୧୪୪ ବର୍ଷର ସଂଯୋଗ ମହାକୁମ୍ଭ ମେଳାରେ ଦଳାଚକଟାର କାରଣ, ଜାଣନ୍ତୁ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି କ’ଣ?

Published By : Prameya-News7 Bureau | January 29, 2025 IST

ପ୍ରୟାଗରାଜ ୨୯।୧: ଉତ୍ତରପ୍ରଦେଶ ପ୍ରୟାଗରାଜର ମହାକୁମ୍ଭ ମେଳାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୋଇଥିବା ଦଳାଚକଟାର ମୁଖ୍ୟ କାରଣ ୧୪୪ ବର୍ଷପରେ ମୌନି ଅମାବାସ୍ୟାର ସଂଯୋଗ ପଡିବା। ଏ ନେଇ ସରକାରଙ୍କ ସମେତ ସାଧୁ ମହାତ୍ମାମାନେ ମଧ୍ୟ ମହାକୁମ୍ଭରେ ସ୍ନାନର ମହତ୍ୱ ନେଇ ବେଶ୍ ପ୍ରଚାର ପ୍ରସାର କରିଥିଲେ ଓ ଲୋକେ ଏହି ଶୁଭ ମୁହୂର୍ତ୍ତକୁ ଘାଟରେ ଅପେକ୍ଷା କରି ରହିଥିଲେ। ଏହି ସମୟରେ ବାରିକେଡ ଭାଙ୍ଗି ଆସିଥିବା ଅନିୟନ୍ତ୍ରିତ ଭିଡ ସେମାନଙ୍କ ଉପରେ ଚଢି ଯାଇଥିଲା। 

ସଙ୍ଗମକ୍ଷେତ୍ରରେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆସାମରୁ ଆସିଥିବା ମଧୂମିତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଲୋକେ ସକାଳକୁ ଅପେକ୍ଷା କରି ସଙ୍ଗମ ଘାଟରେ ବସିଥିଲେ ଓ ଶୋଇଥିଲେ। ସେତେବେଳେ ଲୋକଙ୍କ ଭିଡ ଆଖଡାମାନଙ୍କ ଅମୃତ ସ୍ନାନ ନିମନ୍ତେ ଲଗାଯାଇଥିବା ବାରିକେଡ ଭାଙ୍ଗି ଘାଟ ଆଡକୁ ବଢିଥିଲା ଓ ସେଠାରେ ପୂର୍ବରୁ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଚଢିଯାଇଥିଲା। 

କେମିତି ହେଲା ଦଳାଚକଟା?
ମୌନୀ ଅମବାସ୍ୟା ଅବସରରେ ସଙ୍ଗମ ସ୍ନାନର ଅଲଗା ମହତ୍ୱ ରହିଛି। ମଙ୍ଗଳବାର ରାତିରେ ଅମୃତ ସ୍ନାନର ମୁହୂର୍ତ୍ତ ଆରମ୍ଭ ହେବାମାତ୍ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସଙ୍ଗମ ଘାଟକୁ ମୁହାଁଇଥିଲେ। ଦେଖୁ ଦେଖୁ ସଙ୍ଗମ ନୋଜରେ ଲକ୍ଷାଧିକ ଲୋକଙ୍କ ଭିଡ ହୋଇଯାଇଥିଲା। ଭିଡକୁ ନିୟନ୍ତ୍ରିତ କରିବା ପାଇଁ ସେଠାରୁ ପୂର୍ବରୁ ବାରିକେଡ ଲଗାଯାଇଥିଲା। ଏଠାରେ ଲୋକଙ୍କ ସଂଖ୍ୟା ବଢିବାରେ ଲଗିଥିଲା। ଫଳରେ ଲୋକଙ୍କ ଚାପରେ ବାରିକେଡ ଭାଙ୍ଗିଯାଇଥିବା ବେଳେ ଲୋକଙ୍କ ଉପରେ ଲୋକେ ଚଢି ଯାଇଥିଲେ। ଲକ୍ଷାଧିକ ଲୋକେ ସଙ୍ଗମ କୂଳରେ ଏକତ୍ର ହୋଇଥିବା ବେଳେ ଘାଟରେ ଗାଧୋଇ ଫେରିବାକୁ ରାସ୍ତା ପାଇନଥିଲେ। 

 ଏହା ସତ୍ତ୍ୱେ ଲୋକେ ଯେ କୌଣସି ପ୍ରକାରେ ନଦୀକୁ ଯିବାକୁ ଉଦ୍ୟମ କରିଥିଲେ। ଫଳରେ ଧସ୍ତାଧସ୍ତି ହୋଇଥିଲା। ପିଲର ନମ୍ବର ୧୫୭ ନିକଟରେ ବାରିକେଡିଂର ଗୋଟିଏ ଅଂଶ ଭାଙ୍ଗି ଯାଇଥିଲା। ଲୋକେ ସେହିପଟେ ନଦୀକୁ ପଶି ଯାଇଥିଲେ ଫଳରେ ସେଠାରେ ଥିବା ମହିଳାଙ୍କ ଚେଞ୍ଜିଂ ରୁମ ଅଚାନକ ଭାଙ୍ଗି ପଡିବା ସହ କିଛି ମହିଳାଙ୍କ ଉପରେ ପଡିଥିଲା।  ଏ ସବୁ ଏତେ ଶୀଘ୍ର ହୋଇଥିଲା ଯେ ତଳେ ମହିଳା ପଡିଯାଇଥିବା ଲୋକେ ଜାଣି ପାରିନଥିଲେ ସେମାନଙ୍କୁ କୁଦି ଚକଟି ଚାଲିଯାଇଥିଲେ। 

