡିଛି। ତେବେ କିଛି ଭୋଟକୁ ଗଣନା ବେଳେ ଜାଣିଶୁଣି ଅବୈଧ ଘୋଷଣା କରାଯାଇଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ଫଳାଫଳ ଆସିବା ପରେ ବିରୋଧୀ ଦଳରେ ଏବେ ‘ବିଶ୍ୱାସଘାତକ’ଙ୍କୁ ଖୋଜିବା ଆରମ୍ଭ ହୋଇଯାଇଛି। ଏଥିରେ ଆମ ଆଦମୀ ପାର୍ଟି, ଶିବସେନା (ୟୁବିଟି) ତଥା ଏନସିପି (ଶରଦ) ପାର୍ଟି ଉପରେ ସବୁଠୁ ଅଧିକ ଅଙ୍ଗୁଳି ଉଠୁଛି। ଏହା ଛଡା ରାଜସ୍ଥାନର ଜଣେ ସାଂସଦ ଓ ତାମିଲନାଡୁରୁ ମିଳିଥିବା ଭୋଟ ଉପରେ ମଧ୍ୟ ସନ୍ଦେହ କରାଯାଉଛି।

ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଜାରି ହୋଇ ନଥାଏ। ଏଣୁ ସାଂସଦଙ୍କ ନିମନ୍ତେ କ୍ରସ ଭୋଟିଂ ସହଜ ହୋଇଛି। ଭୋଟଦାନ ପରେ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ ଏକ୍ସ ରେ ଲେଖିଥିଲେ ଯେ ବିରୋଧୀ ଦଳର ୧୦୦% ଉପସ୍ଥିତି ରହିଛି ଓ ୩୧୫ଟି ଭୋଟ ପଡିବ। ତେବେ ଫଳାଫଳ ଆସିବାର ଘଣ୍ଟାକ ମଧ୍ୟରେ ବିରୋଧୀଙ୍କ ମେଳି ଭୁଶୁଡିପଡିଥିବା ଦେଖାଯାଇଛି। ବିରୋଧୀ ଦଳ ଭାବୁଥିଲେ ଏହି ନିର୍ବାଚନ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାକୁ ପ୍ରଦର୍ଶନ କରିବ। କିନ୍ତୁ ଫଳାଫଳ ଓଲଟା ହୋଇଛି।

ଏହି ନିର୍ବାଚନରେ ମୋଟ ୭୮୧ ଭୋଟର ଥିଲେ। ଏମାନଙ୍କ ମଧ୍ୟରୁ ୭୬୭ ଭୋଟର ଭୋଟ ଦାନ କରିଛନ୍ତି। ଭୋଟ ଗଣନାରେ ୭୫୨ ବୈଧ ଓ ୧୫ଟି ଭୋଟ ଅବୈଧ ମିଳିଥିଲା। ଏହି ପରିଭାବେ କୌଣସି ପ୍ରାର୍ଥୀଙ୍କ ବିଜୟ ନିମନ୍ତେ ୩୭୭ଟି ଭୋଟର ଆବଶ୍ୟକତା ଥିଲା। ବିରୋଧୀ ଦଳଙ୍କ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ କେବଳ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଛି।