ଶେୟାର ବଜାରର ହାଇ ଜମ୍ପ:ଏକା ଥରକେ ଅସୁଲ ହେଲା ସବୁ କ୍ଷତି, ମାର୍କେଟ୍ ବୃଦ୍ଧିର ୫ ବଡ଼ କାରଣ

Published By : Prameya-News7 Bureau | April 15, 2025 IST

internet

ନୂଆଦିଲ୍ଲୀ: ଶେୟାର ବଜାର ପାଇଁ ମଙ୍ଗଳମୟ ହେଲା ମଙ୍ଗଳବାର। ଉଛୁଳିଲା ସେନ୍‌ସେକ୍ସ ଓ ନିଫ୍‌ଟି। ସେନସେକ୍ସ ୧,୭୫୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ୨୩,୩୫୦ ଅତିକ୍ରମ କରିଛି। ଶେୟାର ମାର୍କେଟ୍‌ରେ ଏହି ହାଇ ଜମ୍ପ୍‌ ଦ୍ୱାରା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ତାରିଖରେ ଶୁଳ୍କ ଘୋଷଣା ପରେ ହୋଇଥିବା ସମସ୍ତ କ୍ଷତି ଅସୁଲ ହୋଇ ଯାଇଛି। 

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଶେୟାର ମାର୍କେଟ୍‌ର ଭଲ ପ୍ରଦର୍ଶନରେ ନିବେଶକମାନଙ୍କ ଶେୟାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଇକ୍ୱିଟି ବଜାରରେ ଦୃଢ଼ ବୃଦ୍ଧି ଦ୍ୱାରା ମାତ୍ର ଦୁଇ ଦିନରେ ସେମାନଙ୍କ ପୋର୍ଟଫୋଲିଓରେ ୧୮.୪୨ ଲକ୍ଷ କୋଟି ଟଙ୍କା ଯୋଡ଼ି ହୋଇଛି। 

ପଢନ୍ତୁ- ଗତ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି: ହେଲେ ନଡ଼ିଆ ତେଲ ଦାମରେ ନାଟକୀୟ ବୃଦ୍ଧି

ମଙ୍ଗଳବାର ବଜାର ସବୁଜ ସଂକ୍ଷିପ୍ତରେ ବନ୍ଦ ହୋଇଥିଲା। ବିଏସ୍ଇ ବେଞ୍ଚମାର୍କ ସେନସେକ୍ସ ୧୫୭୭.୬୩ ପଏଣ୍ଟ ବା ୨.୧୦% ବୃଦ୍ଧି ପାଇ ୭୬,୭୩୪.୮୯ରେ ବନ୍ଦ ହୋଇଥିଲା। ନିଫ୍ଟି ୫୦ ମଧ୍ୟ ୫୦୦ ପଏଣ୍ଟ ବା ୨.୧୯% ବୃଦ୍ଧି ପାଇ ୨୩,୩୨୮.୫୫ରେ ପହଞ୍ଚିଥିଲା।

ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୮ଟିରେ ବୃଦ୍ଧି ଘଟିଛି। ସେଥିମଧ୍ୟରୁ ଇଣ୍ଡସଇଣ୍ଡ ବ୍ୟାଙ୍କ ୬.୭୦%, ଟାଟା ମୋଟର୍ସ ୪.୬୧%, ଲାର୍ସନ ଆଣ୍ଡ ଟୁବ୍ରୋ ୪.୫୦%, ଆକ୍ସିସ୍ ବ୍ୟାଙ୍କ ୪.୨୩% ଏବଂ ଆଦାନୀ ପୋର୍ଟସ ୪.୧୩% ବୃଦ୍ଧି । ସେହିପରି ନିଫ୍ଟିର ୫୦ଟି ଷ୍ଟକ୍ ମଧ୍ୟରୁ ୪୯ଟିରେ ବୃଦ୍ଧି ଘଟିଥିଲା। ଏନ୍‌ଏସଇ କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟରେ ସର୍ବାଧିକ ଲାଭ ରିଅଲ୍ଟି ସେକ୍ଟର (୫.୬୪%), ଅଟୋ (୩.୩୯%), ଫାଇନାନ୍ସିଆଲ୍‌ ସର୍ଭଇସେଜ୍ (୩.୨୮%), ମେଟାଲ (୩.୨୦%) ଏବଂ ମିଡିଆ (୨.୯୭%)କୁ ବୃଦ୍ଧି ପାଇଥିଲା। 

