ମେଟା ଏଆଇରେ ଦରମା ଥିଲା କୋଟିରେ, ହେଲେ ୫ ମାସରେ ଛାଡ଼ିଦେଲେ; ଜାଣନ୍ତୁ କିଏ ଋଷଭ ଅଗ୍ରଓ୍ବାଲ ?

Published By : Prameya-News7 Bureau | August 27, 2025 IST

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତା ଦୁନିଆରେ ଜଣେ ପରିଚିତ ରିସର୍ଚ୍ଚର ଋଷଭ ଅଗ୍ରଓ୍ବାଲ। ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନି ମେଟା ତାଙ୍କୁ ମୋଟା ଅଙ୍କର ଦରମାର ହାୟର କରିଥିଲା। ହେଲେ ତାଙ୍କୁ ନେଇ ଏବେ ଏକ ବଡ଼ ଖବର ଆସିଛି। ଋଷଭ ମେଟା ଏଆଇ ହାଇ-ପ୍ରୋଫାଇଲ ଚାକିରିକୁ ମାତ୍ର ୫ ମାସରେ ଛାଡ଼ି ଦେଇଛନ୍ତି। ସେ ଏନେଇ ଏକ ପୋଷ୍ଟ କରି କହିଛନ୍ତି ମେଟାରେ ଆଉ ମାତ୍ର କିଛି ଦିନ କାମ କରିବେ। ବର୍ତ୍ତମାନ ନୋଟିସ ପିରିୟଡରେ ଅଛନ୍ତି। ଏ ସପ୍ତାହ ତାଙ୍କ ପାଇଁ ମେଟାରେ ଶେଷ ସପ୍ତାହ। 

ପୋଷ୍ଟରେ ସେ ଆହୁରି ଲେଖିଛନ୍ତି ‘‘ଏହି ନିର୍ଣ୍ଣୟ ନେବା ଖୁବ୍ କଷ୍ଟକର ଥିଲା। କାରଣ ମୁଁ ମେଟାର ନୂଆ ସୁପରଇଣ୍ଟେଲିଜେନ୍ସ ଟିବିଡି ଲ୍ୟାବ୍‌ରେ ଦୁନିଆର ପ୍ରତିଭାବାନ ଲୋକଙ୍କ ସହ କାମ କରୁଛି। ହେଲେ ମୁଁ ଭାବୁଛି ୭.୫ ବର୍ଷ ଗୁଗଲ ବ୍ରେନ୍‌, ଡିପ୍‌ମାଇଣ୍ଡ୍‌ ଏବଂ ମେଟାରେ ବିତାଇବା ପରେ ଏବେ କିଛି ବଡ଼ ରିସ୍କ ନେବାର ସମୟ ଆସିଛି। ଋଷଭ ନିଜ ପୋଷ୍ଟରେ ଆହୁରି କହିଛନ୍ତି ମାର୍କ ଜକରବର୍ଗ ଏବଂ ସ୍କେଲ ଏଆଇର ସିଇଓ ଆଲେକ୍ସାଣ୍ଡାର ଓ୍ବାଙ୍ଗ ତାଙ୍କୁ ସୁପରଇଣ୍ଟେଲିଜେନ୍ସ ଟିମ୍‌ରେ ସାମିଲ ହେବାକୁ ଯେଉଁ ଅଫର୍‌ ଦେଇଥିଲେ ତାହା ଖୁବ୍ ଆକର୍ଷକ ଥିଲା। ହେଲେ ସେ ଶେଷରେ ଜକରବର୍ଗଙ୍କ ପରାମର୍ଶକୁ ଆପଣାଇଥିଲେ। ଆଉ ତାହା ଥିଲା ‘‘ ଦ୍ରୁତ ଗତିରେ ବଦଳୁଥିବା ଦୁନିଆରେ ସବୁଠୁ ବଡ଼ ରିସ୍କ ହେଉଛି କୌଣସି ରିସ୍କ ନନେବା।’’

ସେ ମେଟାରେ ନିଜ ସ୍ବଳ୍ପ କାର୍ଯ୍ୟ ଅବଧିର ଅନୁଭବକୁ ମଧ୍ୟ କହିଛନ୍ତି। ଋଷଭ ଲେଖିଛନ୍ତି ମେଟାରେ ଅଳ୍ପ ସମୟର କାମ ଅବଧି ମଧ୍ୟରେ ଆମେ ‘ଥିଙ୍କିଂ ମଡେଲ୍ସ’କୁ ନୂଆ ଉଚ୍ଚତାରେ ପହଞ୍ଚାଇଛୁ। ଯେଉଁଥରେ 8B ଡାନ୍ସ ମଡେଲକୁ RL ସ୍କେଲିଂ ଜରିଆରେ Deepseek-R1ର ସମକକ୍ଷ କରିବା, ମିଡ୍‌- ଟ୍ରେନିଂରେ ସିନ୍ଥେଟିକ ଡାଟାର ବ୍ୟବହାର କରି RL ଆରମ୍ଭ କରିବା ଏବଂ ଅନ-ପଲିସି ଡିଷ୍ଟିଲେଶନ ପଦ୍ଧତିର ବିକାଶ ସାମିଲ ଆଦି ଅନେକ କାମ ରହିଛି। ସେ ନିଜ ଟିମ୍‌ର ସାଥୀଙ୍କ ନାଁ ନେବା ସହ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଋଷଭ ଅଗ୍ରୱାଲ କିଏ?

