ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ତିନି ଠାକୁରଙ୍କ ତିନୋଟି ରଥର ନାମ ଭିନ୍ନ, ଆଉ ପ୍ରତ୍ୟେକ ନାମ ପଛରେ ରହିଛି ଗଭୀର ଆଧ୍ୟାତ୍ମିକ ଅର୍ଥ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଭଳି ମା' ସୁଭଦ୍ରାଙ୍କ ରଥର ନାମ ହେଉଛି ଦେବଦଳନ ବା ଦର୍ପଦଳନ । ତେବେ କାହିଁକି ଏହି ନାମ ? କ'ଣ ରହିଛି ଏହା ପଛରେ ପୌରାଣିକ, ଆଧ୍ୟାତ୍ମିକ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ରହସ୍ୟ ?  ଆସନ୍ତୁ ଜାଣିବା...

 ରଥଯାତ୍ରା ଦିନ ତିନି ଠାକୁର ନିଜ ନିଜ ରଥରେ ବସି ଶ୍ରୀମନ୍ଦିର ବାହାରକୁ ପରିକ୍ରମାରେ ଆସିଥାନ୍ତି ଏବଂ ନିଜ ଭକ୍ତମାନଙ୍କୁ ଦିବ୍ୟଦର୍ଶନ ଦେଇଥାନ୍ତି | ତିନି ଠାକୁରଙ୍କ ରଥର ନାମ ହେଉଛି ତାଳଧ୍ୱଜ , ଦର୍ପଦଳନ ଓ ନନ୍ଦିଘୋଷ | ତନ୍ମଧ୍ୟରୁ ମା ସୁଭଦ୍ରାଙ୍କ ରଥର ନାମ ହେଉଛି 'ଦେବଦଳନ' ବା 'ଦର୍ପଦଳନ' । ‘ତାଳଧ୍ୱଜ’ ଓ 'ନନ୍ଦିଘୋଷ' ପରି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତିରେ ମା' ସୁଭଦ୍ରାଙ୍କୁ କେବଳ ଭଗବାନ ଜଗନ୍ନାଥଙ୍କ ଭଉଣୀ ଭାବେ ନୁହେଁ, ବରଂ ଆଦ୍ୟାଶକ୍ତି, ଯୋଗମାୟା ଏବଂ ମହାମାୟାଙ୍କ ସ୍ୱରୂପ ଭାବେ ପୂଜା କରାଯାଏ। ଶକ୍ତିର ପ୍ରତୀକ ହୋଇଥିବାରୁ ତାଙ୍କ ରଥର ନାମ ମଧ୍ୟ ତାଙ୍କ ଦୈବୀ ମହିମାକୁ ପ୍ରକାଶ କରେ।

ଶ୍ରୀସୁଭଦ୍ରା ଦେବୀଙ୍କ ରଥର ନାମ ଦେବଦଳନ କାହିଁକି ?  

