LIVE TV

ହିମାଚଳରେ ବଡ଼ ଅଘଟଣ, ପାହାଡ଼ରୁ ପଥର ଖସି ପଡ଼ିଲା ବସ୍ ଉପରେ; ୧୫ ମୃତ ଦେହ ଉଦ୍ଧାର

NEWS7
land slide

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଜାରି ମୂଷଳଧାରା ବର୍ଷା ମଧ୍ୟରେ ବିଲାସପୁର ଜିଲ୍ଲାରେ ମଙ୍ଗଳବାର ସଂଧ୍ୟାରେ ବଡ଼ ଅଘଟଣ ଘଟିଛି । ଝଣ୍ଡୁତା ଉପଖଣ୍ଡର ବର୍ଥୀ କ୍ଷେତ୍ରର ଭଲ୍ଲୁ ସେତୁ ନିକଟରେ ଏକ ଘରୋଇ ବସ୍ ଭୂସ୍ଖଳନର ଶିକାର ହୋଇଛି । ପ୍ରବଳ ବର୍ଷା ପରେ ହଠାତ୍ ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଅତଡା ଖସି ଆସି ବସ୍ ଉପରେ ପଡ଼ିଥିଲା । ଏହି ସମୟରେ ବସରେ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଖବର ସାମନାକୁ ଆସିଛି । ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଖୋଜିବା କରିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।

ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକ ରେସ୍ୟୁ ଅଭିଯାନରେ ଲାଗିଛନ୍ତି । ଏବେ ସୁଦ୍ଧା ୨ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । କିଛି ଯାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ ପଠାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସନ୍ତୋଷୀ ବସ୍ ମରୋତନରୁ ଘୁମାରବୀ ଯିବା ବେଳେ ଭୂସ୍ଖଳର ଶିକାର ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂହ ସୁଖୁ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ଏହି କଷ୍ଟ ସମୟରେ ରାଜ୍ୟ ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ଏବଂ ସେମାନଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସିମଲାରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।