ଟାରିଫ୍ ଭୟରେ ଖସିଲା ଘରୋଇ ପୁଞ୍ଜି ବଜାର, ନିବେଶକଙ୍କ କ୍ଷତି ୩.୩୯ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ବଡ଼ ହ୍ରାସ ଦେଖିବାକୁ ମିଳିଛି । ସେନ୍‌ସେକ୍ସ ପ୍ରାୟ ୮୫୦ ଅଙ୍କ ହ୍ରାସ ପାଇଛି । ଅନ୍ୟପଟେ ନିଫ୍ଟି ଖସି ୨୪,୭୦୦ ତଳେ ବନ୍ଦ ହୋଇଛି । ଆମେରିକାର ଟାରିଫ୍ ସହ ଜଡ଼ିତ ଚିନ୍ତା ଯୋଗୁ ବଜାରରେ ଆଜି ଅଧିକ ବିକ୍ରି ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଦୁର୍ବଳ ବୈଶ୍ୱିକ ସଂକେତ ଓ ବିଦେଶୀ ନିବେଶକଙ୍କ ବିକ୍ରି ମଧ୍ୟ ବଜାର ସେଣ୍ଟିମେଣ୍ଟକୁ ଦୁର୍ବଳ କରିଛି । କାରବାର ଶେଷରେ ସେନସେକ୍ସ ୮୪୯.୩୭ ଅଙ୍କ ବା ୧.୦୪ ପ୍ରତିଶତ ହ୍ରାସ ସହ ୮୦,୭୮୬.୫୪ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୫୫.୭୦ ଅଙ୍କ ବା ୧.୦୨ ପ୍ରତିଶତ ଖସି ୨୪,୭୧୨.୦୫ ସ୍ତରରେ ବନ୍ଦ ହୋଇଛି । 

ବ୍ରଡ୍‌ର ମାର୍କେଟରେ ବି ଆଜିର ହ୍ରାସ ବଡ଼ ଥିଲା । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୧.୩୪ ପ୍ରତିଶତ ଓ ବିଏସ୍‌ଇ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୧.୬୮ ପ୍ରତିଶତ ଖସି ବନ୍ଦ ହୋଇଛି । ଏଫ୍‌ଏମ୍‌ସିଜିକୁ ଛାଡ଼ି ଅନ୍ୟ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ରିୟଲ୍ଟି, ମେଟାଲ ଓ ଟେଲିକମ୍ୟୁନିକେସନ୍ ସେୟାର ସୂଚକାଙ୍କ ୨ ପ୍ରତିଶତରୁ ଅଧିକ ଖସି ବନ୍ଦ ହୋଇଛି । 

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଅଗଷ୍ଟ ୨୬ରେ ହ୍ରାସ ପାଇ ୪୫୧.୬୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ସୋମବାର ୪୫୫.୦୨ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁ଼ଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୩.୩୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କୁ ୩.୩୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ବିଏସ୍‌ଇ ସେନ୍‌ସେକ୍ସର ୩୦ ସେୟାର ମଧ୍ୟରୁ ଆଜି କେବଳ ୫ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ହିନ୍ଦୁସ୍ତାନ ୟୁନିଲିଭର ସେୟାରରେ ସବୁଠୁ ଅଧିକ ୨.୩୫ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ମାରୁତି ସୁଜୁକୀ, ଆଇଟିସି, ଟିସିଏସ୍ ଓ ଅଲ୍‌ଟ୍ରାଟେକ୍ ସିମେଣ୍ଟର ସେୟାର ୧.୮୫ ପ୍ରତିଶତରୁ ୦.୧୯ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇ ବନ୍ଦ ହୋଇଛି । ଅନ୍ୟପଟେ ୨୫ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ସନ୍ ଫାର୍ମା ସେୟାର ୩.୧୫ ପ୍ରତିଶତ ହ୍ରାସ ଟପ୍ ଲୁଜର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.