ବିଶାଖାପାଟନମ: ଦିନିକିଆ ମହିଳା କ୍ରିକେଟ ବିଶ୍ୱକପ୍‌ରେ ୧୩ ତମ ମ୍ୟାଚ୍‌ରେ ରବିବାର ଭାରତ ଅଷ୍ଟ୍ରେଲିଆ  ଠାରୁ ୩ ୱିକେଟ୍‌ରେ ପରାସ୍ତ ହୋଇଛି। ଭାରତର ୩୩୧ ରନ୍‌ର ଟାର୍ଗେଟ୍‌କୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ହାସଲ କରି ନେଇଛି। ମ୍ୟାଚ୍ ଜିତିବା ପାଇଁ ଯଦିଓ ଭାରତ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲା ହେଲେ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ଆଲିସା ହେଲି ସବୁ ଖେଳ ବିଗାଡ଼ି ଦେଇଥିଲେ। ସେ ୩୮.୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖି ଦଳ ପାଇଁ ସର୍ବାଧିକ ୧୪୨ ରନ୍ କରିଥିଲେ। ଶେଷ ପର୍ଯ୍ୟନ୍ତ ଏଲିସେ ପେରୀ ଓ କିମ୍ ଗାର୍ଥ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ। ଶେଷକୁ ପେରୀ ୬ ମାରି ମ୍ୟାଚ୍ ଜିତାଇଥିଲେ। ଆଜିର ମ୍ୟାଚ୍‌ରେ ପେରୀ ୪୭ ରନ୍ କରିଥିବା ବେଳେ ଗାର୍ଥ ୧୪ ରନ୍ କରିଥିଲେ।

ଭାରତର ୩୩୧ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ପଡ଼ିଆକୁ ଓହ୍ଲାଇଥିଲା। ୧୧.୨ ଓଭର ଖେଳ ବେଳେ ଦଳୀୟ ସ୍କୋର ୮୫ରେ ଦଳ ପ୍ରଥମ ୱିକେଟ ହରାଇଥିଲା। ଫବି ଲିଚଫିଲ୍ଡ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ୨୬.୨ ଓଭର ଦ୍ୱିତୀୟ ୱିକେଟ ପଡ଼ିଥିଲା। ବେଥ ମୋନୀ ମାତ୍ର  ରନ୍ କରି ଆଉଟ ହୋଇଥିଲେ। ହେଲେ କ୍ୟାପ୍ଟେନ୍ ଆଲିସା ହେଲି ସବୁ ଖେଳ ବିଗାଡ଼ିଥିଲେ। ଭାରତୀୟ ବୋଲରଙ୍କ ଉପରେ କଡ଼ା ପ୍ରାହର କରି ମ୍ୟାଚ ଜିତାଇବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ହେଲି ସର୍ବାଧିକ ୧୪୨ ରନ୍ କରିଥିବା ବେଳେ ଆଲିସେ ପେରୀ ୪୭ ରନ୍, ଫବି ଲିଚଫିଲ୍ଡ ୪୦ ରନ୍, ଆସଲେର ଗାର୍ଡନେର ୪୬ ରନ୍ କରିଥିଲେ। ଦଳ ୪୯ ଓଭରରେ ୭ ୱିକେଟ ହରାଇ ୩୩୧ ରନ୍ କରି ନେଇଥିଲା।

ଭାରତ ପକ୍ଷରୁ ଶ୍ରୀ ଚରଣୀ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅମନଜୋତ କୌର ଓ ଦୀପ୍ତି ଶର୍ମା ଦୁଇଟି ଲେଖାଏ ୱିକେଟ ନେଇଥିଲେ। ତେବେ ଗତ କିଛି ହେବ ଭଲ ପ୍ରଦର୍ଶନ କରି ଆଶୁଥିବା କ୍ରାନ୍ତି ଗୌଡ ଓ ସ୍ନେହ ରାଣା ଏଥର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଉଭୟଙ୍କୁ ଗୋଟିଏ ବି ସଫଳତା ମିଳି ନଥିବା ବେଳେ ଯଥାକ୍ରମେ ସ୍ନେହଁ ୮୫ ଓ କ୍ରାନ୍ତି ୭୩ ରନ୍ ଦେଇଥିଲେ। ​​​​​​​

ବିଶ୍ୱକପରେ ଏହା ଭାରତର ଦ୍ୱିତୀୟ ପରାଜୟ। ଏହା ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା। ତଥାପି ପଏଣ୍ଟ ଟେବୁଲରେ ଭାରତ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ରୁ ୩ଟି ଜିତି ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟରେ ଇଂଲଣ୍ଡ ୩ ମ୍ୟାଚ୍ ଖେଳି ୩ଟି ମ୍ୟାଚ୍ ଜିତିଛି। ତା ପଛକୁ ଭାରତ ୪ ମ୍ୟାଚ୍ ଖେଳି ଦୁଇଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜୟ ହୋଇଛି। ଆସନ୍ତା ମୁକାବିଲା ଭାରତ ଅକ୍ଟୋବର ୧୯ ତାରିଖରେ ଇଂଲଣ୍ଡ ସହ ଖେଳିବ। ଏହି ମ୍ୟାଚ୍ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବ। ​​​​​​​