IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ଚିନ୍ତାରେ ପଡ଼ିପାରନ୍ତି ବୋଲର

NEWS7
10-years-boy-mruta-at-chandabali

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ । ବୟସ ମାତ୍ର ୧୪ ବର୍ଷ । କିନ୍ତୁ କ୍ରିକେଟ ଦୁନିଆରେ ପରିଚିତ ନାଁ । ଲୋକପ୍ରିୟତା ମାମଲାରେ ଏବେ ଶୀର୍ଷରେ ବୈଭବ । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପରେ ଧୂଆଁଧାର ବ୍ୟାଟିଂ କରି ବୈଭବ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଏବେ ତାଙ୍କର ମନ୍ତବ୍ୟ ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆସୁଛି ଆଇପିଏଲ ୨୦୨୬ । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା ପୂର୍ବରୁ ସୂର୍ଯ୍ୟବଂଶୀ ବଡ଼ ଘୋଷଣା କରିଛନ୍ତି ।

ବୈଭବଙ୍କ ବଡ଼ ଖୁଲାସା

୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ର ହିରୋ ବୈଭବ ସୂର୍ଯ୍ୟବଂଶୀ । IPL 2026 ଆରମ୍ଭ ହେବା ପୂର୍ବରୁ ସେ ଗୋଟିଏ ମନ୍ତବ୍ୟ ଦେଇଛନ୍ତି । ଯାହା ସମଗ୍ର କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି । ରବିବାର (ମାର୍ଚ୍ଚ ୧୫) ଦିଲ୍ଲୀରେ ଅନୁଷ୍ଠିତ ବିସିସିଆଇର ‘ନମନ ପୁରସ୍କାର’ ସମାରୋହରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ଆଗାମୀ ଆଇପିଏଲ ସିଜିନ ପାଇଁ ତାଙ୍କର ଲକ୍ଷ୍ୟ ସଂପର୍କରେ ବୈଭବଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବ ଦେଇ ବୈଭବ କହିଛନ୍ତି, ସେ କ୍ରିସ୍ ଗେଲଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୭୫ ରନର ରେକର୍ଡ ଭାଙ୍ଗିବାକୁ ଚାହାଁନ୍ତି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ଗେଲ୍ ପୁଣେ ୱାରିୟର୍ସ ବିପକ୍ଷରେ ୬୬ ବଲ୍ରେ ୧୭୫ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହାକୁ ଏବେ ବି IPLର ସବୁଠାରୁ ବଡ଼ ରେକର୍ଡ ବୋଲି ବିବେଚନା କରାଯାଏ।

'ଭିଡିଓ ଗେମ୍' ବ୍ୟାଟିଂ ଦେଖି ବୋଲର ଆଶ୍ଚର୍ଯ୍ୟ

ଏହି କାର୍ଯ୍ୟକ୍ରମରେ, ସଞ୍ଜୁ ସାମସନ ବୈଭବଙ୍କ ନିର୍ଭୀକତା ବିଷୟରେ କହିଥିଲେ । ଗତ ଆଇପିଏଲରେ ରାହୁଲ ଦ୍ରାବିଡଙ୍କୁ ବୈଭବ କହିଥିଲେ, ଯଦି ବଲ ପାଏ, ତେବେ ଏହାକୁ ଉଡ଼ାଇ ଦେବି । ସେ ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଥମ ବଲରେ ଛକା ମାରି ଏହା ପ୍ରମାଣିତ ବି କରିଥିଲେ। ଏବେ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ଇଚ୍ଛା ରଖିଥିବା କହି ବୈଭବ ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ IPL 2026 ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ନାହିଁ, ବରଂ ଇତିହାସ ମଧ୍ୟ ରଚିବେ।

ବୈଭବଙ୍କ ଉପରେ ରହିବ ନଜର

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସର ସବୁଠାରୁ ଯୁବ ଖେଳାଳି । ୨୦୨୫ରେ ଡେବ୍ୟୁ କରିବା ପରଠାରୁ ପାୱାର ହିଟିଂ ପାଇଁ ଜଣାଶୁଣା ସୂର୍ଯ୍ୟବଂଶୀ। ୨୦୨୬ରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ଦେଖିବା ବାକି ରହିଲା ଯେ, ସେ କ୍ରିସ୍ ଗେଲଙ୍କ ଐତିହାସିକ ରେକର୍ଡକୁ ଅତିକ୍ରମ କରିପାରିବେ କି ନାହିଁ।