ଧର୍ମସ୍ଥଳରେ ୪ ୟୁଟ୍ୟୁବରଙ୍କୁ ମରଣାନ୍ତକ ଆକ୍ରମଣ, 'ଗଣହତ୍ୟା' ମାମଲାରେ ନେଉଥିଲେ ସାକ୍ଷାତକାର

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ: ଦକ୍ଷିଣ କନ୍ନଡ ଜିଲ୍ଲାର ଧର୍ମସ୍ଥଳ ନିକଟରେ ଗଣକବର ମାମଲାରେ ତଦନ୍ତ ଚାଲିଛି। ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି। ଘଟଣାର ରିପୋର୍ଟିଂ ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ୟୁଟ୍ୟୁବରଙ୍କ ସୁଅ ଛୁଟୁଛି।  YouTube ଚ୍ୟାନେଲର ୪ ଜଣ ବ୍ୟକ୍ତି ସାକ୍ଷାତକାର ନେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାଟି ୨୦୧୨ ମସିହାରେ ଧର୍ମସ୍ଥଳରେ ଦୁଃଷ୍କର୍ମ ଏବଂ ମୃତ ଅବସ୍ଥାରେ ମିଳିଥିବା ଜଣେ କଲେଜ ଛାତ୍ରୀଙ୍କ ଘର ନିକଟରେ ଘଟିଥିଲା।

ଅଜୟ ଅଞ୍ଚନ, ଅଭିଷେକ, ବିଜୟ ଏବଂ ଜଣେ କ୍ୟାମେରାମ୍ୟାନ୍ "ବିଗ୍ ବସ୍ କନ୍ନଡ" ଷ୍ଟାର ରଜତଙ୍କ ସାକ୍ଷାତକାର ନେଉଥିଲେ। ସେତେବେଳେ ପ୍ରାୟ ୫୦ ରୁ ୬୦ ଜଣ ଲୋକ ପାଙ୍ଗଳା କ୍ରସ୍ ନିକଟରେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ କ୍ୟାମେରା ଏବଂ ଅନ୍ୟାନ୍ୟ ମେସିନ୍ ମଧ୍ୟ ଭାଙ୍ଗି ଦେଇଥିଲେ। ଚାରି ଜଣଙ୍କୁ ଉଜିରେର ବେନାକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି। ପୋଲିସ ତଦନ୍ତ ଆରମ୍ଭ କରିଛି।

ପାଙ୍ଗଳା କ୍ରସରେ ଘଟଣା ପରେ ଦୁଇଟି ଗୋଷ୍ଠୀ ପରସ୍ପରକୁ ଗାଳିଗୁଲଜ କରିଥିଲେ। ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ପୋଲିସ ଭିଡ଼କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଯେତେବେଳେ ନିୟନ୍ତ୍ରଣକୁ ନଆସିବାରୁ ମୃଦ୍ୟୁ ଲାଠିଚାର୍ଜ କରାଯାଇଥିଲା। ପୋଲିସ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।  ଦକ୍ଷିଣ କନ୍ନଡ ଜିଲ୍ଲା ପୋଲିସ ଅଧିକ୍ଷକ ଅରୁଣ କେ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ନିଶ୍ଚିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପ୍ରକାଶଥାଉକି କର୍ଣ୍ଣାଟକର ଟେମ୍ପଲ ଟାଉନ୍ ଧର୍ମସ୍ଥଳ ମାମଲା ଏବେ ଚର୍ଚ୍ଚାର ପ୍ରସଙ୍ଗ। ଜଣେ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତିଯେ ୧୫ ବର୍ଷ ଧରି ଏଠାରେ ମହିଳାମାନଙ୍କୁ ସାମୂହିକ ଭାବରେ କବର ଦିଆଯାଇଥିଲା। ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ଏବଂ ଏହାକୁ ଘୋଡାଇବା ପାଇଁ ଚେଷ୍ଟା କରାଯାଇଥିଲା। ଏହା ଦେଢ଼ ଦଶନ୍ଧି ଧରି ଜାରି ରହିଥିଲା। 

ଏହା ଉପରେ କର୍ଣ୍ଣାଟକ ମନ୍ତ୍ରୀ ଈଶ୍ୱର ଖଣ୍ଡାରେ କହିଛନ୍ତି ଯେ ଯଦି ତଦନ୍ତରୁ ପ୍ରମାଣିତ ହୁଏ ଯେ ମୃତଦେହଗୁଡ଼ିକୁ ଧର୍ମସ୍ଥଳର ଜଙ୍ଗଲ ଅଞ୍ଚଳରେ ଅବୈଧ ଭାବରେ ପୋତାଯାଇଥିଲା, ତେବେ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.