LIVE TV

ଯୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଜେଲେନସ୍କି କଲେ ଅନୁରୋଧ, କହିଲେ – ଏହି ଶାନ୍ତି ପ୍ରକ୍ରିୟା ଆଗକୁ ଜାରି ରଖନ୍ତୁ

NEWS7
Zelensky

କିଭ୍‌ – ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ରୁଷ୍‌ ସହ ଚାଲି ଥିବା ଯୁଦ୍ଧକୁ ବନ୍ଦ କରିବାକୁ ଅନୁରୋଧକୁ ଦୋହରାଇଛନ୍ତି। ସେ ଗାଜାରେ ଶାନ୍ତି ଚୁକ୍ତି ପରେ ଶାନ୍ତି ପ୍ରକ୍ରିୟାର ଗତିକୁ ଜାରି ରଖିବା ଉପରେ ଜୋର ଦେଇଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଜେଲେନସ୍କି ଲେଖିଛନ୍ତି ଯେ, ମଧ୍ୟ ପୂର୍ବରେ ଯୁଦ୍ଧ ଏବେ ସମାପ୍ତି ଆଡ଼କୁ ବଢୁଛି , ଏଥିପାଇଁ ଶାନ୍ତିକୁ ଆଗକୁ ବଢାଇବାର ଏହି ଗତିକୁ ବନ୍ଦ କରାଯିବା ଉଚିତ୍‌ ନୁହେଁ। ୟୁରୋପରେ ମଧ୍ୟ ଯୁଦ୍ଧକୁ ବନ୍ଦ କରାଯାଇ ପାରେ, ଏବଂ ଏଥିରେ ଆମେରିକା ତଥା ଅନ୍ୟ ସହଯୋଗୀଙ୍କ ନେତୃତ୍ୱ ଖୁବ୍‌ ନିର୍ଣ୍ଣାୟକ ଭୂମିକା ନେଇପାରେ।

ରାଷ୍ଟ୍ରପତି ଜେଲେନସ୍କି ଆହୁରି କହିଛନ୍ତି , ସେ ଫିନିଶ୍‌ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଷ୍ଟବ୍‌ଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଫୋନ୍‌ରେ ଆଲୋଚନା କରିଛନ୍ତି, ଯେଉଁଥିରେ ସେ ଏହି ମାମଲା ଉପରେ ବିଚାର କରିବା ଓ ସମନ୍ୱୟ ସ୍ଥାପିତ କରିବାର ଉପରେ ଧ୍ୟାନ ଦେଇଥିଲେ। ଗାଜା ଶାନ୍ତି ଯୋଜନା ହାସଲ କରିବାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ସଫଳତାର ଉଲ୍ଲେଖ କରି ଜେଲେନସ୍କି କହିଛନ୍ତି ଯେ,ୱାଶିଂଟନର ଏମିତି ହିଁ ସକ୍ରିୟତା ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାରେ ମଧ୍ୟ ସହାୟକ ସିଦ୍ଧ ହୋଇପାରେ।

ସେ ଜୋର ଦେଇ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ବନ୍ଧକଙ୍କ ମୁକ୍ତି ସୁନିଶ୍ଚିତ କରିବା ଓ ଗାଜାରେ ଯୁଦ୍ଧକୁ ରୋକିବା ପାଇଁ ନିଆଯାଇ ଥିବା ପଦକ୍ଷେପ ବାସ୍ତବିକ ପ୍ରଶଂସନୀୟ। ନିଶ୍ଚିତ ଭାବରେ , ଆମେରିକାର ସଠିକ୍‌ ଦିଗରେ କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ ରୁଷ୍ ବିରୋଧରେ ୟୁକ୍ରେନ ଉପରେ ଚାଲୁଥିବା ଯୁଦ୍ଧକୁ ମଧ୍ୟ ବନ୍ଦ କରିବାରେ ସାହାଯ୍ୟକାରୀ ହେବ। ଆମ ପାଖରେ ଏଥିପାଇଁ ଏକ ପ୍ରମୁଖ ରଣନୀତି ମଧ୍ୟ ପ୍ରସ୍ତୁତ ଅଛି। ଜେଲେନସ୍କି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ସେ ଓ ଷ୍ଟବ୍‌ ନିକଟରେ ରୁଷ୍‌ ଆକ୍ରମଣରେ ପ୍ରଭାବିତ ଯୁକ୍ରେନ୍‌ ଶକ୍ତି କ୍ଷେତ୍ର ତଥା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବାର ଆବଶ୍ୟକତା ଦିଗରେ ମଧ୍ୟ ବିଚାର ବିମର୍ଶ କରିଥିଲେ।

ସେ କହିଛନ୍ତି ଯେ, ମୁଁ ସହାୟତା ପାଇଁ ତାଙ୍କର ତତ୍ପରତା ପ୍ରତି କୃତଜ୍ଞ। ଯୁଦ୍ଧ ଓ ଆତଙ୍କବାଦର ଉତ୍ସରୁ ରୁଷ୍‌କୁ ବଞ୍ଚିତ କରିବା ଉଚିତ୍‌, ଯାହା ଆମର ଅଞ୍ଚଳରେ ଶାନ୍ତିର ସବୁଠୁ ଦୃଢ ଆଧାର ସାଜିବ। ଚଳିତ ସପ୍ତାହର ଶେଷରେ ଜେଲେନସ୍କି ଟ୍ରମ୍ପଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇ ଥିଲେ, ଯେଉଁଥିରେ ସେ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଦେଇଛନ୍ତି ଏବଂ କହିଛନ୍ତି, ଯଦି ଗୋଟିଏ ସ୍ଥାନର ଯୁଦ୍ଧ ବନ୍ଦ କରାଯାଇ ପାରୁଛି , ତ ନିଶ୍ଚିତ ରୂପେ ରୁଷୀୟ ଯୁଦ୍ଧକୁ ମଧ୍ୟ ବିରାମ ଦିଆଯାଇ ପାରେ।