LIVE TV

ଦେଶର ୮ହଜାର ସ୍କୁଲରେ ନାହାନ୍ତି ଜଣେ ବି ଛାତ୍ରଛାତ୍ରୀ, ପଢାଇବାକୁ ଅଛନ୍ତି ୨୦ ହଜାର ଶିକ୍ଷକ: ରିପୋର୍ଟ

NEWS7
ପାଇପ୍-ରେ-ଶ୍ରମିକ-ଫଶିବା-ଘଟଣ

ନୂଆଦିଲ୍ଲୀ ୨୭।୧୦:  ସାରା ଦେଶରେ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ପାଖାପାଖି ୮ ହଜାର ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି। ଅଧିକାରୀକ ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ଏପରି ସର୍ବାଧିକ ୩,୮୧୨ ସ୍କୁଲ ଥିଲେ ଯେଉଁଠି ଜଣେ ବି ପିଲାର ନାମ ଲେଖା ହୋଇ ନାହିଁ। ଏହା ପଛକୁ ତେଲେଙ୍ଗାନା ୨,୨୪୫ଟି ସ୍କୁଲ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ହେଲେ ଏହି ଶୁନ ନାମଲେଖା ସ୍କୁଲରେ ମୋଟ ୨୦,୮୧୭ ଜଣ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ନିଯୁକ୍ତ ଅଛନ୍ତି।

ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ପଶ୍ଚିମବଙ୍ଗର ଏପରି ସ୍କୁଲରେ ୧୭,୯୬୫ ଜଣ ଶିକ୍ଷକ ଅଛନ୍ତି। ଶିକ୍ଷାମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ୨୦୨୩-୨୪ ଶିକ୍ଷା ବର୍ଷରେ ଏହି ପରି ଶୁନ ନାମଲେଖା ସ୍କୁଲ ସଂଖ୍ୟା ୧୨,୯୫୪ ଥିଲା। ତେବେ ୨୦୨୪-୨୫ରେ ଏହା ହ୍ରାସ ହୋଇ ୭,୯୯୩କୁ ପହଞ୍ଚିଛି। ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳପ୍ରଦେଶ ଛତିଶଗଡ଼, ନାଗାଲ୍ୟାଣ୍ଡ, ସିକ୍କିମ ଓ ତ୍ରିପୁରାରେ ଏପରି ଗୋଟେ ବି ସ୍କୁଲ ନଥିଲା।

ଶିକ୍ଷା ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ସ୍କୁଲ ଶିକ୍ଷା’ ରାଜ୍ୟଙ୍କ ବିଷୟ। ଏଣୁ ରାଜ୍ୟ ସରକାରମାନଙ୍କୁ ଶୁନ ନାମଲେଖା ସମସ୍ୟାର ମୁକାବିଲା ନିମନ୍ତେ ପରାମର୍ଶ ଦିଆଯାଇଛି। ଏହି ଅନୁସାରେ କେତେକ ରାଜ୍ୟ ସରକାର ସଂସାଧନ ଯେପରି ଇନଫ୍ରାଷ୍ଟ୍ରକ୍ଚର ଓ କର୍ମଚାରୀଙ୍କ ଉପଯୋଗ ନିମନ୍ତେ ସ୍କୁଲମାନଙ୍କୁ ବିଲୟ କରିଛନ୍ତି। ତେବେ ପୁଡୁଚେରୀ, ଲକ୍ଷଦ୍ୱୀପ, ଦାଦର ଓ ନଗରହାଭେଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ, ଡାମନ ଡ୍ୟୁ ଓ ଚଣ୍ଡିଗଡ଼ ଭଳି କେନ୍ଦ୍ର ଶାସିତ ରାଜ୍ୟମାନଙ୍କରେ ଏପରି ଶୁନ ନାମଲେଖା ଗୋଟିଏ ବି ସ୍କୁଲ ନାହିଁ। ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ଏପରି ସ୍କୁଲ ନାହିଁ ଯେଉଁଠି ଶିକ୍ଷା ବର୍ଷ ଆରମ୍ଭରେ ନୂଆ ନାମ ଲେଖା ହେଉ ନାହିଁ।

ହେଲେ ମଧ୍ୟପ୍ରଦେଶରେ ଏପରି ୪୬୩ଟି ସ୍କୁଲ ଥିଲା ଯେଉଁଠି ଶିକ୍ଷାବର୍ଷ ଆରମ୍ଭରେ ଜଣେ  ବି ଛାତ୍ରଛାତ୍ରୀ ନାମ ଲେଖାଇ ନଥିଲେ। ହେଲେ ଏହି ସ୍କୁଲ ମାନଙ୍କରେ ୨୨୩ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେହିପରି ତେଲେଙ୍ଗାନାରେ ଏପରି ସ୍କୁଲ ମାନଙ୍କରେ ୧,୦୧୬ ଶିକ୍ଷକ କାର୍ଯ୍ୟରତ ଥିବା ଦେଖା ଯାଇଛି। ଉତ୍ତର ପ୍ରଦେଶରେ ଏହିପରି ୮୧ଟି ସ୍କୁଲ ଥିବା ବେଳେ ପିଛିଲା ୩ ଶିକ୍ଷା ବର୍ଷରେ ବିଦ୍ୟାଳୟ ନୂଆ ଛାତ୍ରଛାତ୍ରୀଙ୍କୁ ଆଡମିସନ ନକଲେ ସେହିସବୁ ସ୍କୁଲର ମାନ୍ୟତା ରଦ୍ଦ କରାଯିବ ବୋଲି ୟୁପି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛନ୍ତି।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦେଶର ୩୩ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜଣେ ଶିକ୍ଷକ ଥିବା ୧ ଲକ୍ଷରୁ ଅଧିକ ସ୍କୁଲରେ ପାଠ ପଢୁଛନ୍ତି। ଏପରି ସ୍କୁଲଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶରେ ସବୁଠୁ ଅଧିକ। ଯେଉଁଠି ଜଣେ ଜଣେ ଶିକ୍ଷକ ଶହଶହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ତେବେ ଜଣେ ଶିକ୍ଷକ ଥିବା ସ୍କୁଲରେ ଅଧିକ ଛାତ୍ରଛାତ୍ରୀଙ୍କ ଆଡମିସନରେ ଉତ୍ତରପ୍ରଦେଶ ଆଗରେ ରହିଛି। ଏହା ପଛକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମଧ୍ୟ ପ୍ରଦେଶ ଅଛନ୍ତି। ୨୦୨୨-୨୩ରେ ଏପରି ଜଣେ ଶିକ୍ଷକଙ୍କ ସ୍କୁଲ ସଂଖ୍ୟା ୧୧୮୧୯୦ ଥିଲା। ୨୦୨୩-୨୪ରେ ଏପରି ସ୍କୁଲ ସଂଖ୍ୟା ୧୧୦୯୭୧କୁ ଖସି ଆସିଛି, ଯାହା ପାଖାପାଖି ୬% ହ୍ରାସ ଦର୍ଶାଉଛି।