ମଧ୍ୟ ପ୍ରଦେଶ - ମଧ୍ୟ ପ୍ରଦେଶର ଖଣ୍ଡୱାର ପନ୍ଧାନା ଅଞ୍ଚଳରେ ମାତା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଦୁର୍ଘଟଣା। ଏକ ଟ୍ରାକ୍ଟର ଟ୍ରଲି ପୋଖରୀରେ ଓଲଟି ପଡ଼ିବାରୁ ୮ଜଣ ଶିଶୁ କନ୍ୟାଙ୍କ ସହ ୧୧ ଜଣଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି , ଏଥିରେ ୨୦ରୁ ୨୫ ଜଣ ଲୋକ ବସିଥିଲେ। ରେସ୍କ୍ୟୁ ଟିମ୍‌ ଘଟଣା ସ୍ଥଳରେ ଅନ୍ୟ ଲୋକଙ୍କ ତଲାସରେ ଲାଗିଛି।

କୁହାଯାଉଛି ଯେ, ପନ୍ଧାନାର ଅର୍ଦଲା , ଜାମଲୀ ଗାଁର ୨୦-୨୫ ଜଣ ଲୋକ ଟ୍ରାକ୍ଟର ଟ୍ରଲିରେ ବସି ନଦୀରେ ମାତାଙ୍କର ବିସର୍ଜନ ପାଇଁ ଯାଇଥିଲେ। ଯେତେବେଳେ ଟ୍ରାକ୍ଟର ଟ୍ରଲିଟି ଏକ ପୋଲ ଉପରେ ଅଟକିଲା ,ସେତେବେଳେ ଏହା ପୋଖରୀ ଭିତରେ ଓଲଟି ପଡ଼ିଥିଲା। ମୃତକଙ୍କ ମଧ୍ୟରେ ଅଧିକ ଛୋଟ ଛୋଟ ଶିଶୁ ଥିବା କୁହାଯାଉଛି। ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଚାଲିଛି। ଘଟଣାର ସୂଚନା ପାଇବା କ୍ଷଣି ପ୍ରଶାସନିକ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ଖଣ୍ଡୱାର ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଶୋକ ପ୍ରକାଶ କରି ଲେଖିଛନ୍ତି , ଖଣ୍ଡୱାର ଗ୍ରାମ ଜାମିଲି ଓ ଉଜ୍ଜୈନର ନିକଟସ୍ଥ ଇଙ୍ଗୋରିଆ ଥାନା ଅଞ୍ଚଳରେ ଦୁର୍ଗା ବିସର୍ଜନ ବେଳେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଶୋକାକୁଳ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ମୃତକଙ୍କ ପରିବାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତଥା ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ସଠିକ୍‌ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।