ନୂଆଦିଲ୍ଲୀ ୨୨।୯: ଆଫଗାନିସ୍ତାନର ଏକ ବାଳକ ବିମାନର ଚକ ପାଖରେ ବସି କାବୁଲରୁ ଦିଲ୍ଲୀ ପହଞ୍ଚିଛି। ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ନମ୍ବର ୩ ନିକଟ ନିଷିଦ୍ଧାଞ୍ଚଳରେ ବାଳକକୁ ସନ୍ଦିଗ୍ଧ ବୁଲୁଥିବା ଦେଖି ଅଧିକାରୀ ପଚରା ଉଚରା କରିବାରେ ପୁରା ଘଟଣା ସାମ୍ନାକୁ ଆସିଛି। ବାଳକର ବୟସ ମାତ୍ର ୧୩ ବର୍ଷ ଓ ସେ ଲୁଚିକି ଇରାନ ଯିବାକୁ ବିମାନ ଚକ ପାଖରେ ବସି ଯାଇଥିଲା, ତେବେ ସେ ଭୁଲ ବସତଃ ଭାରତ ଆସୁଥିବା ବିମାନରେ ଉଠି ଯାଇଥିଲା ।

ଏହି ଘଟଣା ପରେ କାବୁଲ ଏୟାରପୋର୍ଟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ’ ଖବର ଅନୁସାରେ କେଏଏମ ଏୟାରର ଫ୍ଲାଇଟ୍ ସଂଖ୍ୟା ଆରକ୍ୟୁ ୪୪୦୧କୁ କାବୁଲରୁ ଦିଲ୍ଲୀ ଆସିବାକୁ ୯୪ ମିନିଟ୍ ଲାଗିଥିଲା। ଏହି ସମୟରେ ଆଫଗାନ ବାଳକ ବିମାନ ପଛ ଚକ ଉପରି ଭାଗରେ ବସି ରହିଥିଲା। ଏହି ବିମାନଟି ଭାରତୀୟ ସମୟାନୁସାର ସକାଳ ୮ଟା ୪୬ ମିନିଟରେ କାବୁଲରୁ ଉଡାଣ କରିଥିଲା। ପୂର୍ବାହ୍ନ ୧୦ଟା ୨୦ ମିନିଟରେ ଟର୍ମିନାଲ ୩ରେ ଅବତରଣ କରିଥିଲା।

ଆଫଗାନ ବାଳକ କହିଛି ଯେ ସେ ଯାତ୍ରୀଙ୍କ ପଛରେ ବିମାନକୁ ପ୍ରବେଶ କରିଥିଲା। ତେବେ ସେ ଦ୍ୱାର ବାଟେ ନ ଯାଇ ହ୍ୱିଲ ୱେଲରେ ଚଢି ଯାଇଥିଲା। ନାବାଳକ ହୋଇଥିବାରୁ ପିଲା ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବନି। ବିଶେଷଜ୍ଞଙ୍କ ଅନୁସାରେ ବିମାନର ହ୍ୱିଲ ୱେଲରେ ଯାତ୍ରା କରିବା ଅସମ୍ଭବ। କାରଣ ବିମାନ ଉପରକୁ ଉଠିବା ସହ ଅକ୍ସିଜେନ ଲେବୁଲ ବହୁତ କମିଯାଇଥାଏ। ଏହା ଛଡା ଆକାଶ ବହୁତ ଥଣ୍ଡା ଓ ଚକ ଭିତରକୁ ଯିବା ବେଳେ ଏଥିର ଚାପି ହୋଇ ମୃତ୍ୟୁ ଆଶଙ୍କା ମଧ୍ୟ ଥାଏ।    

କ୍ୟାପ୍ଟେନ ମୋହନ ରଙ୍ଗନାଥନ କହିଛନ୍ତି ଯେ ବିମାନ ଉଡିବା ପରେ ହ୍ୱିଲ ବେ ଦ୍ୱାର ଖୋଲିଥାଏ, ଚକ ଭିତରେ ପଶିଗଲେ ବନ୍ଦ ହୋଇଯାଏ। ସେ ସମ୍ଭବତଃ ଏହି ବନ୍ଦ ଜାଗାରେ ପଶି ଯାଇଥାଇ ପାରେ, ଯେଉଁଠି ଚାପ ଅଧିକ ରହିଥାଇ ପାରେ ଓ ତାପମାତ୍ରା ବିମାନ ଭିତର ଭଳି ଥାଇପାରେ। ଏପରି ନ ହୋଇଥିଲେ ୩୦,୦୦୦ ଫୁଟ ଉଚ୍ଚତାରେ ଯେଉଁଠି ତାପମାତ୍ରା ବହୁତ କମ ସେଠାରେ ଜୀବିତ ରହିବା ଅସମ୍ଭବ।  

ହ୍ୱିଲ ବେସରେ ବସି ବିମାନରେ ଯାତ୍ରା କରିବାର ଭାରତରେ ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୧୪ ଅକ୍ଟୋବର ୧୯୯୬ରେ ପ୍ରଦୀପ ସୈନୀ (୨୨) ଓ ବିଜୟ ସୈନୀ (୧୯) ନାମକ ଦୁଇ ଭାଇ ଦିଲ୍ଲୀ-ଲଣ୍ଡନ ବ୍ରିଟିଶ ଏୟାରୱେଜ୍ ବୋଇଂ ୭୪୭ ବିମାନର ହ୍ୱିଲ ବେସ୍ ରେ ଲୁଚି ଯାଇଥିଲେ। ଲଣ୍ଡନ ପହଞ୍ଚିବା ବେଳକୁ ପ୍ରଦୀପ ଜୀବିତ ଥିଲା ହେଲେ ବିଜୟ ସୈନୀର ମୃତ୍ୟୁ ହୋଇସାରିଥିଲା।