ନୂଆଦିଲ୍ଲୀ ୧୪/୮: ପୁଣି ରାଜଧାନୀ ଦିଲ୍ଲୀରୁ ଆସିଛି ଲଜ୍ଜାଜନକ ଘଟଣା । ଥଣ୍ଡା ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଛାନ୍ଭିନ୍ । ରବିବାର ରାତିର ଘଟଣା । ଉତ୍ତର ଦିଲ୍ଲୀର ସିଭିଲ୍ସ ଲାଇନ୍ସରେ ଏକ ପାର୍ଟିରେ ଘଟିଛି ଅଘଟଣ । ପୋଲିସ ମଙ୍ଗଳବାର ମାମଲା ରୁଜୁ କରିଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପୀଡ଼ିତା ଗୁରୁଗ୍ରାମର ଏକ ଫାର୍ମରେ କାମ କରନ୍ତି । ତାଙ୍କ ଅଭିଯୋଗ ମୁତାବକ ରବିବାର ଦିନ ଜଣେ ପୁରୁଷ ବନ୍ଧୁ ତାଙ୍କୁ ସିଭିଲ ଲାଇନ୍ସରେ ରହୁଥିବା ଜଣେ ବନ୍ଧୁଙ୍କ ଘରେ ଆୟୋଜିତ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରି ସେ ଅଣ୍ଡର ହିଲ୍ ରୋଡ ନିକଟ ଘରକୁ ଯାଇଥିଲେ । ସେଠାରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆଉ ୩ ଜଣ ଯୁବକ ଥିଲେ । ସମସ୍ତେ ବିଳମ୍ବିତ ରାତି ଯାଏ ମଦ ପିଇବା ସହ ପାର୍ଟି କରିଥିଲେ । ଏସବୁ ଭିତରେ ହଠାତ କଣ ହେଲା ସେ ଜାଣିପାରିନଥିଲେ । ଥଣ୍ଡା ପାନୀୟ ପିଇବା ପରେ ଚେତା ହରାଇ ପଡିଥିଲେ ।
ଏହା ପରେ ୪ ଜଣ ତାଙ୍କୁ ୱାଶରୁମକୁ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହେଉଛି । ସେ ସବୁ ଜାଣିପାରୁଥିଲେ ମଧ୍ୟ ପ୍ରତିରୋଧ କରିପାରୁନଥିଲେ । ଜଣକ ପରେ ଜଣେ ପାଶବିକ ଅତ୍ୟାଚାର କରିବା ପରେ ମଧ୍ୟ ପିଶାଚଙ୍କ ମନ ମାନିନଥିଲା । ପୀଡିତାଙ୍କୁ ମାଡ ମାରିବା ସହ ପୁରା କାମର ଭିଡିଓ ରେକର୍ଡିଂ କରିଥିଲେ । ଆଉ ଧମକ ଦେଇଥିଲେ ପୋଲିସକୁ ଜଣାଇଲେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିଦେବେ । ଏହା ପରେ ତାଙ୍କୁ ସେଇ ଅବସ୍ଥାରେ ଘର ବାହାରେ ଆଣିଛାଡି ପଳାଇଥିଲେ । ପରେ ଯୁବତୀ ଜଣକ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ପୀଡିତାଙ୍କର ଡାକ୍ତରୀ ମାଇନା କରାଯାଇଛି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ସିଭିଲ ଲାଇନ୍ସରେ ଥିବା ଘରକୁ ଛାନ୍ଭିନ୍ ପାଇଁ ଯାଇଥିଲା । ତେବେ ଅଭିଯୁକ୍ତଙ୍କ ପତ୍ତା ମିଳିନି ।
ସେହିପରି ଅନ୍ୟ ଏକ ମାମଲାରେ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଚାକିରି ଦେବା ବାହାନାରେ ଜଣେ ପୁରୁଷ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୋମବାର ମୁଣ୍ଡକା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପୀଡିତା । ମହିଳା ଜଣକ ତାଙ୍କ ସ୍ବାମୀ ଓ ପିଲାମାନଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ ।ତେବେ ସ୍ବାମୀଙ୍କ ଅତ୍ୟାଚାରରୁ ରକ୍ଷା ପାଇବାକୁ ଦିଲ୍ଲୀ ପଳାଇ ଯାଇଥିଲେ । ସେ ଟ୍ରେନରେ ଯାଉଥିବା ସମୟରେ ଅଭିଯୁକ୍ତକୁ ଭେଟିଥିଲେ । କିଛି ସମୟ କଥାବାର୍ତ୍ତା ଭିତରେ ମହିଳା ଜଣକ ନିଜ ସମସ୍ୟା ସଂପର୍କରେ କହିଥିଲେ । ତାଙ୍କୁ ଦିଲ୍ଲୀରେ ରହିବା ଓ ଚାକିରି ଖୋଜିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପୁରୁଷ ଜଣକ । ପରେ ତାଙ୍କୁ ଭଡା ଘର ଖୋଜିବାରେ ସାହାଯ୍ୟ କରିଥିଲେ । ତେବେ ରବିବାର ଯୁବକ ଜଣକ ଭଡା ଘରକୁ ଜୋର ଜବରଦସ୍ତ ଆସି ଦୁଷ୍କର୍ମ କରିଥିଲେ । ସେ ଚାଲିଯିବା ପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।