ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ରପ୍ତାନୀ କରାଯାଉଥିବା ଆଇଫୋନ୍, ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲାପଟପ୍ ଚୀନ ଠାରୁ ରପ୍ତାନୀ ହେଉଥିବା ପ୍ରଡକ୍ଟ ତୁଳନାରେ ୨୦ ପ୍ରତିଶତ ଶସ୍ତା ହେବ। ନିକଟରେ ଟ୍ରମ୍ପ ପ୍ରଶାସନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅତିରିକ୍ତ ଆମଦାନୀ ଶୁଳ୍କରୁ ମୁକ୍ତ କରିବା ପରେ ଭାରତକୁ ଏହି ଫାଇଦା ମିଳିବ ବୋଲି ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ICEA) କହିଛି।
ଶନିବାର ଆମେରିକା ସରକାର ଏହାର ଶୁଳ୍କ ନୀତିକୁ ସଂଶୋଧନ କରି ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଏବଂ କିଛି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଲାଗୁ ହୋଇଥିବା ପାଲଟା ଶୁଳ୍କରୁ ମୁକ୍ତ କରିଦେଇଛନ୍ତି। ଫଲରେ ଏବେ ଭାରତ ଓ ଭିଏତନାମ ଚୀନ୍ ତୁଳନାରେ ୨୦ ପ୍ରତିଶତ ଶୁଳ୍କ ଲାଭ ପାଇପାରିବେ ବୋଲି ICEA କହିଛି।
ପଢନ୍ତୁ- ଟାରିଫ ବିବାଦ: ସତର୍କ କଲେ UN ଶୀର୍ଷ ଅର୍ଥଶାସ୍ତ୍ରୀ, କହିଲେ-୩% ପର୍ଯ୍ୟନ୍ତ ହ୍ରାସ ହେବ ବିଶ୍ୱ ବ୍ୟାପାର
ଆଇସିଇଏ ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୁ ପିଟିଆଇକୁ ସୂଚନା ଦେଇ କହିଛନ୍ତି " ଚୀନରେ ତିଆରି ଆଇଫୋନ୍, ଲାପଟପ୍, ଟାବଲେଟ୍ ଏବଂ ଘଣ୍ଟା ଉପରେ ଏବେ ବି ୨୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। କେବଳ ପାଲଟା ଶୁଳ୍କକୁ ହଟାଇ ଦିଆଯାଇଛି। ଭାରତରେ ଆଇଫୋନ୍ ଏବଂ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଉପରେ ଶୂନ୍ୟ ଶୁଳ୍କ ଅଛି। ଭିଏତନାମରେ ମଧ୍ୟ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଉପରେ ଶୂନ୍ୟ ଶୁଳ୍କ ଅଛି। ତେଣୁ ଏ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ସମାନ ସ୍ଥିତିରେ ଅଛନ୍ତି। ଉଭୟ ଚୀନ୍ ତୁଳନାରେ ୨୦ ପ୍ରତିଶତ ଶୁଳ୍କ ଲାଭ ଉପଭୋଗ କରିପାରିବେ।"
ଆଇସିଇଏ ଭାରତରେ ଆପଲ୍, ଫକ୍ସକନ୍ ଏବଂ ଡିକ୍ସନ୍ ସମେତ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ପ୍ରତିନିଧିତ୍ୱ କରେ। ଆମେରିକାର ଏଭଳି ନୀତିରେ ପରିବର୍ତ୍ତନ ଭାରତରେ ଏହିସବୁ ସାମଗ୍ରୀର ରପ୍ତାନୀ ବଢ଼ାଇବ। ବିଶେଷ କରି ଆପଲ୍କୁ ଏହାର ଅଧିକ ପାଇଦା ହେବ। ଆଇଫୋନ୍ ଇକୋସିଷ୍ଟମ୍ ଭାରତରେ ବର୍ତ୍ତମାନ ସବୁଠାରୁ ବଡ଼ ନିଯୁକ୍ତି ସୃଷ୍ଟିକାରୀଙ୍କ ମଧ୍ୟରେ ଅନ୍ୟତମ। ତେଣୁ କମ୍ପାନୀ ଭାରତରେ ଅଧିକରୁ ଅଧିକ ସ୍ମାର୍ଟଫୋନ୍ ଉତ୍ପଦାନ କରିବ।
ଆଇସିଇଏ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଭାରତରୁ ମୋବାଇଲ୍ ଫୋନ୍ ରପ୍ତାନୀ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଯାହା ପୂର୍ବ ବର୍ଷର ୧.୨୯ ଲକ୍ଷ କୋଟି ଟଙ୍କା ତୁଳନାରେ ୫୫ ପ୍ରତିଶତ ଅଧିକ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ରପ୍ତାନିରେ କେବଳ ଆଇଫୋନ୍ ୧.୫ ଲକ୍ଷ କୋଟି ଟଙ୍କା ଅବଦାନ ରଖିଛି। ତେଣୁ ବର୍ତ୍ତମାନ ହିଁ ଚୀନକୁ ଟପିବାର ପ୍ରକୃତ ସମୟ ବୋଲି ମହିନ୍ଦ୍ରୋ କହିଛନ୍ତି।