ଶେୟାର ମାର୍କେଟ୍ ହାଇ ଜମ୍ପର ୫ କାରଣ

ଟ୍ରମ୍ପ ପାଲଟା ଶୁଳ୍କରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ହଟାଇବା- ଟ୍ରମ୍ପଙ୍କ ପାଲଟା ଶୁଳ୍କରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥା - ସ୍ମାର୍ଟଫୋନ୍, ଲ୍ୟାପ୍‌ଟପ ଏବଂ କମ୍ପ୍ୟୁଟର ଆଦିକୁ ମୁକ୍ତ କରିବା ଟେକ୍ନୋଲୋଜୀ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଏଥିପାଇଁ  ଡିକ୍ସନ୍ ଟେକ୍ନୋଲୋଜି ଏବଂ କେନ୍ସ ଟେକ୍ନୋଲୋଜି ପରି ଭାରତୀୟ ରପ୍ତାନିକାରୀମାନଙ୍କର ଶେଯାର ଯଥାକ୍ରମେ ୨.୬% ଏବଂ ୫.୫% ବୃଦ୍ଧି ପାଇଛି। ଟ୍ରମ୍ପ ଶୁଳ୍କ ହ୍ରାସ କରିବା ପରେ ଅତି କମ୍‌ରେ ୯୦ ଦିନ ପର୍ଯ୍ୟନ୍ତ ଏହାର ଯୋଗାଣ ଶଙ୍ଖଳ ବାଧାପ୍ରାପ୍ତ ହେବ ନାହିଁ। 

ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ ଭାରତୀୟ ବଜାରକୁ ସୁରକ୍ଷିତ ମଣୁଛନ୍ତି ନିବେଶକ-ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ଶୁଳ୍କ ବିଶ୍ୱ ବଜାରରେ ଅନିଶ୍ଚିତତା ସୃଷ୍ଟି କରୁଥିବା ବେଳେ ନିବେଶକମାନେ ଭାରତୀୟ ବଜାରକୁ ଏକ ଅପେକ୍ଷାକୃତ ନିରାପଦ ବୋଲି ବିଚାର କରୁଛନ୍ତି। ଏକ ଦୃଢ଼ ଘରୋଇ ଅର୍ଥନୀତି ସହିତ, ସମ୍ଭାବ୍ୟ ବିଶ୍ୱ ମାନ୍ଦାବସ୍ଥାର ମୁକାବିଲା ପାଇଁ ଭାରତ ଅନେକ ସହଯୋଗୀ ରାଷ୍ଟ୍ରଙ୍କ ତୁଳନାରେ ଭଲ ସ୍ଥିତିରେ ଥିବା ପରି ନିବେଶକ ବିଚାର କରୁଛନ୍ତି। ଏହା ବାଦ୍ ଚୀନ ଭଳି ଭାରତର ଅନ୍ୟ ପଡ଼ୋଶୀ ଦେଶ ଉପରେ ଟ୍ରମ୍ପ ଉଚ୍ଚା ଶୁଳ୍କ ଲଗାଇଥିବା ବେଳେ ଭାରତ ପ୍ରତି ତାଙ୍କର ମନୋଭାବ କୋହଳ ଥିବା ଯୋଗୁ ଏହା ଭାରତୀୟ ବଜାର ପାଇଁ ଶୁଭ ସଂକେତ ଦେଇଛି। ବିଭିନ୍ନ କମ୍ପାନୀ ଏବେ ଭାରତକୁ ଉତ୍ପଦାନର ଏକ ବିକଳ୍ପ ବୋଲି ବିଚାର କରୁଛନ୍ତି।    