ବେଗୁସରାୟରୁ ଆସିଥିବା ବୟଷ୍କା ମହିଳା ବଦାମା ଦେବୀ କହିଛନ୍ତି ଯେ ‘ଏହି ଜନ୍ମରେ ତ ଏପରି ସୁଯୋଗ ଆଉ ମିଳିବନି, ଖାସ ଏଥି ପାଇଁ ଏତଦୂରରୁ ଗଙ୍ଗା ସ୍ନାନକରିବାକୁ ଆସିଥିଲୁ। ତେବେ ଆମେ ଜାଣିନଥିଲୁ ଏଠାରେ ଏତେବଡ ଅଘଟଣ ଘଟିଯିବ। ଲାଗୁଛି ଗଙ୍ଗାମାତା ଏହା ଚାହୁଁ ନଥିଲେ’। ସେହିପରି ଝାଡଖଣ୍ଡ ପାଲାମୁରୁ ଆସିଥିବା ରାମ ସୁମିରନ କହିଛନ୍ତି ଯେ ୧୪୪ ବର୍ଷ ପରେ ଏହି ପୁଣ୍ୟ ସ୍ନାନର ଯୋଗ ସୃଷ୍ଟି ହୋଇଥିଲା, ଯାହାକୁ କେହି ହରାଇବାକୁ ଚାହୁଁନଥିଲେ। ଏଥି ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ସଙ୍ଗମ କୂଳରେ ଗାଧୋଇବା ପାଇଁ ଅପେକ୍ଷା କରି ରହିଥିଲେ। ଠିକ୍ ସେତିକି ବେଳେ ବାରିକେଡ ଭାଙ୍ଗି ଆସିଥିବା ଜନସମୁଦ୍ର ସମସ୍ତଙ୍କୁ ଗଙ୍ଗାଭିତରକୁ ନେଇଯାଇଥିଲା। 


ସେ କହିଛନ୍ତି ଯେ ଘଟଣାସ୍ଥଳରେ ପଡିଥିବା ଲୋକଙ୍କ ଯୋତା ଚପଲ ଓ ପୋଷାକ ପତ୍ରରୁ ପରିସ୍ଥିତିର ଆକଳନ କରାଯାଇ ପାରେ। ଘଟଣାରେ କେତେକ ମହିଳାଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଯେଉଁମାନଙ୍କୁ ସୁରକ୍ଷା କର୍ମୀ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏଭଳି କିଛି ଘଟିପାରେ ବୋଲି ପୂର୍ବରୁ ଆକଳନ କରିନେଇଥିଲା। ଏଣୁ ପ୍ରୟାଗରାଜର ମଣ୍ଡଳ ଆୟୁକ୍ତ ବିଜୟ ବିଶ୍ୱାସ ପନ୍ଥ ଛୋଟ ଲାଉଡ ସ୍ପିକରରେ ସଙ୍ଗମ ଘାଟରେ ସ୍ନାନ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ତୁରନ୍ତ ନିଜ କାମ ସାରି ଫେରି ଆସିବାକୁ ବାରମ୍ବାର ଘୋଷଣା କରୁଥିଲେ। ଏହା ସତ୍ତ୍ୱେ ଏହି ଅଘଟଣ ଘଟିଯାଇଛି। 


ସେପଟେ ସଙ୍ଗମରେ ଦଳାଚକଟା ଖବର ବୁଧବାର ସକାଳେ ସାରା ଦେଶରେ ସିରୋନାମା ପାଲଟିଥିଲା। ସଙ୍ଗମରେ ଅମୃତ ସ୍ନାନ ବାତିଲ କରାଯାଇଥିବା ନେଇ ଘୋଷଣା ସତ୍ତ୍ୱେ ମେଳା କ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ହୋଇ ନାହିଁ। ଚତୁର୍ଦିଗରୁ ସ୍ନାନାର୍ଥୀ ସଙ୍ଗମ କୂଳକୁ ମୁହାଁଇଥିବା ବେଳେ ମଧ୍ୟାହ୍ନ ୧୨ ସୁଦ୍ଧା ୧୦ ଲକ୍ଷ କଳ୍ପବାସୀଙ୍କ ସମେତ ୪.୨୪ କୋଟି ଲୋକେ  ଗଙ୍ଗା ଓ ତ୍ରିବେଣୀ ସ୍ନାନ କରିଛନ୍ତି। ଫଳରେ ମେଳା ଆରମ୍ଭରୁ ଏପର୍ଯ୍ୟନ୍ତ ମହାକୁମ୍ଭରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୯.୯୪କୋଟିକୁ ପହଞ୍ଚି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.