ଦିଲ୍ଲୀ ଦୁର୍ଗ ଲଢ଼େଇରେ ସୋସିଆଲ୍ ମିଡିଆ ଅସ୍ତ୍ର; ଭର୍ଚ୍ୟୁଆଲ୍ ବିଜ୍ଞାପନରେ ଉଡ଼ୁଛି କୋଟି କୋଟି ଟଙ୍କା

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ: ନିର୍ବାଚନରେ ଡିଜିଟାଲ୍ ଓ୍ବାର୍ । ସତ୍ତା ଲଢ଼େଇରେ ସୋସିଆଲ୍ ମିଡିଆ ଅସ୍ତ୍ର । ନେତାଙ୍କ ସାହସ ଭର୍ଚ୍ୟୁଆଲ୍ ବିଜ୍ଞାପନ । ପ୍ରଚାର ମଙ୍ଗ ଧରିଛନ୍ତି ଇଫ୍ଲୁଏନସର । ବିଜେପି-କଂଗ୍ରେସ ଆଗରେ, ପଛରେ ପଡ଼ିଛି ଆପ୍ । ଦିନକୁ ହାରାହାରି ହଜାରେରୁ ଅଧିକ ଡିଜିଟାଲ୍ ବିଜ୍ଞାପନ । ଶାସକଦଳ କରୁଛି ସରକାରଙ୍କ ଗୁଣଗାନ । ଶାସନକୁ ଫେରିବାକୁ ବିରୋଧୀଙ୍କ ଦେଉଛନ୍ତି ପ୍ରତିଶ୍ରୁତିର ପହାଡ଼ । ଭୋଟ୍ ପାଇଁ ଅନଲାଇନରେ ଭୋଟରକୁ କରାଯାଉଛି ଇଫ୍ଲୁଏନସ୍ । ମତଦାତାଙ୍କ ନିକଟରେ ସିଧାସିଧା ପହଞ୍ଚିବାକୁ ପ୍ରାର୍ଥୀ ଆପଣାଉଛନ୍ତି ନୂଆ ପନ୍ଥା । ଆଉ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ସାମାଜିକ ଗଣମାଧ୍ୟମ । ଗୁଗଲ୍ ଓ ମେଟା ସମେତ ସୋସିଆଲ୍ ମିଡିଆ ଇଫ୍ଲୁଏନସର ଧରିଛନ୍ତି ପ୍ରଚାର ମଙ୍ଗ । 

ଦିଲ୍ଲୀରେ ଭର୍ଚ୍ୟୁଆଲ୍ ବିଜ୍ଞାପନରେ ଉଡ଼ୁଛି ଟଙ୍କା । କୋଟି କୋଟି ଟଙ୍କାରେ ନେତାଙ୍କ ଗୁଣଗାନ । ଭାଇରାଲ୍ ପ୍ରଚାରରେ ବିଜେପି ଆଗରେ । ଦ୍ବିତୀୟ ସ୍ଥାନରେ ଜାତୀୟ କଂଗ୍ରେସ ରହିଥିବା ବେଳେ ଆମ୍ ଆଦମୀ ପାର୍ଟି ପଛରେ ପଡ଼ିଛି । ୨୦୨୪ ଲୋକସଭା ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ପ୍ରଚାରରେ ପ୍ରାର୍ଥୀ ଭରସା ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଗତ ଏକ ମାସ ଭିତରେ ଭାରତୀୟ ଜନତା ପାର୍ଟି ସୋସିଆଲ୍ ମିଡିଆ ମାଧ୍ୟମରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି । ଗୁଗଲ୍ ଆଡ୍‌ରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜ୍ଞାପନ ବାବଦକୁ ଏପର୍ଯ୍ୟନ୍ତ ୫୬.୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବିଜେପି । ସେହିପରି ମତଦାତାଙ୍କୁ ମନାଇବାକୁ କଂଗ୍ରେସ ୪୩.୦୭ ଲକ୍ଷ ଟଙ୍କାର ଭର୍ଚ୍ୟୁଆଲ୍ ବିଜ୍ଞାପନ ଛାପିଛି । ହେଲେ ଦିଲ୍ଲୀରେ ଶାସନରେ ରହିଥିବା ଆପ୍ ପାର୍ଟି ଏଥିରେ ମାତ୍ର ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।