ଅଟୋ ସେକ୍ଟରରେ ଆଶା ସଂଚାର ହେବା- ଶୁଳ୍କ ଛାଡ଼ ସହିତ ଟ୍ରମ୍ପ ବିଦେଶୀ ଅଟୋମୋବାଇଲ୍ ଏବଂ ପାର୍ଟସ ଉପରେ ଥିବା ୨୫% ଶୁଳ୍କରୁ ସମ୍ଭାବ୍ୟ ଛାଡ଼ କରିପାରନ୍ତି। ଏନେଇ ସୂଚନା ମିଳିଛି। ଏହି ସୂଚନା ପରେ ଟାଟା ମୋଟର୍ସ ପ୍ରାୟ ୫% ବୃଦ୍ଧି ପାଇଥିବା ବେଳେ ସମ୍ବର୍ଦ୍ଧନା ମଦରସନ୍ ଏବଂ ସୋନା ବିଏଲଡବ୍ଲୁ ପରି ଅଟୋ ପାର୍ଟସ ନିର୍ମାତାଙ୍କ ଶୟାରରେ ୭% ରୁ ଅଧିକ ବୃଦ୍ଧି ହୋଇଛି।

ବ୍ୟାଙ୍କ ଏବଂ ଫାଇନାନ୍ସିଆଲ୍ ସଂସ୍ଥା ଘରୋଇ ବୃଦ୍ଧି- ପ୍ରମୁଖ ବ୍ୟାଙ୍କ ଯଥା – ଏଚଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ବଡ଼ ଲାଭ ହାସଲ କରିଛନ୍ତି। ଯାହା ଶେୟାର ବଜାରର ବଡ଼ ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। 

ବିଶ୍ୱ ବଜାରରେ ବୃଦ୍ଧି- ଟ୍ରମ୍ପ ଟାରିଫ ସ୍ଥଗିତ ରଖିବା ଓ କିଛି ସାମଗ୍ରୀ ଉପରେ ହଟାଇବା ପରେ ବିଶ୍ୱ ବଜାରରେ ପୁନଃ ବିଶ୍ୱାସ ଫେରି ଆସିଛି। ଆମେରିକା ଓ ଏସିଆନ ଶେୟାର ବଜାରଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। 

ପଢନ୍ତୁ- ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଭବିଷ୍ୟତ ବାଣୀ, ୫୦,୦୦୦ ନୁହେଁ ଜାଣନ୍ତୁ ଆଗକୁ କେତେ ହେବ ସୁନା ଦର

ବିଶ୍ୱ ବଜାରରେ ବୃଦ୍ଧି 

ଏପ୍ରିଲ ୧୪ ତାରିଖରେ, ଆମେରିକାର ଡାଉ ଜୋନ୍ସ ୩୧୨ ପଏଣ୍ଟ (୦.୭୮%), ନାସଡାକ୍ କମ୍ପୋଜିଟ୍ ୧୦୭ ପଏଣ୍ଟ (୦.୬୪%) ଏବଂ S&P ୫୦୦ ଇଣ୍ଡେକ୍ସ ୪୨ ପଏଣ୍ଟ (୦.୭୯%) ବୃଦ୍ଧି ପାଇ ବନ୍ଦ ହୋଇଥିଲା।

ଏସୀୟ ବଜାରରେ, ଜାପାନର ନିକେଇ ୨୮୫ ପଏଣ୍ଟ (୦.୮୪%) ବୃଦ୍ଧି ପାଇ ୩୪,୨୬୭ ରେ ବନ୍ଦ ହୋଇଥିଲା। କୋରିଆର କୋସ୍ପି ୦.୮୮% (୨୧ ପଏଣ୍ଟ) ବୃଦ୍ଧି ପାଇ ୨,୪୭୭ ରେ ବନ୍ଦ ହୋଇଥିଲା।

ଚୀନ୍‌ର ସାଂଘାଇ କମ୍ପୋଜିଟ୍ ୦.୧୫% ହ୍ରାସ ପାଇ ୩,୨୬୮ରେ କାରବାର କରିଥିଲା। ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୦.୨୩% ବୃଦ୍ଧି ପାଇ ୨୧,୪୬୬ ରେ ବନ୍ଦ ହୋଇଥିଲା।

ଏପ୍ରିଲ ୧୧ ତାରିଖରେ, ବିଦେଶୀ ନିବେଶକମାନେ (ଏଫ୍‌ଆଇଆଇ) ୨,୫୧୯.୦୩ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଭାରତୀୟମାନେ ଅର୍ଥାତ୍ ଘରୋଇ ନିବେଶକମାନେ (ଡିଆଇଆଇ) ୩,୭୫୯.୨୭ କୋଟି ଟଙ୍କାର ଶେୟାର କିଣିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.