ଯାଜପୁର ୧୯।୦୮ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭରତ ଦାସ। ମେଡିକାଲ ପରିସରରେ ଉତ୍ତେଜନା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭରତ ଦାସ ( ୩୦ ବର୍ଷ) ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଭରତ ବିଷ ପିଇଥିବା ସନ୍ଦେହରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ଥିଲା। ମଙ୍ଗଳବାର ସେ ମେଡିକାଲରୁ ଡିସଚାର୍ଜ ହୋଇଥାନ୍ତେ। ସକାଳୁ ଭରତ ବୁଲାବୁଲି ବି କରୁଥିଲେ। ହେଲେ ସକାଳେ ଷ୍ଟାଫ୍ ନର୍ସ ଭରତଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଭରତଙ୍କ ପରିବାର ଲୋକେ ଭୁଲ୍ ଇଞ୍ଜେକ୍ସନ୍ରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଚିକିତ୍ସାଳୟରେ ପୁଲିସ ମୁତୟନ ହୋଇଛନ୍ତି।