ଆମେରିକାକୁ ରପ୍ତାନୀ ବନ୍ଦ କରିଦେଲେ ଭାରତର ହେବ କ’ଣ, କିଏ ସହିବ ଅଧିକ କ୍ଷତି?

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତର ରପ୍ତାନୀ ଉପରେ ୨୫% ଟାରିଫ ନିୟମ ଗୁରୁବାର ଲାଗୁ ହୋଇଯାଇଛି। ଏଥିରେ ପ୍ରଶ୍ନ ଉଠୁଛି ଯଦି ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆମେରିକାକୁ ରପ୍ତାନୀ ବନ୍ଦ କରିଦିଏ ତେବେ କ’ଣ ହେବ? ଏହି ନିଷ୍ପତ୍ତି ଯୋଗୁ କାହାର ଅଧିକ କ୍ଷତି ହେବ ଆସନ୍ତୁ ଜାଣିବା। 

ଆମେରିକାର ସବୁଠୁ ବଡ଼ ଟ୍ରେଡ ପାର୍ଟନର ଭାରତ
ଗତ ୪ ବର୍ଷ ହେଲା ଆମେରିକା ଭାରତର ସବୁଠୁ ବଡ଼ ଟ୍ରେଡ ପାର୍ଟନର ପାଲଟିଛି। ଭାରତ ଓ ଆମରିକା ମଧ୍ୟରେ ୨୦୨୪-୨୫ରେ ୧୩୧.୮୪ ବିଲିୟନ ଡଲାରର କାରବାର ହୋଇଛି। ଏଥିରେ ଭାରର ୮୭ ବିଲିୟନ ଡଲାରର ରପ୍ତାନୀ ମଧ୍ୟ କରିଛି। ଏଭଳି ପରିସ୍ଥିତିରେ ଭାରତର ରପ୍ତାନୀ ଉପରେ ୨୫% ଟାରିଫର ପ୍ରଭାବ ଅନେକ ଉଦ୍ୟୋଗ ଉପରେ ଦେଖିବାକୁ ମିଳିବ, ଯେଉଁଗୁଡିକ ପୂର୍ବରୁ ବୈଶ୍ୱିକ ପ୍ରତିକୂଳତାର ସମ୍ମୁଖୀନ ହୋଇଛନ୍ତି। 

ବାଣିଜ୍ୟ ବନ୍ଦ ହେଲେ ଭାରତ ଉପରେ ପଡିବ କି ପ୍ରଭାବ?
ଆମେରିକାକୁ ଭାରତ ଖାସ କରି ଆଇଟି ସେବା, ଔଷଧ, ଟେକ୍ସଟାଇଲ ଓ ଜେମ୍ସ ଜ୍ୱେଲରୀ ରପ୍ତାନୀ କରିଥାଏ। ଏଥିରେ ଯଦି ଆମେରିକା ସହ ଭାରତ କାରବାର ବନ୍ଦ କରିଦିଏ ତେବେ ଆମେରିକାର ନିଶ୍ଚିତ ରୂପେ କ୍ଷତି ହେବ। ଆମେରିକା ପ୍ରତ୍ୟେକ ବର୍ଷ ଭାରତରୁ ଜେନେରିକ ଔଷଧ କିଣିଥାଏ, ବାଣିଜ୍ୟ ବନ୍ଦ ହେଲେ ଭାରତର ଔଷଧ କମ୍ପାନୀଙ୍କ ଉପରେ ଏହାର ପ୍ରଭାବ ପଡିବ। ଏହା ଛଡା ଆମେରିକୀୟ କମ୍ପାନୀମାନେ ଭାରତରେ ବିପୁଳ ନିବେଶ ମଧ୍ୟ କରିଛନ୍ତି। ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବ୍ରାଣ୍ଡ ଭାରତରେ ବିପୁଳ ନିବେଶ କରିଛନ୍ତି। 