 ‘ତାଳଧ୍ୱଜ’ ପରି ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି । ବାଲ୍ଲୀକି ରାମାୟଣ’ର ଏକ ଆଖ୍ୟାନ ଅନୁସାରେ- ରାବଣର ରାଜଧାନୀ ସ୍ୱର୍ଣ୍ଣଲଙ୍କାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ‘ନିକୁମ୍ଭିଲା’ । ସେ ‘ବଟମଙ୍ଗଳା’ଙ୍କ ପରି ଏକ ଦେବୀ । ରାବଣର ପୁତ୍ର ମେଘନାଦ ଅମର ହେବାପାଇଁ ନିକୁମ୍ଭିଲା ଦେବୀଙ୍କ ବଟବୃକ୍ଷଠାରେ ଗୋଟିଏ ଯଜ୍ଞ କରିଥିଲା । ତାହା ଥିଲା ଏକ ‘ସପ୍ତଯଜ୍ଞ’ । ଏହି ‘ସପ୍ତଯଜ୍ଞ’ର ସପ୍ତମ ତଥା ଶେଷ ଯଜ୍ଞ ଥିଲା ‘ମାହେଶ୍ୱର’ । ବ୍ରହ୍ମା ତାକୁ ବର ଦେଇଥିଲେ ଯେ ସେହି ଯଜ୍ଞ ଶେଷ ପରେ, ସେଥିରୁ ଗୋଟିଏ ରଥ ବାହାରିବ । ସେଥିରେ ବସି ଯୁଦ୍ଧ କଲେ ତାକୁ କେହି ପରାସ୍ତ କରିପାରିବେ ନାହିଁ । ସେହି ଯଜ୍ଞ ସଂପୂର୍ଣ୍ଣ ହେବା ପରେ, ନିକୁମ୍ଭିଲା ଯଜ୍ଞକୁଣ୍ଡରୁ ମେଘନାଦକୁ ଗୋଟିଏ ରଥ ମିଳିଲା । ସେଥିରେ ବସି ଯୁଦ୍ଧ କରି ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ ପରାସ୍ତ କରିଥିଲା । ସେହିଠାରୁ ତାହାର ନାମ ‘ଇନ୍ଦ୍ରଜିତ’ ହେଲା । ‘ବାଲ୍ମୀକି ରାମାୟଣ’ରେ ଏ ରଥର ନାମ ନାହିଁ । କିନ୍ତୁ ଉପରୋକ୍ତ ଉପାଖ୍ୟାନ ଦୃଷ୍ଟିରୁ ବଳରାମ ଦାସ ତାଙ୍କ ‘ଦାଣ୍ଡି ରାମାୟଣ’ରେ ଏହାର ନାମ ‘ଦେବଦଳନ’ ରଖିଛନ୍ତି । ‘ବାଲ୍ମୀକି ରାମାୟଣ’ର କେତେକ ଅନୁବାଦକ ମଧ୍ୟ ଏହାର ଆଧାରରେ ଇନ୍ଦ୍ରଜିତର ରଥ ‘ଦେବଦଳନ’ ବୋଲି କହିଛନ୍ତି ।

କିନ୍ତୁ ‘ଶ୍ରୀମନ୍ଦିର ସ୍ୱତ୍ୱଲିପି’ରେ ଦେବୀ ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ’ ବୋଲି ଉଲ୍ଲେଖ ନାହିଁ । ସେଥିରେ ଏହାକୁ ‘ଦେବୀ ରଥ’ ଓ ‘ଶ୍ରୀସୁଭଦ୍ରାଙ୍କ ରଥ’ ବୋଲି ଉଲ୍ଲେଖ କରାଯାଇଛି । ତେବେ ‘ନିକୁମ୍ଭିଲା’ ଦେବୀଙ୍କ ଆଶୀର୍ବାଦରୁ, ନିକୁମ୍ଭିଲା ବଟର ଯଜ୍ଞକୁଣ୍ଡରୁ ସେହି ରଥ ମିଳିଥିବାରୁ, ତାହାକୁ ‘ଦେବୀ ରଥ’ କୁହାଯିବାର ତାତ୍ପର୍ଯ୍ୟ ରହିଛି । ଏ ଦୃଷ୍ଟିରୁ, ଦେବତାଙ୍କ ପରାଭବ ବା ‘ଦେବଦଳନ’ ସହିତ ଏହି ରଥର କୌଣସି ସଂପର୍କ ନାହିଁ ।‘ସାରଳା ମହାଭାରତ’ରେ କିନ୍ତୁ ଏ ରଥର ନାମ ‘ପଦ୍ମଧ୍ୱଜ’ । ସେଥିରେ ଗୋଟିଏ ସୁନ୍ଦର ଉପାଖ୍ୟାନ ଅଛି । ତାହା ହେଉଛି- ଥରେ ସୂର୍ଯ୍ୟଦେବ ଚନ୍ଦ୍ରଭାଗାକୁ ସ୍ନାନ କରିବାକୁ ଆସିଥିଲେ । ସେଠାର ‘ଅର୍କବଟ’ ତଳେ ନିଜର ରଥକୁ ରଖି ସେ ନଦୀରେ ସ୍ନାନ କରିବାକୁ ଗଲେ । ସେତିକିବେଳେ ସେଠାରେ ଥିବା ‘ଅର୍କଦୈତ୍ୟ’ ରଥଟିକୁ ଗିଳିଦେଲା । ସୂର୍ଯ୍ୟଦେବ ତାହା ଜାଣି ବ୍ରହ୍ମାଙ୍କୁ ସ୍ମରଣ କଲେ । ସୂର୍ଯ୍ୟଦେବଙ୍କର ରଥ ନଥିଲେ- ସେ ପରିକ୍ରମା କରିପାରିବେ ନାହିଁ । ସେ ପରିକ୍ରମା ନକଲେ ଦିନରାତି ହେବ ନାହିଁ । ତେଣୁ ବ୍ରହ୍ମା ଗୋଟିଏ ଯଜ୍ଞ କଲେ । ସେହି ଯଜ୍ଞରୁ ଆଠଟି ରଥ ଜାତ ହେଲେ । ସେହି ଆଠ ରଥ ମଧ୍ୟରେ ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ପଦ୍ମଧ୍ୱଜ’ ରଥ ମଧ୍ୟ ଥିଲେ । ସୂର୍ଯ୍ୟଦେବ ‘ପଦ୍ମଧ୍ୱଜ’ ରଥରେ ବସି ତାଙ୍କର ପରିକ୍ରମା କଲେ । ପରେ ସେ ଅର୍କଦୈତ୍ୟକୁ ବଧ କରି ନିଜ ରଥକୁ ପାଇଲେ ଏବଂ ‘ପଦ୍ମଧ୍ୱଜ’ ରଥଟିକୁ ବ୍ରହ୍ମାଙ୍କୁ ଫେରାଇଦେଲେ । ପରେ, ମହାଭାରତର ଖାଣ୍ଡବ ବନ ଦହନ ବେଳେ, ବ୍ରହ୍ମା ସେହି ରଥକୁ ଅର୍ଜୁନଙ୍କୁ ଦେଇଥିଲେ । ଅର୍ଜୁନ ସେହି ରଥରେ ବସି ମହାଭାରତ ଯୁଦ୍ଧ କରିଥିଲେ । ପରେ ସେ ଦେବୀ ସୁଭଦ୍ରାଙ୍କ ରଥରେ ସାରଥି ହେଲେ । ସେ ଦୃଷ୍ଟିରୁ ଦେବୀସୁଭଦ୍ରାଙ୍କ ରଥର ନାମ  ‘ପଦ୍ମଧ୍ୱଜ’ ଦିଆଗଲା । 

