ପାକିସ୍ତାନର ଦରିଦ୍ର ଅବସ୍ଥାକୁ ପଦାରେ ପକାଇଦେଲେ ବିଶ୍ୱବ୍ୟାଙ୍କ, ଜାଣନ୍ତୁ ରିପୋର୍ଟରେ କହିଛନ୍ତି କ’ଣ?

Published By : Prameya-News7 Bureau | May 26, 2025 IST

ଇସ୍ଲାମାବାଦ ୨୬।୫: ଭାରତ-ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାରେ ୱାର୍ଲଡ ବ୍ୟାଙ୍କର ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ପାକିସ୍ତାନର ଦରିଦ୍ର ଅବସ୍ଥାକୁ ବିଶ୍ୱବ୍ୟାଙ୍କ ପଦାରେ ପକାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ପାକିସ୍ତାନରେ ଗରିବୀ ବଢିବା ପଛରେ ଜେନେରାଲ ସେଲସ୍ ଟ୍ୟାକ୍ସ (ଜିଏସଟି)ର ବଡ଼ ଭୂମିକା ରହିଛି। ‘ଦି ଇଫେକ୍ଟସ୍ ଅଫ ଟ୍ୟାକ୍ସେସ ଆଣ୍ଡ ଟ୍ରାନ୍ସଫର୍ସ ଅନ ଇନିକ୍ୱାଲିଟି ଆଣ୍ଡ ପଭର୍ଟି ଇନ ପାକିସ୍ତାନ’ ଶୀର୍ଷକ ଏହି ରିପୋର୍ଟରେ ଜିଏସଟି ଦେୟ ପ୍ରି ଟ୍ୟାକ୍ସ ଏକ୍ସପେଣ୍ଡିଚରରୁ ୭%ରୁ ଅଧିକ ବୋଲି ଦର୍ଶାଯାଇଛି। 

ଏହି କାରଣରୁ ପାକିସ୍ତାନରେ ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଅଧିକ ଦୁର୍ବଳ ହୋଇ ପଡୁଛି ବୋଲି ରିପୋର୍ଟରେ କୁହାଯାଇଛି। ପାକିସ୍ତାନୀ ସମ୍ବାଦପତ୍ର ‘ଡନ’ ବିଶ୍ୱବ୍ୟାଙ୍କ ରିପୋର୍ଟର ଉଦାହରଣ ଦେଇ ଜିଏସଟି ଦେଶର ଦାରିଦ୍ର୍ୟତା ବଢାଇବାରେ ସବୁଠୁ ବଡ଼ କାରଣ ବୋଲି ଉଲ୍ଲେଖ କରିଛି। ଏହା ଛଡା ରିପୋର୍ଟରେ ଏହା ବି କୁହାଯାଇଛି ଯେ ଦେଶରେ ଅସମାନତା ଉପରେ ଦ୍ୱିତୀୟ ସବୁଠୁ ବଡ଼ ପ୍ରଭାବୀ କାରଣ ହେଉଛି ପ୍ରି ପ୍ରାଇମେରୀ ଓ ପ୍ରାଇମେରୀ ଏଜୁକେସନ ଉପରେ ହେଉଥିବା ବିପୁଳ ବ୍ୟୟ। 

ତେବେ ଏଥିରେ ଗରିବ ପରିବାରଙ୍କୁ ମାସିକ ନଗଦ ସହାୟତା ପ୍ରଦାନ କରୁଥିବା ବେନଜୀର ଇନକମ ସପୋର୍ଟ ପ୍ରୋଗ୍ରାମ (ବିଆଇଏସପି) ପାକିସ୍ତାନରେ ଅସମାନତା ଦୂର କରିବାରେ ସବୁଠୁ ପ୍ରଭାବଶାଳୀ କାର୍ଯ୍ୟକ୍ରମରେ ପରିଣତ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ବିଆଇଏସପି କ୍ୟାସ୍ ଟ୍ରାନସଫର ଦେଶରେ ଅସମାନତାକୁ ହ୍ରାସ କରିବାରେ ସବୁଠୁ ବଡ଼ ମାର୍ଜିନାଲ କଣ୍ଟ୍ରିବ୍ୟୁସନ ଦେଉଛି। ଏଥିରେ ନାଗରିକଙ୍କୁ ଦୁଇ ଓଳା ପେଟପୁରା ଖାଇବାକୁ ଦେଇ ପାରୁନଥିବା ଦେଶ ଭାରତ ଭଳି ଏକ ବୃହତ୍ତ ଅର୍ଥନୀତି ସହ ଲଢିବା ପାଇଁ ଲଗାତାର ଉଦ୍ୟମ ଚଳାଇ ଆସିଥିବା ବେଳେ ଏଥି ପାଇଁ ସମସ୍ତ ସଂସାଧନ ବ୍ୟୟ କରି ଦେଉଥିବା ରିପୋର୍ଟରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.