ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଚିନ୍ତାରେ ସାରା ବିଶ୍ୱ, ଆମେରିକା କହିଲା, ଏଥିରେ ଆମେ ପଶିବୁ ନାହିଁ, କେଉଁ ଦେଶ କ'ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | May 09, 2025 IST

wione

ନୂଆଦିଲ୍ଲୀ: ଗୁରୁବାର ରାତିରେ ପାକିସ୍ତାନ ଭାରତର ଜମ୍ମୁ, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ସହରରେ ମିସାଇଲ୍ ଓ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଭାରତ ମଧ୍ୟ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ବିଶ୍ୱର ବିଭିନ୍ନ ଦେଶ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ଉତ୍ତେଜନାକୁ ଏଡାଇବା ପାଇଁ ଉଭୟ ପକ୍ଷଙ୍କୁ ସେମାନେ ଅନୁରୋଧ କରିଛନ୍ତି।   

ଉତ୍ତେଜନା ହ୍ରାସ ପାଇଁ ଆମେରିକାର ଅନୁରୋଧ

ଆମେରିକା ଉଭୟ ଭାରତ ଓ ପାକିସ୍ତାନକୁ ଉତ୍ତେଜନାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।  ବୈଦେଶିକ ବିଭାଗର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି, " ବୈଦେଶିକ ସଚିବ ମାର୍କୋ ରୁବିଓ ଆଜି ଭାରତୀୟ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ସଚିବ ତୁରନ୍ତ ଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।" କେବଳ ସେତିକି ନୁହେଁ ରୁବିଓ ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନାକୁ ଆମେରିକା ସମର୍ଥନ କରିବା ବୋଲି ରୁବିଓ ଅଫର ଦେଇଛନ୍ତି ବୋଲି ଟାମି ବ୍ରୁସ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, "ସଚିବ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପାଇଁ ତାଙ୍କର ଶୋକ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ କାମ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି।"

ସେହିପରି ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି ମଧ୍ୟ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ତେବେ ଆମେରିକାର ମୌଳିକ ଭାବେ ଏଥିରେ କୌଣସି ଯାଏଆସ ନାହିଁ। ଆମେରିକା ଯୁଦ୍ଧରେ ଭାଗ ନେବ ନାହିଁ ବୋଲି ଜେଡି ଭେନ୍ସ କହିଛନ୍ତି
ଏହାକୁ ନିୟନ୍ତ୍ରଣ କରିବାରେ ଆମେରିକା କ୍ଷମତା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି।

ତୁର୍କିଏ କହିଲା ଆଲୋଚନା କରି ସମାଧାନ କର

ତୁର୍କିଏ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ କହିଛନ୍ତି, " ମିସାଇଲ ମାଡ଼ ସହିତ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଏକ ଖୋଲା ସଂଘର୍ଷରେ ପରିଣତ ହେଉଛି। ଯାହା ଫଳରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଆମେ ପୁଣି ଥରେ ଭାତ୍ରୁରାଷ୍ଟ୍ର ଏବଂ ପାକିସ୍ତାନ ରାଜ୍ୟ ପ୍ରତି ଆମର ସମବେଦନା ଜଣାଉଛୁ। "ତା ସହିତ ତୁର୍କିଏ ସମସ୍ୟାର ସମାଧାନ ପାଇଁ ଆଲୋଚନାର ମାର୍ଗ ଖୋଲିବାକୁ ସବୁ ପ୍ରକାର ରାସ୍ତା ଖୋଲିବାକୁ ପ୍ରୟାସ କରୁଛି ବୋଲି ଏର୍ଦୋଗାନ କହିଛନ୍ତି।

ବ୍ରାଜିଲ କହିଲା ସଂଯମତା ରକ୍ଷା କର

ବ୍ରାଜିଲ ସରକାର କାଶ୍ମୀରରେ ଉଭୟ ଭାରତ ଓ ପାକିସ୍ତାନର ସାମରିକ କାର୍ଯ୍ୟକଳାପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହିତ ଉତ୍ତେଜନା ବୃଦ୍ଧିକୁ ରୋକିବା ପାଇଁ ବ୍ରାଜିଲ ଉଭୟ ପକ୍ଷକୁ ସର୍ବାଧିକ ସଂଯମତା ଅବଲମ୍ବନ କରିବାକୁ ଆହ୍ୱାନ କରୁଛି। ତା ସହିତ ଜାମ୍ମୁ-କାଶ୍ମୀର ଏବଂ ଏହାର ଆଖପାଖ ଅଞ୍ଚଳ ଭ୍ରମଣରେ ନ ଯିବାକୁ ନିଜ ଦେଶର ନାଗରିକଙ୍କୁ ମନା କରିଛି। 

ପଢ଼ନ୍ତୁ- ମାତ୍ର ୬୦ କିମି ଦୂରରେ ନୌସେନା ସମରାଭ୍ୟାସ୍ କରିବେ ଭାରତ ଓ ପାକିସ୍ତାନ: ପୁଣି ଯୁଦ୍ଧ ଆଶଙ୍କା

କୂଟନୈତିକ ଆଲୋଚନା ପାଇଁ ନରୱେରେ ଗୁରୁତ୍ୱ

ନରୱେର ବୈଦେଶିକ ମନ୍ତ୍ରୀ ଏସ୍ପେନ୍ ବାର୍ଥ ଏଡେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନରୱେ ଉଭୟ ପକ୍ଷକୁ ସଂଯମତା ଅବଲମ୍ବନ କରିବା ସହିତ ପରିସ୍ଥିତିକୁ କମ କରିବାକୁ ଏବଂ ଏକ କୂଟନୈତିକ ସମାଧାନ ଖୋଜିବାକୁ ଆହ୍ୱାନ କରୁଛି।” ତେବେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏଡେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.