ଟାଟା ସନ୍ସ ଡାଇରେକ୍ଟର ନିଯୁକ୍ତ ହେଲେ ନୋଏଲ ଟାଟା

Published By : Prameya-News7 Bureau | August 14, 2025 IST

internet

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ କମ୍ପାନୀ ଟାଟା ସନ୍ସ ଅଗଷ୍ଟ ୧୪ ତାରିଖରେ ଅନୁଷ୍ଠିତ ଏହାର ୧୦୭ତମ ବାର୍ଷିକ ସାଧାରଣ ସଭା (AGM)ରେ ନୋଏଲ୍ ଟାଟାଙ୍କୁ ବୋର୍ଡରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି। ରତନ ଟାଟାଙ୍କ ମୃତ୍ୟୁ ପରେ ଏହା ଟାଟା ସନ୍ସର ପ୍ରଥମ ସାଧାରଣ ସଭା। ଗତବର୍ଷ ଅକ୍ଟୋବରରେ ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲ୍ ଟାଟା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ସେ ଏବେ ଆନୁଷ୍ଠାନିକ ଭାବରେ ଟାଟା ସନ୍ସର ବୋର୍ଡରେ ଯୋଗ ଦେଇଛନ୍ତି। ଟାଟା ଟ୍ରଷ୍ଟ ଦ୍ୱାରା ନୋଏଲ୍ ଟାଟାଙ୍କୁ ନିଯୁକ୍ତ କରାଯାଇଛି। ଏହି ଟ୍ରଷ୍ଟ ଟାଟା ସନ୍ସରେ ୬୬% ଅଂଶଧନ ରଖେ ଏବଂ ଟାଟା ଗ୍ରୁପ୍ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ।

୬୬ ବର୍ଷୀୟ ନୋଏଲ ଟାଟା ଅକ୍ଟୋବରରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ହୋଇଥିଲେ। ସେ ପୂର୍ବରୁ ଦୁଇଟି ପାରିବାରିକ ଟ୍ରଷ୍ଟର ଟ୍ରଷ୍ଟି ଥିଲେ। ନୋଏଲ ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ। ୯ ଅକ୍ଟୋବରରେ ରତନ ଟାଟାଙ୍କ ମୃତ୍ୟୁ ପରେ, ନୋଏଲ ଏକମାତ୍ର ଦାବିଦାର ଥିଲେ। ଯଦିଓ ତାଙ୍କ ଭାଇ ଜିମିଙ୍କ ନାଁ ମଧ୍ୟ ଆଲୋଚନାରେ ଥିଲା, ସେ ପୂର୍ବରୁ ଅବସର ନେଇସାରିଛନ୍ତି। ମୁମ୍ବାଇରେ ଟ୍ରଷ୍ଟ ବୈଠକରେ ନୋଏଲଙ୍କ ନାମ ଉପରେ ସହମତି ହୋଇଥିଲା। ସୂଚନା ଥାଉକି ନୋଏଲ ଟାଟା ହେଉଛନ୍ତି ନାଭାଲ ଟାଟା ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ରତନ ଟାଟା ଏବଂ ଜିମି ଟାଟା ହେଉଛନ୍ତି ନାଭାଲ ଟାଟାଙ୍କର ପ୍ରଥମ ପତ୍ନୀ ସୁନିଙ୍କ ପୁଅ।

ନୋଏଲ ଟାଟା ସସେକ୍ସ ବିଶ୍ୱବିଦ୍ୟାଳୟରୁ ପାଠ ପଢି ଥିବା ବେଳେ ଟାଟା ଇଣ୍ଟରନ୍ୟାସନାଲରୁ ତାଙ୍କର ପ୍ରଫେସନାଲ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୯ ମସିହାରେ, ତାଙ୍କୁ ଗ୍ରୁପର ରିଟେଲ ଶାଖା ଟ୍ରେଣ୍ଟର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଏହା ତାଙ୍କ ମାଆ ସିମୋନ ଆରମ୍ଭ କରିଥିଲେ। ୨୦୧୦-୧୧ ମସିହାରେ, ତାଙ୍କୁ ଟାଟା ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ କରାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.