ଚେର୍ଣ୍ଣୋବିଲ ଲାଗି ଘନେଇଲା ରେଡିଓଆକ୍ଟିଭ ଲିକେଜର ବିପଦ, ଜାଣନ୍ତୁ UN ରିପୋର୍ଟରେ ରହିଛି କ’ଣ?

NEWS7
why-was-the-man-who-attacked-saif-arguing-with-his-house-help

ନ୍ୟୁୟର୍କ ୭।୧୨: ଋଷିଆ-ୟୁକ୍ରେନ ଯୁଦ୍ଧମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଏହି ଯୁଦ୍ଧରେ ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟର ସୁରକ୍ଷା କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ଏଣୁ ରେଡିଓଆକ୍ଟିଭ ମେଟେରିଆଲ ଲିକ୍ ହେବାର ବିପଦ ଉପୁଜିଛି। ଜାତି ସଂଘର ପରମାଣୁ ଦେଖରେଖ କରୁଥିବା ସଂସ୍ଥା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ଦ୍ୱାରା ଜାରି ରିପୋର୍ଟରୁ ଏହା ଜଣାପଡିଛି। ଚେର୍ଣ୍ଣୋବିଲରେ ୧୯୮୬ ବିପର୍ଯ୍ୟୟ ପରେ ଏହି ସୁରକ୍ଷା କବଚ ନିର୍ମାଣ କରାଯାଇଥିଲା, ଯାହା ରେଡିଓଆକ୍ଟିଭ ତରଙ୍ଗକୁ ରୋକିବା କାମ କରିଥାଏ। ତେବେ ଗତ ଫେବୃଆରୀରେ ଯୁଦ୍ଧ ଯୋଗୁ ହୋଇଥିବା ଡ୍ରୋନ ଆକ୍ରମଣରେ ଏହି ସୁରକ୍ଷା କାନ୍ଥ ପ୍ରଭାବିତ ହୋଇଛି।

ଚେର୍ଣ୍ଣୋବିଲର ରେଡିଓଆକ୍ଟିଭ ତରଙ୍ଗ ନିୟନ୍ତ୍ରଣ କରିବା ପାଇଁ ୨୦୧୯ରେ ଷ୍ଟିଲର ଏକ ସଂରଚନା ନିର୍ମାଣ କରାଯାଇଥିଲା। ତେବେ ଆଇଏଇଏ ନିରୀକ୍ଷଣ କାଳରେ ଦେଖା ଯାଇଛି ଯେ ଯୁଦ୍ଧରେ ହୋଇଥିବା ଡ୍ରୋନ ଆକ୍ରମଣରେ ଏହି ସିଲ୍ଡ ଡ୍ୟାମେଜ ହୋଇଛି। ଏଥି ପାଇଁ ୟୁକ୍ରେନ ଏବେ ଋଷିଆକୁ ଦାୟି କରୁଛି। ତେବେ ଋଷିଆ ଏହାକୁ ଅସ୍ୱୀକାର କରୁଛି। ନିକଟରେ ଆଇଏଇଏ ନିରୀକ୍ଷଣ କାଳରେ ଏହା ଜଣାପଡିଛି ଯେ ପ୍ରୋଟେକ୍ଟିଭ ସିଲ୍ଡର ଉପରିଭାଗ ଡ୍ୟାମେଜ ହୋଇଛି। ତେବେ ଏହା ଯୋଗୁ ନ୍ୟୁକ୍ଲିୟର ପ୍ଲାଣ୍ଟର ସେପରି କୌଣସି ଗୁରୁତର କ୍ଷୟକ୍ଷତି ହୋଇ ନାହିଁ। ସିଲ୍ଡର ମରାମତି କରିଦିଆଯାଇଛି, ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରମାଣୁ ସୁରକ୍ଷା ସୁନିଶ୍ଚିତ କରିବାରେ ନିୟମର ପାଳନ ଜରୁରି ବୋଲି କୁହାଯାଇଛି।

ଜାତିସଂଘ ରିପୋର୍ଟ ଅନୁସାରେ ୧୪ ଫେବୃଆରୀ ୨୦୨୪ରେ ୟୁକ୍ରେନ ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲା ଯେ ବିସ୍ଫୋରକ ୱାରହେଡଯୁକ୍ତ ଏକ ଡ୍ରୋନ ପ୍ରୋଟେକ୍ଟିଭ ସିଲ୍ଡ ଉପରେ ଖସିଥିଲା। ନିଆଁ ଲାଗିବାରୁ ସିଲ୍ଡ ଡ୍ୟାମେଜ ହୋଇଛି। ୟୁକ୍ରେନ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହା ଏକ ଋଷୀୟ ଡ୍ରୋନ ଥିଲା। ତେବେ ଋଷିଆ ଏହି ଅଭିଯୋଗ କୁ ଖଣ୍ଡନ କରିଛି। ଋଷିଆ କହିଛି ଯେ ସେ ପରମାଣୁ ପ୍ଲାଣ୍ଟ ଉପରେ କୌଣସି ଆକ୍ରମଣ କରି ନାହିଁ।

ଉଲ୍ଲେଖଯୋଗ୍ୟ ଯେ ୨୬ ଏପ୍ରିଲ ୧୯୮୬ରେ ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ସାରା ସହର ଧ୍ୱଂସ ହୋଇଯାଇଥିଲା। ପରମାଣୁ ରେଡିଏସନର ପ୍ରଭାବ ଋଷିଆ ଓ ୟୁରୋପ ପର୍ଯ୍ୟନ୍ତ ଦେଖା ଯାଇଥିଲା। ତେବେ ୨୦୦୦ ମସିହାରେ ଏହି ନ୍ୟୁକ୍ଲିୟର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।