ନୂଆଦିଲ୍ଲୀ ୨୩।୧୧: ଦେଶରେ ନିର୍ବାଚନ ପ୍ରକ୍ରିୟା ଓ ଭୋଟର ଲିଷ୍ଟ ସଂଶୋଧନ ନେଇ ଚାଲିଥିବା କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଇଲେକ୍ସନ କମିଶନ ଅଫ ଇଣ୍ଡିଆ (ଇସିଆଇ) ଭାରତର ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସ୍ପେଶିଆଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) କରାଉଛନ୍ତି। ଏହି ପ୍ରକ୍ରିୟାରେ ବିଏଲଓ ଅର୍ଥାତ ବୁଥ ଲେବୁଲ ଅଫିସରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଏଲଓ ଭୋଟର ଲିଷ୍ଟରେ ନାମ ଯୋଡିବା ଓ ହଟାଇବା କାମ କରୁଛନ୍ତି, ଏହା ସହିତ ଅନ୍ୟ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।

ତେବେ ଜାଣିରଖିବା ଉଚିତ ଯେ ବିଏଲଓ ଏକ ପୂର୍ଣ୍ଣ କାଳୀନ ସରକାରୀ ଚାକିରୀ ନୁହେଁ। ଅଧିକାଂଶ ବିଏଲଓ ପୂର୍ବରୁ କୌଣସି ବିଭାଗ ଯେପରି ଶିକ୍ଷା, ପଞ୍ଚାୟତ ଓ ସ୍ୱାସ୍ଥ୍ୟରେ କାର୍ଯ୍ୟରତ କର୍ମଚାରୀ ହୋଇଥାନ୍ତି, ଯାହାଙ୍କୁ ନିର୍ବାଚନ ଆୟୋଗ ଅତିରିକ୍ତ ଦାୟିତ୍ୱ ଦେଉଛନ୍ତି। ନିକଟରେ ନିର୍ବାଚନ କମିଶନର ବିଏଲଓଙ୍କୁ ମିଳୁଥିବା ମାନଦେୟ ବୃଦ୍ଧି କରିଛନ୍ତି। ଏବେ ସେମାନଙ୍କୁ ବାର୍ଷିକ ପାଖାପାଖି ୧୨ ହଜାର ଟଙ୍କା ମାନଦେୟ ମିଳୁଛି। ଏହାଛଡା ବିଶେଷ ପୁନରୀକ୍ଷଣ (ଏସଆଇଆର) ଅଥବା ବାର୍ଷିକ ସଂଶୋଧନ କାଳରେ ଅଲଗା ୧,୦୦୦ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ଏହି ରାଶି ବିଏଲଓଙ୍କୁ ଦ୍ୱାରରୁ ଦ୍ୱାର ବୁଲିବା ଓ ଫିଲ୍ଡ ୱାର୍କ ପାଇଁ ମିଳୁଛି।

ବିଏଲଓଙ୍କ କାମ କେବଳ ଭୋଟର ଲିଷ୍ଟରେ ଭୋଟରଙ୍କ ନାମ ଯୋଡିବା ବା ହଟାଇବା ନୁହେଁ। ସେମାନଙ୍କର ଦାୟିତ୍ୱ ବ୍ୟାପକ ଓ ଗୁରୁତ୍ୱପୂର୍ଣ୍ଣ। ବିଏଲଓ ନିଜ କ୍ଷେତ୍ରରେ ଗସ୍ତ କରି ନୂଆ ଭୋଟର, ସ୍ଥାନାନ୍ତରଣ ଓ ନାମ ହଟାଇବା ଲାଗି ଯୋଗ୍ୟ ଭୋଟରଙ୍କ ସୂଚନା ସଂଗ୍ରହ କରନ୍ତି। ନୂଆ ନାମ ସଂଯୋଗ ପାଇଁ ସେମାନେ ଫର୍ମ-୬ ଓ ନାମ ହଟାଇବା ପାଇଁ ଫର୍ମ-୭, ସଂଶୋଧନ ପାଇଁ ଫର୍ମ ୮ଓ ସ୍ଥାନାନ୍ତରଣ ପାଇଁ ଫର୍ମ ୮(ଏ) ଉପଯୋଗ କରନ୍ତି। ଏହି ଫର୍ମ ବାବଦେ ସେମାନେ ଲୋକଙ୍କୁ ବୁଝାଇ ପୂରଣ କରନ୍ତି ଓ ଜମା କରନ୍ତି।

ତେବେ ଏତିକିରେ ବିଏଲଓଙ୍କ କାମ ସରିଯାଏନି। ସେମାନେ ଭୋଟରଙ୍କ ଦ୍ୱାରା ଦିଆଯାଉଥିବା ସୂଚନା ଯାଞ୍ଚ କରି ସେମାନଙ୍କ ଠିକଣା, ବୟସ ଓ ପରିଚୟ ପୁଷ୍ଟି କରିଥାନ୍ତି। ବିଏଲଓ ମାନେ ଭୋଟର ଲିଷ୍ଟକୁ ଲଗାତାର ଅପଡେଟ କରିଥାନ୍ତି। ଏହା ଛଡା ଭୋଟର ଲିଷ୍ଟରେ ନାମ କିପରି ଚଢାଯିବ ସେନେଇ ଲୋକଙ୍କୁ ସଚେତନ କରନ୍ତି।ଏଥି ପାଇଁ କେଉଁ ସବୁ କାଗଜପତ୍ର ଆବଶ୍ୟକ ସେ ନେଇ ପରାମର୍ଶ ମଧ୍ୟ ଦେଇଥାନ୍ତି। ବିଏଲଓ ଆପ ଭଳି ମାବାଇଲ ଆପରେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଡାଟା ଅପଲୋଡ କରିଥାନ୍ତି ଓ ଭୋଟର ରେକର୍ଡ ଡିଜିଟାଲ ରୂପେ ଅପଡେଟ ମଧ୍ୟ କରନ୍ତି।