ଗୁଗଲ୍ ଆଡ୍ ଟ୍ରାନ୍ସପରେନ୍ସି ସେଣ୍ଟର ଜାରି କରିଛି ବିଜ୍ଞାପନ ଡାଟା । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିଭିନ୍ନ ରାଜନୈତିକ ଦିଲ୍ଲୀରେ ୩୨,୩୩୬ ଡିଜିଟାଲ ବିଜ୍ଞାପନ ଦେଖାଇଛନ୍ତି । ଏହାକୁ ହିସାବକୁ ନେଲେ ପ୍ରତିଦିନ ଏକ ହଜାର ଏବଂ ପ୍ରତି ଘଣ୍ଟା ୪୪ଟି ଆଡଭର୍ଟାଇଜମେଣ୍ଟ ୟୁଜର୍ସଙ୍କ ନିକଟରେ ପହଞ୍ଚୁଛି । ବର୍ତ୍ତମାନ ସୁଦ୍ଧା ୧.୧୬ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି ପଲିଟିକାଲ୍ ପାର୍ଟି । ସେପଟେ ମେଟା ଲାଇବ୍ରେରୀ ରିପୋର୍ଟ ମୁତାବକ, ଦିଲ୍ଲୀରେ ଶାସକ ଆପ୍‌କୁ ମାତ୍ ଦେବାକୁ ବିଜେପି ଏବବାଦରେ ବହୁତ ଆଗରେ ରହିଛି । ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ କେବଳ ଇଷ୍ଟାଗ୍ରାମ୍ ଓ ଫେସବୁକରେ ଅନଲାଇନ୍ ବିଜ୍ଞାପନ ପାଇଁ ୧.୭୬ କୋଟି ଟଙ୍କା ଖର୍ଚ୍ଚ କରିଛି । ହେଲେ କଂଗ୍ରେସ ଦଳ ମାତ୍ର ୧୦ ହଜାର ଟଙ୍କା ବ୍ୟୟ କରିଛି । ଆପ୍ ଆଦମୀ ପାର୍ଟି ମେଟାରେ ରୁଚି ରଖି ଭୋଟଙ୍କୁ ଆକୃଷ୍ଟ କରିବାକୁ ୭ଲକ୍ଷ ଟଙ୍କାର ବିଜ୍ଞାପନ କିଣିଛି । 

ଫେସବୁକ୍, ୟୁଟ୍ୟୁବ୍, ଇଷ୍ଟାଗ୍ରାମ୍, ଓ୍ବେବସାଇଟ୍, ମୋବାଇଲ୍ ଆପ୍ ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚୁଛି ଡିଜିଟାଲ ବିଜ୍ଞାପନ । ମାତ୍ର ଏହା ଉପରେ କଡ଼ା ନଜର ରଖିଛନ୍ତି ନିର୍ବାଚନ ଆୟୋଗ । ୨୦୨୪ ଲୋକସଭା ନିର୍ବାଚନରେ ପ୍ରଚାରକୁ ନେଇ କଠୋର ହୋଇଛନ୍ତି ସିଇସି । ସୋସିଆଲ୍ ମିଡିଆ ତୀକ୍ଷ୍ଣ ନଜରରେ ରହିଥିବା ବେଳେ ଡିଜିଟାଲ୍ ବିଜ୍ଞାପନକୁ ପ୍ରସାରଣ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ମଡେଲ୍ କୋର୍ଡ ଅଫ୍ କଣ୍ଡକ୍ଟ ଭାଙ୍ଗୁଥିଲେ ଏହାକୁ ତୁରନ୍ତ ଗୁଗଲ ଓ ମେଟାରୁ ହଟାଇ ଦିଆଯାଉଛି ।  

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.