ସ୍ଵାଧୀନତାର ୭୭ ବର୍ଷ ପରେ ପ୍ରଥମ ଥର ଗାଁ’ରେ ପହଞ୍ଚିଲା ବିଜୁଳି, ଖୁସିରେ ନାଚିଲେ ଲୋକେ

NEWS7
ଛhina-has-imposed-restrictions-on-the-publication-of-academic-research-on-the-origins-of-the-coronavirus

ନୂଆଦିଲ୍ଲୀ ୨୪।୦୧; ସ୍ୱାଧୀନତାର ୭୭ ବର୍ଷ ପରେ ବି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଛୋଟ ଗାଁ ଅହେରା ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିନଥିଲା । କାରଣ ଅଦ୍ୟାବଧି ଗାଁକୁ ବିଜୁଳି ପହଞ୍ଚି ନ ଥିଲା । ସ୍ୱାଧୀନତା ପରଠୁ ଗାଁ ଲୋକେ ବିଜୁଳି ଆଲୋକରୁ ବଞ୍ଚିତ ଥିଲେ । ପିଢ଼ି ପରେ ପିଢ଼ି ଦୀପ ଓ ଲଣ୍ଠନ ଆଲୋକରେ ଗାଁ ଲୋକଙ୍କ ରାତି କଟୁଥିଲା। ଅହେରା ଗାଁ ଜଙ୍ଗଲ କ୍ଷେତ୍ରରେ ଅବସ୍ଥିତ । ଗାଁ ଚତୁଃପାଶ୍ୱର୍ରେ ଘନ ଜଙ୍ଗଲ,ମାଟି ରାସ୍ତା ଏବଂ ସୀମିତ ସୁବିଧା । ଗାଁର ଅଧିକାଂଶ ବାସିନ୍ଦା ଆଦିବାସୀ ସମୁଦାୟର । ଏମାନଙ୍କ ଜୀବନ ସର୍ବଦା ସଂଘର୍ଷପୂର୍ଣ୍ଣ । ଦିନ ଯେକୌଣସି ପ୍ରକାର ବିତୁଥିଲା,କିନ୍ତୁ ରାତି ହେବା ମାତ୍ରେ ଗାଁ ଅନ୍ଧାରରେ ବୁଡ଼ିଯାଉଥିଲା । ପିଲାଙ୍କ ପାଠପଢ଼ା ହେଉ ବା ରୋଗୀ ବୟସ୍କଙ୍କ ଚିନ୍ତା,ବିଜୁଳି ବିନା ସବୁ କାମ ମୁସ୍କିଲ ଥିଲା । ଗାଁର ବୟସ୍କଙ୍କ ଅନୁସାରେ,ପିଲାଦିନୁ ଆଜି ପର୍ଯ୍ୟନ୍ତ ସେମାନେ ଗାଁରେ କେବେ ବିଜୁଳି ବଲ୍ବ ଜଳିବା ଦେଖିନଥିଲେ ।

ଏ ନେଇ ସେମାନେ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ । କିନ୍ତୁ ପ୍ରତି ଥର ଫାଇଲ୍ ଅଟକି ରହିଥିଲା । ଜଙ୍ଗଲ କ୍ଷେତ୍ରରେ ଗାଁ ଥିବାରୁ ଆବଶ୍ୟକ ଅନୁମତି ମିଳିପାରୁ ନ ଥିଲା । ସେଥିପାଇଁ ବର୍ଷ ବର୍ଷ ଧରି ଗାଁ ଅନ୍ଧାରରେ ରହିଥିଲା । ଗତ ଡିସେମ୍ବର ୪ ତାରିଖ ଅହେରା ଗାଁ ପାଇଁ ପର୍ବ ଭଳି ଥିଲା । ସେ ଦିନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସେହି ଅଞ୍ଚଳ ଦେଇ କୁନୋ ଜାତୀୟ ପାର୍କ ଯାଉଥିଲେ । ଗାଁ ଲୋକେ ଖବର ପାଇ ରାସ୍ତାରେ ପହଞ୍ଚିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ,ଆଜ୍ଞା! ସ୍ୱାଧୀନତା ପରଠୁ ଆମ ଗାଁରେ ବିଜୁଳି ପହଞ୍ଚିନି । ଆଜି ବି ଆମେ ଅନ୍ଧାରରେ ବଞ୍ଚୁଛୁ । ଏହା ଶୁଣି ମୁଖ୍ୟମନ୍ତ୍ରୀ ଚକିତ ହୋଇଗଲେ । ସେ ସଙ୍ଗେସଙ୍ଗେ ଅଧିକାରୀମାନଙ୍କୁ ସେଠାକୁ ଡାକିଲେ ଏବଂ ଯଥାଶୀଘ୍ର ଗାଁରେ ବିଜୁଳି ବ୍ୟବସ୍ଥା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ । ଏହା ପରେ ପ୍ରଶାସନ ସକ୍ରିୟ ହେଲା । ଜିଲ୍ଲାପାଳ ରବିନ୍ଦ୍ର କୁମାର ଚୌଧରୀଙ୍କ ଅନୁସାରେ,ଜଙ୍ଗଲ ବିଭାଗରୁ ଆବଶ୍ୟକ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା କରାଗଲା।

ପ୍ରାୟ ମାସେ ମଧ୍ୟରେ ଗାଁର ୧୩୮ ଆଦିବାସୀ ପରିବାରକୁ ବିଦ୍ୟୁତ୍ ସୁବିଧା ସହ ସଂଯୋଗ କରାଗଲା । ଏଥିପାଇଁ ୧୫.୪୫ କିମି ଲମ୍ବା ୧୧ କେଭି ହାଇ ଟେନ୍ଶନ ଲାଇନ୍ ବିଛାଗଲା । ୩.୭୮ କିମି ଲୋ ଟେନ୍ଶନ ଲାଇନ୍ ବିଛାଗଲା ଏବଂ ୯ ଟ୍ରାନ୍ସଫର୍ମର ଲଗାଗଲା । ଏଥିରେ ପ୍ରାୟ ୧.୧୯ କୋଟି ଖର୍ଚ୍ଚ ହେଲା । ଗାଁରେ ପ୍ରଥମ ଥର ବଲ୍ବ ଜଳିବା ଦେଖି ଗାଁ ଲୋକଙ୍କ ଆଖିରୁ ଖୁସିର ଲୁହ ଝରିଗଲା । ପିଲାମାନେ ପ୍ରଥମ ଥର ଘରେ ବିଜୁଳି ଆଲୋକ ଦେଖିଲେ । ବୟସ୍କମାନେ ବଲ୍ବକୁ ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଲେ। ବିଜୁଳି ସହିତ ଗାଁରେ ପ୍ରଥମ ଥର ସମସ୍ତଙ୍କ ଘର ବାହାରେ ପାଣି ପାଇପ୍ ସଂଯୋଗ ହୋଇଛି । ଗାଁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବି ଲାଗିଛି ।