ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ, ସ୍ୱାଗତ ପାଇଁ ବିଜେଡିର ବିରାଟ ପଟୁଆରା

Published By : Prameya-News7 Bureau | April 30, 2024 IST

ବ୍ରହ୍ମପୁର୩୦।୦୪:  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିବେ । ସେ ପ୍ରଥମେ ମା' ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ଛତ୍ରପୁର ଯାଇ ସେଠାରେ ପ୍ରାର୍ଥିପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ ହୋଇଥିବା ସୂଚନା ମିଳିଛି ।

୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଥର ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ଲଢ଼ୁଛନ୍ତି । ତଥାପି ହିଞ୍ଜିଳି ତାଙ୍କ ପ୍ରାଥମିକତା ସୂଚୀରେ ରହିଛି । ଆସିକା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଆସନ୍ତା ୨୦ ତାରିଖରେ ମତଦାନ ହେବ । ସେଥିପାଇଁ ଏବେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ସେହିକ୍ରମରେ ମୁଖ୍ୟମନ୍ତ୍ରୀନାମାଙ୍କନ କରିବାକୁ ମଙ୍ଗଳବାର ଗଞ୍ଜାମ ଗସ୍ତରେ ଆସୁଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ଦିନ ୧୧ଟାରେ ତାରାତାରିଣୀ ପୀଠ ନିକଟ ନରସିଂହପୁର ଛକରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଯାଇ ମା' ତାରାତାରିଣୀଙ୍କ ଦର୍ଶନ କରିବା ପରେ ପୁଣି ହେଲିକପ୍ଟର ଯୋଗେ ଛତ୍ରପୁର ଅନ୍‌ସ୍ଲୋ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ପରେ ଛତ୍ରପୁର ସର୍କିଟ୍‌ ହାଉସ୍‌ରୁ ବାହାରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅପରାହ୍ନ ୧ଟା ୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରୁ ଭୁବନେଶ୍ୱର ଫେରିବା କାର୍ଯ୍ୟସୂଚୀ ରହିଛି । 

ସୁରକ୍ଷା ଦୃଷ୍ଟିରୁ ୧୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମକ୍‌ଡ୍ରିଲ୍‌ କରାଯାଇଥିଲା । ବରିଷ୍ଠ ପୁଲିସ ଅଫିସରମାନେ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ସମୟରେ ଜିଲ୍ଲାର ବହୁ ପ୍ରାର୍ଥୀ, ନେତା ଓ କର୍ମୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.