ଏଥିସହ ଆହୁରି ଅନେକ ତଥ୍ୟ ରହିଛି ଯାହା ବିଷୟରେ ହୁଏତ ସମସ୍ତେ ଜାଣିନଥିବେ । ଦେବୀ ସୁଭଦ୍ରାଙ୍କ ରଥର ଅନ୍ୟ ନାମ ହେଉଛି - ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ) । ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ) , ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ , ରଥର ଚକ ସଂଖ୍ୟା- ୧୨,ରଥର ଆବରଣ- କୃଣ୍ଣ ଓ ଲୋହିତ ବର୍ଣ୍ଣ , ରଥ ସାରଥୀର ନାମ- ଅର୍ଜୁନ(ମତାନ୍ତରେ ଦେବଦତ୍ତ, ସାତ୍ବକୀ) , ରଥ ଅଶ୍ବର ବର୍ଣ୍ଣ: ରକ୍ତ ବର୍ଣ୍ଣ (ନାଲି), ଅଶ୍ବର ନାମ: ରୋଚିକା, ମୋଚିକା, ଜିତା ଓ ଅପରାଜିତା ଅନ୍ୟ କେତେକଙ୍କ ମତରେ ପ୍ରଜ୍ଞା, ଅନୁଜ୍ଞା ଘୋରା ଓ ଅଘୋରା, ରଥ ଧ୍ବଜାରେ- ତ୍ରିପୁରା ସୁନ୍ଦରୀ , ରଥ ପୀଠର ନାମ- କାମ୍ପଲ୍ୟ ଅଟେ । ଓଡ଼ିଶାର ଅନେକ ପ୍ରାଚୀନ ଗ୍ରନ୍ଥ ଓ ପରମ୍ପରାରେ ମା' ସୁଭଦ୍ରାଙ୍କ ରଥକୁ ଦର୍ପଦଳନ ଏବଂ ଦେବଦଳନ—ଉଭୟ ନାମରେ ଉଲ୍ଲେଖ କରାଯାଇଛି। ଆଜି ମଧ୍ୟ ଉଭୟ ନାମ ପ୍ରଚଳିତ ଏବଂ ସମାନ ରଥକୁ ସୂଚିତ କରେ।