ବାଣିଜ୍ୟ ବନ୍ଦ ହେଲେ ନିବେଶ ହ୍ରାସ ହେବ ଫଳରେ ଭାରତର ବ୍ୟାପାର କ୍ଷେତ୍ର ପ୍ରଭାବିତ ହେବ। ଏହା ଦ୍ୱାରା ବିଦେଶୀ ମୁଦ୍ରାଭଣ୍ଡାର ମଧ୍ୟ ପ୍ରଭାବିତ ହେବ। ଲକ୍ଷଲକ୍ଷ ନିଯୁକ୍ତି ବାତିଲ ହେବ ଓ ଷ୍ଟାର୍ଟଅପ ଓ ସର୍ଭିସ କମ୍ପାନୀ ମଧ୍ୟ ବନ୍ଦ ହୋଇପାରନ୍ତି। 

କିପରି କ୍ଷତି ସହିବ ଆମେରିକା?
ଏହି ଟାରିଫ ବୃଦ୍ଧି ଯୋଗୁ ଆମେରିକା ମଧ୍ୟ କ୍ଷତିରୁ ଅଛୁଆଁ ରହିବନି। ଭାରତରୁ ଶସ୍ତା ବସ୍ତ୍ର, ଔଷଧ ଏବଂ ଆଇଟି ସେବା ଆମେରିକା ବଜାରରେ ମହଙ୍ଗା ହୋଇଯିବ। ଫଳରେ ସେଠାକାର ବ୍ୟବସାୟୀ ଓ ଉପଭୋକ୍ତା ସମସ୍ୟାରେ ପଡିବେ। ଆମେରିକୀୟ କମ୍ପାନୀ ଯେଉଁମାନେ ଭାରତର ସୁଲଭ ଉତ୍ପାଦ ଉପରେ ନିର୍ଭରଶୀଳ ସେମାନେ ବିକଳ୍ପ ଯୋଗାଣକାରୀ ଖୋଜିବା ଆରମ୍ଭ କରିବେ। ତେବେ ବୈଶ୍ୱିକ ବାଣିଜ୍ୟ ଉପରେ ଆମେରିକାର ପ୍ରଭାବ ଓ ଅନ୍ୟ ଯୋଗାଣକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚ ତାକୁ ଅନେକାଂଶରେ କ୍ଷତିରୁ ବଞ୍ଚାଇପାରେ। 

ତେବେ କାହାର ହେବ ଅଧିକ କ୍ଷତି?
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଟାରିଫ ଯୁଦ୍ଧ ପରେ ଆମେରିକା ସହ ଭାରତ ବାଣିଜ୍ୟ ବନ୍ଦ ହେଲେ ଭାରତର କାମ ଅଟକି ଯିବ କି? ଅବଶ୍ୟ ଏପରି ହେବ ନାହିଁ। କାରଣ ଭାରତ କେବଳ ଆମେରିକା ସହିତ ବାଣିଜ୍ୟ ବ୍ୟବସାୟ କରୁ ନାହିଁ ବିଶ୍ୱର ଅନେକ ଦେଶଙ୍କ ସହ ଭାରତର ବାଣିଜ୍ୟ ବ୍ୟବସାୟ ରହିଛି। ହେଲେ ଭାରତ ପାଇଁ ଚ୍ୟାଲେଞ୍ଜ ବଢିଯିବ ନିଶ୍ଚିତ। ଆମେରିକା ଭଳି ବଡ଼ ବ୍ୟବସାୟୀକ ବଜାର ଭାରତକୁ ଝଟକା ଦେଇପାରେ। କାରଣ ଗତ ୪ ବର୍ଷ ହେଲା ଆମେରିକା ଭାରତର ବଡ଼ ଟ୍ରେଡ ପାର୍ଟନର ପାଲଟିଛି। ଏଥିରେ ଯଦି ଭାରତ ରପ୍ତାନୀ ବନ୍ଦ କରିଦିଏ ତେବେ ଆମେରିକା ତୁଳନାରେ ଭାରତର ଅଧିକ ଆର୍ଥିକ କ୍ଷତି ହେବ। କାରଣ ଆମେରିକା ଭାରତର ସବୁଠୁ ବଡ଼ ରପ୍ତାନୀ ବଜାର।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.