ସାବଧାନ ! ଭୂତଳ ଜଳ କମୁଛି, ନଦୀ ହତ୍ୟାର ପାପରୁ ମୁକ୍ତ ହୋଇପାରିବା ତ ?

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଏବଂ ପରେ ଗଙ୍ଗାରେ ଅସ୍ଥି ବିସର୍ଜନର ପରମ୍ପରା ରହିଛି । ଗଙ୍ଗା ସିନା ପାପ ଧୋଇ ନେବ କିନ୍ତୁ ଆମେ ଆଉ ଆପଣ ନଦୀ ହତ୍ୟାର ପାପରୁ ମୁକ୍ତ ହୋଇପାରିବା ? ଜଳପୁରୁଷ ଡା.ରାଜେନ୍ଦ୍ର ସିଂଙ୍କ ଅନୁସାରେ କିଛି ବର୍ଷ ପୂର୍ବ ଯାଏ ଦେଶରେ ୭୫ ହଜାରରୁ ଅଧିକ ଛୋଟ-ବଡ଼ ନଦୀ ଥିଲା । ଯେଉଁଥିରୁ ଏବେ ଅଧା ନଦୀ ଶୁଖି କେବଳ ବର୍ଷା ଦିନିଆ ନଦୀ ପାଲଟିଛି କିମ୍ୱା ଗାଏବ ହୋଇଛି । ଇଣ୍ଡିଆ ୱାଟର ପୋର୍ଟାଲର ଏକ ରିପୋର୍ଟରେ କୁହାଯାଇଛି ଯେ ସ୍ୱାଧୀନତା ବେଳେ ଭାରତରେ ପ୍ରାୟ ୩୦ ଲକ୍ଷ ଜଳ ସଂରକ୍ଷଣ ସଂସାଧନ ଥିଲା । କିନ୍ତୁ ଅଧିକ ବ୍ୟବହାର, ସଂରକ୍ଷଣ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନରୁ ପ୍ରାୟ ୨୦ ଲକ୍ଷ ପୋଖରୀ, କୂଅ ଏବଂ ହ୍ରଦ ଶୁଖି ଯାଇଛି ।

ସାବଧାନ, ନଦୀଙ୍କ ଜୀବନ ନେଉଛି ଆପଣଙ୍କ ଘରେ ପାଣିର ପ୍ରବାହ...ବିଶେଷଜ୍ଞଙ୍କ ମତରେ ଭୂତଳ ଜଳସ୍ତର ଏବଂ ନଦୀ ଜଳ ମଧ୍ୟରେ ସିଧାସଳଖ ସଂଯୋଗ ରହିଛି । ଏହାର ଅର୍ଥ ଯଦି ଭୂତଳ ଜଳ ଖସିବ, ନଦୀ ଜଳ ମଧ୍ୟ ଶେଷ ହେବ । ରାଜସ୍ଥାନ ଏବଂ ହରିୟାଣାର ୨୦ ପ୍ରତିଶତ ସ୍ଥାନରେ ଭୂତଳ ଜଳ ସ୍ତର ୪୦ ମିଟର କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇଛି । ଗୁଜରାଟର ୧୨ ପ୍ରତିଶତ, ଚଣ୍ଡିଗଡ଼ରେ ୨୨ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୪ ପ୍ରତିଶତ ସ୍ଥାନରେ ଭୂତଳ ଜଳ ସ୍ତର ୪୦ ମିଟର କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇଛି । ଭୂତଳ ଜଳ ସ୍ତର ହ୍ରାସ ଯୋଗୁଁ ଅନେକ ନଦୀ ମଧ୍ୟ ନିଜର ଅସ୍ତିତ୍ୱ ହରାଇଛନ୍ତି । 