ଋଷଭ ଅଗ୍ରୱାଲ ଜଣେ AI ରିସର୍ଚ୍ଚର। ସେ IIT ବମ୍ବେର ପୂର୍ବତନ ଛାତ୍ର। ସେଠାରେ ସେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ସ୍ନାତକୋତ୍ତର ପରେ ଋଷଭ କାନାଡାର ମିଲା - କ୍ୟୁବେକ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇନଷ୍ଟିଚ୍ୟୁଟ୍‌ରେ ଏଆଇରେ ପିଏଚଡି କରିଥିଲେ। ଏହା ପରେ ‘ସାଭନ୍‌’ର ସର୍ଚ୍ଚ ଆଣ୍ଡ୍‌ ଆଲଗୋରିଦମ୍ସ ବିଭାଗରେ ଇଣ୍ଟର୍ଣ୍ଣ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ତା’ପରେ ଟାୱାର ରିସର୍ଚ୍ଚ କ୍ୟାପିଟାଲ୍‌ର ଆଲଗୋରିଦମ୍ ଟ୍ରେଡିଂ ବିଭାଗରେ ଇଣ୍ଟର୍ଣ୍ଣ କରିଥିଲେ। ସେ ୱେମୋ(Waymo)ରେ ମଧ୍ୟ ଜଣେ ରିସର୍ଚ୍ଚ ଇଣ୍ଟର୍ଣ୍ଣ ଥିଲେ। 

୨୦୧୮ ଜୁନ୍‌ରେ ସେ ଗୁଗୁଲ୍ ବ୍ରେନ୍‌ରେ ଜଣେ ବରିଷ୍ଠ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବରେ ଯୋଗ ଦେଇଥିଲେ ଏବଂ ସେଠାରେ ପାଞ୍ଚ ବର୍ଷ ପାଇଁ କାମ କରିଥିଲେ ଏବଂ ଡିପ୍ RLକୁ ଆଗକୁ ନେବାରେ ବେଶ୍ ବଡ଼ ଭୂମିକା ନେଇଥିଲେ । "RLରେ ଉତ୍ତମ ମୂଲ୍ୟାଙ୍କନ ପାଇଁ NeurIPS ୨୦୨୧ର ସର୍ବୋତ୍ତମ ପେପର ପୁରସ୍କାର ମଧ୍ୟ ସେ ଜିତିଛନ୍ତି। ଏହା ପରେ, ସେ ଗୁଗୁଲର ଡିପମାଇଣ୍ଡରେ ଯୋଗ ଦେଇ ରିଇନଫୋର୍ସମେଣ୍ଟ ଲର୍ଣ୍ଣିଂ (RL), ଲାର୍ଜ ଲାଙ୍ଗୁଏଜ ମଡେଲ (LLMs) ଉପରେ ଦୁଇ ବର୍ଷ କାମ କରିଥିଲେ। ଆଉ ଚଳିତ ବର୍ଷ ଏପ୍ରିଲରେ ହିଁ ଋଷଭ ମେଟା ସୁପରଇଣ୍ଟେଲିଜେନ୍ସ ଲ୍ୟାବରେ ଜଣେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ ଯୋଗ ଦେଇଥିଲେ। ଗବେଷଣା ସହ ଋଷଭ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ଜଡିତ ଅଛନ୍ତି। ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟରେ ଜଣେ ସହାୟକ ପ୍ରଫେସର ଭାବରେ ପାଠପଢ଼ାଉଛନ୍ତି। 

ତେବେ ବର୍ତ୍ତମାନ ସେ ନେଇଥିବା ନିଷ୍ପତ୍ତିରୁ ଜଣାପଡ଼ୁଛି ବଡ଼ କମ୍ପାନିଙ୍କ ହାଇ-ପ୍ରୋଫାଇଲ ଚାକିରି ଠାରୁ ଅଧିକ ତାଙ୍କ ନୂଆ ଚାଲେଞ୍ଜ ଏବଂ ରିସ୍କ ନେବାକୁ ସେ ବେଶ୍ ପସନ୍ଦ କରନ୍ତି। ଏମିତିରେ  ଏବେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ଇଣ୍ଡଷ୍ଟ୍ରିର ନଜର ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.