ଭୁବନେଶ୍ଵର: କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଏଯାଏଁ ତୁଟିନି ଛାତ୍ର ସଂସଦ ନିର୍ବାଚନ ଦ୍ବନ୍ଦ୍ବ । ହେଲେ ଏବେଠାରୁ ଛାତ୍ର ସଂଗଠନ ସଜାଡ଼ିବାରେ ଲାଗିଲେଣି ୩ ପ୍ରମୁଖ ଦଳ । ଗତକାଲି ବିଜେଡି ନୂଆ ଛାତ୍ର ବିଜେଡି ସଭାପତି ଓ ସଂପାଦକ ଘୋଷଣା କରିବା ପରେ କ୍ୟାମ୍ପସ ପଲିଟିକ୍ସ ସରଗରମ ହେଲାଣି । କାହିଁକି ସରକାର କଲେଜ ଓ ବିଶ୍ବବିଦ୍ୟାଳୟରେ ନିର୍ବାଚନ ତାରିଖ ଘୋଷଣା କରୁନାହାନ୍ତି ବୋଲି ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଏବିଭିପି ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛି ।
ଏଯାଏଁ ତୁଟିନି ଛାତ୍ର ସଂସଦ ନିର୍ବାଚନ ଦ୍ବନ୍ଦ୍ବ । ହେଲେ ଛାତ୍ର ସଂଗଠନ ସଜାଡିବାରେ ଲାଗିଲେଣି ୩ ପ୍ରମୁଖ ଦଳ । ଦୀର୍ଘ ଦିନ ହେବ ମଙ୍ଗୁଆଳ ବିହୀନ ହୋଇଥିବା ଛାତ୍ର ବିଜେଡିକୁ ମିଳିଛନ୍ତି ନୂଆ ମୁରବୀ । ଇପ୍ସିତା ସାହୁ ଛାତ୍ର ବିଜେଡିର ସଭାପତି ହେବା ସହ ୪ ଜଣିଆ ସାଧାରଣ ସମ୍ପାଦକ ତାଲିକା ଘୋଷଣା ହୋଇଛି । ଆଉ ସଭାପତି ଘୋଷଣା କ୍ଷଣୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ଇପ୍ସିତା । ବିଜେଡି ଛାତ୍ର ୱିଙ୍ଗ ସବୁ କ୍ୟାମ୍ପସକୁ ଯିବା ସହ କ୍ୟାମ୍ପ କରିବ । ଦଳ ବହୁ ପୂର୍ବରୁ କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା କଥା ଉଠାଇ ଆନ୍ଦୋଳନ କରିସାରିଛି। ଏହାରି ଭୟରେ ସରକାର ଏବେ ଛାତ୍ର ସଂସଦ ନିର୍ବାଚନ ପାଇଁ ଡରୁଥିବା କଥା କହି ବର୍ଷିଛନ୍ତି ଛାତ୍ର ବିଜେଡି ସଭାପତି।
ସେପଟେ କଂଗ୍ରେସ ମଧ୍ୟ ଛାତ୍ର ଓ ଯୁବକଙ୍କ ସହ ରହିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଛି। ସବୁ କ୍ୟାମ୍ପସରେ ଏବେ ଦଳର ଛାତ୍ର ୱିଙ୍ଗ ସକ୍ରିୟ ଅଛନ୍ତି। ଛାତ୍ର ଛାତ୍ରୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛୁ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ନେତା । ହେଲେ ସରକାର କେଉଁ ଭୟରେ ନିର୍ବାଚନ ତାରିଖ ଘୋଷଣା କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଜବାବରେ ଏବିଭିପି କହିଛି ଗତ ବିଜେଡି ସରକାର ପାଇଁ ୭ ବର୍ଷ ହେଲାଣି କଲେଜ ନିର୍ବାଚନ ହୋଇ ପାରୁନାହିଁ । ଫଳରେ ରାଜ୍ୟରେ ଛାତ୍ର ନେତା ବାହାରି ପାରୁ ନାହାନ୍ତି । ହେଲେ ବିଜେପି ସରକାର ନିର୍ବାଚନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏବିଭିପି ସବୁବେଳେ ଛାତ୍ର ଛାତ୍ରୀଙ୍କ ସହ ରହିଛି ବୋଲି କହିଛି ।
ନୂଆ ସରକାର ଆସିଲା ପରେ ଦୁର୍ଗା ପୂଜା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାରିଖ ଘୋଷଣା ନ ହେବା ନିର୍ବାଚନକୁ ନେଇ ଦ୍ବନ୍ଦ୍ବ ବଢାଇଛି । ଏହାରି ଭିତରେ ବିଜେଡି ଦୁଇ ଛାତ୍ର ନେତାଙ୍କୁ ଦାୟୀତ୍ବ ଦେବା ପରେ ଛାତ୍ର ଓ ଯୁବ ଭୋଟ ଉପରେ ଦଳର ନଜର ଥିବା ନେଇ ଚର୍ଚ୍ଚା ବଢାଇଛି।