ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହେବେ ସୁଦର୍ଶନ ରେଡ୍ଡୀ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ। ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିସାରିଛି ଏନଡିଏ। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ କରିଛି ପ୍ରାର୍ଥୀ।
ଇଣ୍ଡିଆ ମେଣ୍ଟର ଶୀର୍ଷ ନେତାମାନେ ୩ ଜଣଙ୍କ ନାମ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଚନ୍ଦ୍ରାୟନ-୧ର ନେତୃତ୍ୱ ନେଇଥିବା ପୂର୍ବତନ ISRO ବୈଜ୍ଞାନିକ ମଲ୍ଲସ୍ୱାମୀ ଅନ୍ନଦୁରାଇଙ୍କ ନାମ ରହିଥିଲା। ଆଲୋଚନା ହେଉଥିବା ନାମଗୁଡ଼ିକ ମଧ୍ୟରୁ ଅନ୍ୟ ଜଣେ ଥିଲେ ତାମିଲନାଡୁର ଡିଏମକେ ସାଂସଦ ତିରୁଚି ଶିବ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉପରାଷ୍ଟ୍ରପତି ପଦ ପାଇଁ ପୂର୍ବତନ ବିଚାରପତିଙ୍କ ନାମ ଘୋଷଣା କରିବା ସମୟରେ କହିଛନ୍ତି ଯେ ରେଡ୍ଡି ଭାରତର ସବୁଠାରୁ ସମ୍ମାନିତ ଆଇନ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ। ଯିଏ ଗୌହାଟି ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଖଡଗେ ଏହି ନିର୍ବାଚନକୁ ଆଦର୍ଶର ଯୁଦ୍ଧ ଭାବରେ ବର୍ଣ୍ଣନା କରିଛନ୍ତି। ଅଗଷ୍ଟ ୨୧ ତାରିଖରେ ସେ ତାଙ୍କର ନାମାଙ୍କନ ଦାଖଲ କରିବେ।