ଓଡ଼ିଶାରେ ବି ସ୍ଥିତି ଭଲ ନୁହେଁ । ୨୦୧୯ରେ ତତ୍କାଳୀନ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ତଥ୍ୟ ଦେଇଥିଲେ ଯେ ୨୦୦୯ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୧୧୨କୋଟି କ୍ୟୁବିକ୍‌ ମିଟର ଅର୍ଥାତ୍‌ ୬.୭୧% ଭୂତଳ ଜଳ ହ୍ରାସ ପାଇଛି । ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ଓ୍ବାଟର ବୋର୍ଡର ତଥ୍ୟ ଅନୁଯାୟୀ, ୨୦୦୯ରେ ରାଜ୍ୟ ଭୂତଳ ଜଳସ୍ତର ୧୬ ଶହ ୬୯ କୋଟି କ୍ୟୁବିକ୍‌ ମିଟର ଥିବାବେଳେ ୨୦୧୭ ବେଳକୁ ତାହା ହ୍ରାସ ପାଇ ୧୫୫୭ କୋଟି କ୍ୟୁବିକ୍‌ ମିଟରରେ ପହଞ୍ଚଛି । ୨୦୧୩ରୁ୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳର ବ୍ୟବହାର ୩୦ ପ୍ରତିଶତରୁ ବୃଦ୍ଧିପାଇ ୪୨ପ୍ରତିଶତରେ ପହଞ୍ଚଛି ।

ଜାତିସଂଘ ବି ଚେତାବନୀ ଦେଇ ସାରିଛି ଯେ ହିମାଳୟ ନଦୀର ଜଳ, ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଜଳ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ଯେଉଁଥି ପାଇଁ ୨୦୫୦ ସୁଦ୍ଧା ପ୍ରାୟ ୨୫୦ କୋଟି ଲୋକ ଜଳ ସଂକଟର ସାମନା କରିବେ । ଗଙ୍ଗା ଠାରୁ ଯମୁନା, ଗୋଦାବରୀ ଠାରୁ କାଭେରୀ ପର୍ଯ୍ୟନ୍ତ ବଡ଼ ଏବଂ ଛୋଟ ନଦୀର ଅସ୍ତିତ୍ୱ ବିପଦରେ ଅଛି । ସାବରମାତୀ ନଦୀ ଯାହା ଦିନେ ଗୁଜରାଟର ଜୀବନ ରେଖା ଥିଲା, ଦ୍ରୁତ ସହରୀକରଣ, ଶିଳ୍ପାୟନ ଏବଂ ଅତ୍ୟଧିକ ବ୍ୟବହାର ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଯେଉଁଥି ପାଇଁ ଏହା ଶୁଖିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ଆସାମରେ ୪୪ ନଦୀ, ମଧ୍ୟପ୍ରଦେଶରେ ୨୨, କେରଳର ୨୧, ଗୁଜରାଟର ୨୦, କର୍ଣ୍ଣାଟକର ୧୭, ପଶ୍ଚିମବଙ୍ଗର ୧୭, ଉତ୍ତରପ୍ରଦେଶର ୧୨ ଏବଂ ଗୋଆର ୧୦ ନଦୀ ସବୁଠୁ ଅଧିକ ପ୍ରଦୂଷିତ । ଅନେକ ଯୋଜନା କରାଯାଉଛି କିନ୍ତୁ ନଦୀର ଖରାପ ଅବସ୍ଥା ସୁଧାରିବା ଦିଗରେ କିଛି କରାଯାଉ ନାହିଁ । ପରିବେଶବିଦଙ୍କ ଭୟ ଯେ ଆହୁରି ଅନେକ ନଦୀ ଅଛି ଯାହା ଏବେ ବିଲୁପ୍ତ ହେବାକୁ ଯାଉଛି । 

ଭୂତଳ ଜଳର ନିରନ୍ତର ଶୋଷଣ ନଦୀ ଶୁଖିବାରେ ଏକ ପ୍ରମୁଖ କାରଣ । ଏହା ବ୍ୟତୀତ ଦ୍ରୁତ ଗତିରେ ଗଛ ସଂଖ୍ୟା କମିବା ଏବଂ ନଦୀ କୂଳରେ ଜନସଂଖ୍ୟା ବୃଦ୍ଧି ମଧ୍ୟ ନଦୀ ନଷ୍ଟର ଅନ୍ୟ କାରଣ । ଆଜି ଏପରି କଠୋର ନିୟମର ଆବଶ୍ୟକତା ଅଛି ଯାହା ଭୂତଳ ଜଳ ଶୋଷଣକୁ ବନ୍ଦ କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିୟମଗୁଡ଼ିକ କେବଳ କାଗଜରେ ସୀମିତ ନରହିବା ଦରକାର । ଆମେ ବିଲୁପ୍ତ ନଦୀଗୁଡିକୁ ଫେରାଇ ତ ଆଣିପାରିବାନି, କିନ୍ତୁ ଶୁଖିଯାଉଥିବା କିମ୍ବା ସଂକୁଚିତ ହେଉଥିବା ନଦୀଗୁଡ଼ିକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇପାରିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.