ନୂଆଦିଲ୍ଲୀ: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନ ହୋଇଛି। ଏଥିରେ ଜଣେ ବରିଷ୍ଠ ମାଓ ନେତା ସମେତ ୧୦ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ନିହତଙ୍କ ମଧ୍ୟରେ ମୋଡେମ ବାଲକୃଷ୍ଣ ନାମରେ ଜଣାଶୁଣା ସିସି ସଦସ୍ୟ ମନୋଜ ବି ରହିଛି। ମନୋଜର ମୁଣ୍ଡ ଉପରେ ସରକାର ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

ମୈନପୁର ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପାଇ, ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇ-୩୦, ଏସଟିଏଫ୍ ଏବଂ କୋବ୍ରାର ମିଳିତ ଟିମ ନକ୍ସଲ ଦମନ ଅଭିଯାନ ଆରମ୍ଭ କରିଥିଲେ। ସକାଳ ଠାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ମଝିରେ ମଝିରେ ଏ ଗୁଳିବିନିମୟ ଜାରି ରହିଛି। ଏହି ଗୁଳି ବିନିମୟ ଅନେକ ବରିଷ୍ଠ ନକ୍ସଲ ନିହତ ହୋଇଥାଇପାରନ୍ତି ବୋଲି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି।  

ଏହି ମାଓଦମନ ଅପରେସନରେ ସିଆରପିଏଫ କୋବ୍ରା କମାଣ୍ଡୋ ଏବଂ ଛତିଶଗଡ଼ ପୋଲିସର କର୍ମଚାରୀମାନେ ସାମିଲ ଥିଲେ। ଏଥିରେ ମନୋଜ ଉର୍ଫ ମୋଡେମ ବାଲକୃଷ୍ଣଙ୍କ ସମେତ ୧୦ ଜଣ ନକ୍ସଲ ନିପାତ ହୋଇଥିବା କଥା ଅଧିକାରୀମାନେ ସୂଚନା ଦେଇ ଦେଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଅପରେସନ୍ ଶେଷ ହେବା ପରେ, ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ହେବା ପରେ  କେତେ ନକ୍ସଲବାଦୀ ନିହତ ହେଲେ କେତେ ଆହତ ହୋଇଛନ୍ତି ସେ ନେଇ ବିସ୍ତୃତ ସୂଚନା ଜାରି କରାଯିବ। କେନ୍ଦ୍ର ସରକାର ଦେଶରେ ନକ୍ସଲବାଦ ଶେଷ କରିବାକୁ ଶପଥ ନେଇଛନ୍ତି। ବିଶେଷକରି ଛତିଶଗଡ଼ରେ ମାଓବାଦୀମାନେ ସକ୍ରିୟ ଥିବାରୁ ସେଠାରେ ସମୟ ସମୟରେ ମାଓଦାମନ ଅଭିଯାନ ଜାରି ରହିଛି। କିଛି ଦିନ ହେବ ଗରିଆବନ୍ଦ ଜିଲ୍ଲାରେ ତୀବ୍ର ନକ୍ସଲ ନିପାତ ଅଭିଯାନ ଜାରି ରହିଛି।